ଭୁବନେଶ୍ବର: ପରିବେଶ ବିପଦରେ। ଜୀବଜଗତ ଓ ପରିସଂସ୍ଥାନ ମଧ୍ୟରେ ତାଳମେଳ ବିଗିଡ଼ିଯାଇଛି। ଏପରି ସମୟରେ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ୬ ବର୍ଷ ତଳେ ‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଆରମ୍ଭ ହୋଇଥିବା ‘ବୃକ୍ଷରୋପଣ’ କାର୍ଯ୍ୟକ୍ରମ ଏକ ଆନ୍ଦୋଳନର ରୂପ ନେଇଛି। ପ୍ରତିବର୍ଷ ସାହିତ୍ୟଘରର ସଦସ୍ୟମାନେ ସାରା ରାଜ୍ୟରେ ବୃକ୍ଷରୋପଣ କରୁଥିବା ବେଳେ ୨୦୧୯ ମସିହାଠାରୁ ୨୦୨୩ ମସିହା ଯାଏ ଏହାର ପରିମାଣ ମୋଟ ୩ ଲକ୍ଷ ୯୨ ହଜାର ୭୬୦ରେ ପହଞ୍ଚିଥିଲା। ତେବେ ଚଳିତ ବର୍ଷ ଅଭିଯାନ ଆଉ ପାଦେ ଆଗେଇଛି। ‘ସମ୍ବାଦ’ର ୯ଟି ସଂସ୍କରଣ ସହ ରାଜ୍ୟ ବାହାରେ ଥିବା ୩୭୦ଟି ସାହିତ୍ୟଘର ପକ୍ଷରୁ ଏଯାଏ ୧ ଲକ୍ଷ ୭୨୧ରୁ ଅଧିକ ବୃକ୍ଷରୋପଣ କରାଯାଇଥିବା ଜଣାପଡ଼ିଛି। ଯାହା ୩୧ ଅଗଷ୍ଟ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଯାଏ ଜାରି ରହିବ।
୩୧ ଅଗଷ୍ଟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ
୬ ବର୍ଷରେ ଲାଗିଲାଣି ୫ ଲକ୍ଷରୁ ଅଧିକ
ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ
ଭୁବନେଶ୍ବର ‘ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲ୍ଚର୍’ ପରିସରରେ ଏଥର ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେବା ସହ ସାହିତ୍ୟଘର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ସମ୍ବାଦ-ସାହିତ୍ୟଘର’ ବୃକ୍ଷରୋପଣ ଅଭିଯାନ ପରିବେଶ ସୁରକ୍ଷା ଦିଗରେ କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଅନେକଙ୍କୁ ପ୍ରେରଣା ଯୋଗାଇଛି। ଏହି ସଫଳତା ପାଇଁ ‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସାହିତ୍ୟଘରର ସମସ୍ତ ସଦସ୍ୟ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହିତ ବୃକ୍ଷରୋପଣ ଅଭିଯାନକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।