ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ସମ୍ବର୍ଦ୍ଧିତ

ଆନ୍ଧ୍ରରେ ଓଡିଆ ଲୋକଙ୍କ ପାଇଁ ସାହିତ୍ୟ ଘର ଖୋଲିବାକୁ ରାଜ୍ୟପାଳଙ୍କୁ ଅନୁରୋଧ

କଟକ-ଜଗତପୁର : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପାଇଁ ସାରା ରାଜ୍ୟରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଗାଁ ଗାଁରେ ସୃଷ୍ଟି ହୋଇଛି ସମ୍ବାଦ ସାହିତ୍ୟ ଘର। ଓଡିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ରହିଛି ‘ସମ୍ବାଦ-ସାହିତ୍ୟ ଘର’ ଶାଖା। ରାଜ୍ୟରେ ସମ୍ବାଦ ସାହିତ୍ୟ ଘର ମାଧ୍ୟମରେ ଓଡ଼ିଆ ସାହିତ୍ୟର ବିକାଶ କଳ୍ପେ ଏକ ଅନନ୍ୟ ଆନ୍ଦୋଳନ ପାଇଁ ଉଦ୍ୟମ କରିଥିବାରୁ ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କାଙ୍କୁ ସାଇ ଗ୍ୟାଲେଣ୍ଟାରି ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି।

ସାଇ ଏଜୁକେସନ୍‌ ଆଣ୍ଡ ଚାରି‌ଟେବୁଲ ଟ୍ରଷ୍ଟ ପକ୍ଷରୁ ପୀରବଜାର ଯାତ୍ରା ପଡିଆରେ ଆୟୋଜିତ ସାଇ ସ୍ପ୍ରିଙ୍ଗ ଫେଷ୍ଟ୍‌ରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଯୋଗଦେଇ ଡକ୍ଟର ଲେଙ୍କାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡିଆ ଭାଷାର ପ୍ରଚାର ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଚାହିଲେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ‘ସମ୍ବାଦ ସାହିତ୍ୟ ଘର’ ଖୋଲାଯାଇ ପାରନ୍ତା ବୋଲି ଡକ୍ଟର ଲେଙ୍କା ରାଜ୍ୟପାଳଙ୍କୁ ଅନୁରୋଧ କରିଥି‌ଲେ। ଆନ୍ଧ୍ରରେ ରହୁଥିବା ଓଡିଆ ଭାଷାଭାଷୀଙ୍କୁ ଏକାଠି କରି ସାହିତ୍ୟ ଘର ସୃଷ୍ଟି କରାଗଲେ ଆମ ଭାଷା ସାହିତ୍ୟ ଆଗକୁ ଯାଇପାରନ୍ତା ବୋଲି ଡକ୍ଟର ଲେଙ୍କା ଅନୁରୋଧ କରିଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଓ ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ମଂଚରେ ସାଇ ଗ୍ୟାଲେଣ୍ଟାରି ଏକ୍ସିଲେନ୍ସି ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସାରା ରାଜ୍ୟରେ ୩୫୧ଟି ସମ୍ବାଦ ସାହିତ୍ୟଘର ରହିଥିବା ବେଳେ ସେଥିରେ ୩୦ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର