ବଲାଙ୍ଗୀରରେ ସମ୍ବାଦ ସାହିତ୍ୟ ଘରର ‘ଶୀତ ସର୍ଜନା’ : ରାଜନୀତି ଓ ସାହିତ୍ୟର ଗୋଟିଏ ଉଦ୍ଦେଶ୍ୟ ସମୂହ ହିତ

ସାଂସ୍କୃତିକ ସଂକଟ ସମୟରେ ଆଶ୍ରୟ ଦେବ ସାହିତ୍ୟ ଘର: ସୌମ୍ୟରଞ୍ଜନ

ବଲାଙ୍ଗୀର : ରାଜନୀତି ଓ ସାହିତ୍ୟର ଉଦ୍ଦେଶ୍ୟ ସମାନ। ରାଜନୀତି ସମୂହ ସ୍ୱାର୍ଥର କଥା କହେ। ସାହିତ୍ୟ ବି ସେହି କଥା କହିଥାଏ। ସାହିତ୍ୟର ଅସଲ ଉଦ୍ଦେଶ୍ୟ ସମୂହ ହିତ। ଯେଉଁମାନେ ସାହିତ୍ୟ ଓ ରାଜନୀତି ଭିତରେ ଫରକ ଦେଖନ୍ତି ଓ ସାହିତ୍ୟକୁ ରାଜନୀତିର ଊର୍ଦ୍ଧ୍ବକୁ ଯିବାକୁ ପରାମର୍ଶ ଦିଅନ୍ତି; ସେମାନଙ୍କ ସହ ମୁଁ ସହମତ ନୁହେଁ। କିନ୍ତୁ ସମୂହ ହିତ କରିବାରେ ଯଦି ସମର୍ଥ ନ ହୁଏ, ତା’ହେଲେ ସାହିତ୍ୟ ଲେଖାର ମୂଲ୍ୟ ରହିବ ନାହିଁ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ବଲାଙ୍ଗୀରରେ ସମ୍ବାଦ ସାହିତ୍ୟ ଘରର ବିଶେଷ ଅଧିବେଶନ ‘ଶୀତ ସର୍ଜନା’ରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ସାରା ରାଜ୍ୟରେ ସାହିତ୍ୟ ଘର କରାଯିବା ବେଳେ ଏହାର ନିର୍ଦ୍ଦିଷ୍ଟ କୌଣସି ଲକ୍ଷ୍ୟକୁ ଅବତାରଣା କରାଯାଇ ନଥିଲା। ଏହା ପଛର କିଛି ନ୍ୟସ୍ତ ଉଦ୍ଦେଶ୍ୟ ନ ଥିଲା। ଯେଉଁ ଅନୁଷ୍ଠାନ ଗଠନ ପଛରେ କିଛି ନ୍ୟସ୍ତ ସ୍ବ‌ାର୍ଥ ବା ଲୁକ୍କାୟିତ ଉଦ୍ଦେଶ୍ୟ ରହିଥାଏ ସେହି ଅନୁଷ୍ଠାନ କିଛି ଦିନ ଚାଲିପାରେ, ମାତ୍ର ବେଶି ଦିନ ଚାଲିପାରେନି। ଘରର ଅର୍ଥ ଆଶ୍ରୟସ୍ଥଳ। ଏବେ ପ୍ରାକୃତିକ ଦୁର୍ବିପାକ ସମୟରେ ସରକାର ବି ଆଶ୍ରୟସ୍ଥଳ ନିର୍ମାଣ କରୁଛନ୍ତି। ସେଠାରେ ଲୋକେ ବିପଦ ସମୟରେ ରହିପାରୁଛନ୍ତି। ପିଲାଙ୍କ ପାଠପଢ଼ା ବି ହୋଇପାରୁଛି। ସାହିତ୍ୟଘର ମଧ୍ୟ ସାଂସ୍କୃତିକ ସଂକଟ ସମୟରେ, ଏ ଜାତି ଓ ସମୁଦାୟର ସମସ୍ୟା ସମୟରେ ଆମକୁ ଆଶ୍ରୟ ଦେଇପାରିବ। ଏଥିପାଇଁ ଏହାର ପ୍ରକୃତ ପରିଭାଷା ଅନୁସାରେ କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ସାହିତ୍ୟିକମାନେ ପ୍ରଶଂସା ଓ ପୁରସ୍କାର ପଛରେ ଗୋଡ଼ାଇବା ଉଚିତ ନୁହେଁ। ଏକ ବିକଳ୍ପ ଚିନ୍ତା କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ସାହିତ୍ୟର ଅସଲ ଉଦ୍ଦେଶ୍ୟ ସମୂହ ହିତ ହେବା ଆବଶ୍ୟକ। ସମୂହ ହିତ କରିବାରେ ଯଦି ସଫଳ ନୁହନ୍ତି ତେବେ ଯେତେ ବଡ଼ ସାହିତ୍ୟିକ ହେଲେ ବି ତାଙ୍କ ଲେଖାର ମୂଲ୍ୟ ରହିବ ନାହିଁ।

ସମ୍ବେଦନା, ସହାନୁଭୂତି ଓ ସନ୍ତୁଷ୍ଟି ଗୋଟିଏ ସାମାଜିକ ବ୍ୟବସ୍ଥାର ମୂଳମନ୍ତ୍ର। ଆଜି ଆମ ସାହିତ୍ୟରେ ସମ୍ବେଦନଶୀଳତା ନାହିଁ। ଅନୁଭବ ନାହିଁ। ପାଠକ ଆକୃଷ୍ଟ ହେଉ ନାହାନ୍ତି। ଏଣୁ ସାହିତ୍ୟଘରର ସାହିତ୍ୟିକମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡ଼ିପାରିଲେ ସେମାନଙ୍କ ସଂଖ୍ୟା ବା କାର୍ଯ୍ୟ ପରିସୀମା ବଢ଼ିବ। ବର୍ତ୍ତମାନ କୌଣସି ଅନୁଷ୍ଠାନ ପ୍ରତି ଅନ୍ୟ ଅନୁଷ୍ଠାନର ସହାନୁଭୂତି ନାହିଁ। ପାଠକ ଆକୃଷ୍ଟ ହେଉ ନାହାନ୍ତି। ଯେତେବେଳେ ପ୍ରତ୍ୟେକ ଅନୁଷ୍ଠାନ ଅନ୍ୟପ୍ରତି ସମ୍ବେଦନଶୀଳ ହେବେ, ସବୁ କାର୍ଯ୍ୟକ୍ରମ ଶକ୍ତଶାଳୀ ହୋଇପାରିବ। ଏଣୁ ସାହିତ୍ୟ ଘର କେବଳ ସାହିତ୍ୟରେ ସୀମିତ ନ ରହି ରକ୍ତଦାନ, ବୃକ୍ଷରୋପଣ, ବିପର୍ଯ୍ୟୟ ବେଳେ ସହାୟତା ଆଦି କାର୍ଯ୍ୟରେ ନିଜକୁ ସଂପୃକ୍ତ ରଖିଲେ ନିଶ୍ଚିତ ଭାବରେ ତାହା ଆଗକୁ ବଢ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ, ସାହିତ୍ୟ ଘର ସାରା ରାଜ୍ୟରେ ଏକ ବିଶେଷ ପରିବର୍ତ୍ତନ ଆଣିପାରିଛି। ଗତ କିଛି ଦିନ ହେଲା କରୋନା କାଳରେ ଗୃହବନ୍ଦୀ ଜୀବନ ସମସ୍ତେ ଜିଉଁଛନ୍ତି। ଏହି ସମୟରେ ବି ସାହିତ୍ୟ ଘର ତାର କାମ ଭୁଲିନି। ୧୮ ହଜାରରୁ ଅଧିକ ଗଛ ଲଗାଯାଇଛି। ସାହିତ୍ୟ ଘର ଭାବର ଆଦାନପ୍ରଦାନରେ ଏକ ସେତୁଟିଏ ପାଲଟିଛି ବୋଲି ସେ କହିଥିଲେ।

ବଲାଙ୍ଗୀର ସାହିତ୍ୟ ଘର ସଭାପତି ଡ. ସଂଜୟ ମିଶ୍ର ସଭାପତିତ୍ୱ କରିଥିଲେ ଓ ସଂପାଦକ ସନ୍ଦୀପ କୁଅଁର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ମଂଚାସୀନ ଥିଲେ। ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାସ କହିଥିଲେ, ସମ୍ବାଦ ସାହିତ୍ୟ ଘର ଏବେ ଆନ୍ଦୋଳନ ପାଲଟି ସାରିଛି। କେବଳ ଓଡ଼ିଶାରେ ଶାଖା ରହିଛି ତାହା ନୁ‌ହେଁ, ଏହାର ଶାଖା ଅନ୍ୟ ରାଜ୍ୟ ଛତିଶଗଡ଼, ପଶ୍ଚିମବଙ୍ଗରେ ବି ରହିଛି। ୩୫୦ରୁ ଅଧିକ ସାହିତ୍ୟ ଘର ଏବେ ଓଡ଼ିଶାରେ ରହିଛି ବୋଲି ସେ ସୂଚନା ଦେଇଥିଲେ। ଉପମହାପ୍ରବନ୍ଧକ ଶ୍ରୀ ସାମନ୍ତରାୟ କହିଥିଲେ, ଆଜିର ସାହିତ୍ୟ ଆସନ୍ତାକାଲି ପାଇଁ ଇତିହାସ ହୋଇ ରହିବ। ଏଣୁ କରୋନା ଭଳି ମହାମାରୀର ପ୍ରତ୍ୟେକ ମୁହୂର୍ତ୍ତକୁ ଲେଖକମାନେ ନିଜ କଲମରେ ଲିପିବଦ୍ଧ କରିବାକୁ ସେ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟଅତିଥି ସାହିତ୍ୟ ଘରର ପ୍ରାଣ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଡ. ଶୁଭଶ୍ରୀ ଲେଙ୍କାଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ବଲାଙ୍ଗୀରର ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ସମୂହ ପ୍ରାର୍ଥନା କରାଯାଇଥିଲା। ଶେଷରେ ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର