ଭୁବନେଶ୍ବର: ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ଓ ସୁରକ୍ଷା ପାଇଁ ‘ସାହିତ୍ୟଘର’ର ପରିକଳ୍ପନା କରାଯାଇଥିଲା। ଆମ ଭାଷା ଆଗ ଅପେକ୍ଷା ସୁରକ୍ଷିତ ହୋଇଛି ସତ, କିନ୍ତୁ ଭାଷା ସୁରକ୍ଷାର ସଂଗ୍ରାମ ସରିନାହିଁ। ଓଡ଼ିଶାରେ ଭାବର ଯେଉଁ ଅଭାବ ଘଟିଛି, ତାହା ଗତ ଦୁଇ ଦିନର ବିଧାନସଭାର ଚିତ୍ର ବୟାନ କରୁଛି। ଓଡ଼ିଶା ଭାବଗତ ଏକତାଠାରୁ ଦୂରକୁ ଚାଲିଯାଉଛି। ଭାବକୁ ଅଧିକ ସମୃଦ୍ଧ ଓ ଭାଷାକୁ ସୁରକ୍ଷିତ କରିବା ପାଇଁ ‘ସାହିତ୍ୟଘର’ ସଦସ୍ୟମାନେ କାମ କରନ୍ତୁ। କେବଳ ସାହିତ୍ୟ ସଭା ନୁହେଁ, ସାହିତ୍ୟକୁ ସମୂହ ହିତରେ ବ୍ୟବହାର ଏବଂ ଭାଷା ଓ ଭାବର ପରିସର ସମୃଦ୍ଧ କରନ୍ତୁ। ସୋମବାର ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟପକ୍ଷ’ର ଏକାଦଶ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ଅତିବଡ଼ି ଜଗନ୍ନାଥ ଦାସଙ୍କୁ ଉତ୍ସର୍ଗ ମଞ୍ଚରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇ କହିଲେ, ସବୁ କିଛି ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା। ତାଙ୍କରି ଇଚ୍ଛାରେ ବାଲେଶ୍ବରରୁ ଆରମ୍ଭ ହୋଇଥିବା ‘ସାହିତ୍ୟଘର’ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ୩୭୦ ଶାଖାରେ ପହଞ୍ଚିଛି। ୧୪ ବର୍ଷ ଭିତରେ ୪୦ ହଜାରରୁ ଅଧିକ ସଦସ୍ୟ ସାଉଁଟିଛି। ସମାଜରେ ଆସୁଥିବା ଆହ୍ବାନକୁ ଗ୍ରହଣ କରି ପରିବେଶ ଓ ପରମ୍ପରାର ସୁରକ୍ଷା ପାଇଁ କାମ କରିଛି। ‘ସମ୍ବାଦ ସାହିତ୍ୟଘର’ ଓଡ଼ିଶା ସଂସ୍କୃତିର ନେତୃତ୍ବ ନେଇଛି। ‘ସାହିତ୍ୟଘର’ର ରାଜ୍ୟ ସମ୍ପାଦିକା ଶୁଭଶ୍ରୀ ଲେଙ୍କାଙ୍କ ସଂଚାଳନରେ ଅନୁଷ୍ଠିତ ‘ଆଲୋଚନା’ ଅଧିବେଶନରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା କହିଲେ, ମୋର ପରିଚୟ ‘ସମ୍ବାଦ’ ପ୍ରସାରିତ କରିଛି। ଓଡ଼ିଆ ଅସ୍ମିତା ତଥା ଭାଷା, ସାହିତ୍ୟର ସୁରକ୍ଷା ପାଇଁ ‘ସାହିତ୍ୟଘର’ର କାର୍ଯ୍ୟ ପ୍ରଶଂସନୀୟ। ଷଢ଼େଇକଳା ‘ସାହିତ୍ୟଘର’ର ସଭାପତି ଅତନୁ କବି କ୍ଷୋଭ ପ୍ରକାଶ କରି କହିଲେ, ଓଡ଼ିଶା ସହ ଭୌଗୋଳିକ ଦୃଷ୍ଟିରୁ ଆମେ ବିଚ୍ଛିନ୍ନ ହୋଇଯାଉଛୁ। ହେଲେ ଆମ ଆତ୍ମା ଓଡ଼ିଶାରେ ଅଛି। ବିଚ୍ଛିନ୍ନାଞ୍ଚଳର ପ୍ରତ୍ୟେକ ଘରେ ଓଡ଼ିଆ ଭାଗବତ ବୋଲା ହେଉଛି। ହେଲେ ଓଡ଼ିଆ ସ୍କୁଲ୍କୁ ବନ୍ଦ କରାଯାଉଛି। ଓଡ଼ିଆ ବହି ମିଳୁନି। ଓଡ଼ିଆ ଖବରକାଗଜ ଯାଉନି। ବଡ଼ କଥା ‘ଉତ୍କଳ ସମ୍ମିଳନୀ’ ନାମରେ ସହଯୋଗ ପ୍ରହସନ ପାଲଟିଛି। ସରକାରୀ ଅର୍ଥ ଆତ୍ମସାତ୍ ସହ ଯୋଗ୍ୟତା ନଥିବା ଓଡ଼ିଆ ଶିକ୍ଷକ ଦିଆଯାଉଛି। ଏଥିରେ କେମିତି ଓଡ଼ିଆତ୍ବ ବଞ୍ଚି ରହିବ। ଆମ ପାଇଁ ସମ୍ବାଦ ସାହିତ୍ୟଘର ନୂତନ ପ୍ରେରଣା ଯୋଗାଇଛି ବୋଲି କହିଥିଲେ। ଭଦ୍ରକ ‘ସାହିତ୍ୟଘର’ର ସଭାପତି ପବିତ୍ର ପାଣିଗ୍ରାହୀ ସମଗ୍ର ରାଜ୍ୟରେ ‘ସାହିତ୍ୟଘର’ ସାରସ୍ବତ ଅଭିଯାନ ସୃଷ୍ଟି କରିଛି ବୋଲି କହିଥିଲେ।
ଓଡ଼ିଶା ଭାବଗତ ଏକତା ଠାରୁ ଦୂରକୁ ଚାଲିଯାଉଛି: ସୌମ୍ୟରଂଜନ
ସମ୍ବାଦ ‘ସାହିତ୍ୟଘର’ ଓଡ଼ିଶା ସଂସ୍କୃତିର ନେତୃତ୍ବ ନେଉଛି: ତନୟା
‘ଅଭିଯୁକ୍ତି’ ପର୍ବରେ କଥାକାର ସୀତେଶ ତ୍ରିପାଠୀ ଯୋଡ଼ି ହୋଇ ‘ସମ୍ବାଦ’ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅନ୍ଧାରରେ ଆଲୋକବର୍ତ୍ତିକା ଓ ପଥ ପ୍ରଦର୍ଶକ ବୋଲି କହିଥିଲେ। ନୂଆପିଢ଼ିର ଲେଖିକା ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଓଡ଼ିଆ ଭାଷା, ସଂସ୍କୃତି କ୍ଷେତ୍ରରେ ‘ସାହିତ୍ୟଘର’ ଏକ ଆଦର୍ଶ ଏବଂ ଲେଖକ ସୁବ୍ରତ ସେନାପତି ‘ସାହିତ୍ୟଘର’ ଯୁବପିଢ଼ିଙ୍କୁ ଭାଷା ସହ ଯୋଡ଼ୁଥିବା କହିଥିଲେ। ଭଞ୍ଜନଗର ‘ସାହିତ୍ୟଘର’ ସଭାପତି କୃତ୍ତିବାସ ବିଶ୍ବାଳ, ବେଗୁନିଆର ରବୀନ୍ଦ୍ରନାଥ ପାଣିଗ୍ରାହୀ ଓ କୁଚିଣ୍ଡାର ସୁବାସଚନ୍ଦ୍ର ନାୟକ ନିଜ ‘ଅନୁଭୂତି’ ବର୍ଣ୍ଣନା କରିଥିଲେ। ଏହି ଅବସରରେ ‘ଗଙ୍ଗାଧର ମେହେର ପ୍ରତିଷ୍ଠାନ’ର ଅଧ୍ୟକ୍ଷ ମିହିର କୁମାର ମେହେର, ‘ତାଳପଦେଶ୍ବରୀ ସାହିତ୍ୟ ଆସର’ ସଭାପତି ଅମୂଲ୍ୟ କୁମାର ଦାସ ଓ ସମ୍ପାଦକ ଜିତୁ ପ୍ରଧାନ, କାଲିମେଳା ‘ସାହିତ୍ୟଘର’ର ସଭାପତି ଧ୍ରୁବଚରଣ ନାୟକ ଓ ସଂପାଦକ- ନବକିଶୋର ମଲ୍ଲିକ, ପଣ୍ଡୁକିଟାଲର ସଂପାଦକ ହୃଷୀକେଶ ଡାଙ୍ଗ ଓ ସଭାପତି ଭିକାରୀ ଚରଣ ପ୍ରଧାନ, ବ୍ରାହ୍ମଣୀଦେବୀର ସଂପାଦିକା ଧରିତ୍ରୀ ରାଉତ ଓ ସଦସ୍ୟ ଉଷାରାଣୀ ପ୍ରଧାନ, ବଡ଼ସାହିର ସଭାପତି ବଙ୍କିମ ବିହାରୀ ପାତ୍ର ଓ ସଂପାଦକ ରାଜେନ୍ଦ୍ର ଜେନା, ରାଉରକେଲାର ସଂପାଦକ ପ୍ରଶାନ୍ତ ଦାସ ଓ ସଭାପତି ରାମକୃଷ୍ଣ ତ୍ରିପାଠୀ, ଅନୁଗୁଳର ସଭାପତି ଶାନ୍ତନୁ କୁମାର ସର ଓ ଉପଦେଷ୍ଟା ସନତ ନାୟକ, ବଡ଼ମ୍ବାର ସଭାପତି ଧନେଶ୍ୱର ସ୍ବାଇଁ ଓ ଉପସଭାପତି ଖଗେଶ୍ୱର ମହାପାତ୍ରଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ଓ ଶୁଭଶ୍ରୀ ଲେଙ୍କା ସମ୍ବର୍ଦ୍ଧିତ କରିଥିଲେ। ଆଜି ମୁଖ୍ୟ ଆକର୍ଷଣ ଥିଲା ଗୋଟିପୁଅ ନୃତ୍ୟ ଓ ପାଇକ ଆଖଡ଼ା। ‘କଳିଙ୍ଗ ପାଇକ କ୍ରିଏସନ’ର ଦିଲୁ, ଶ୍ରେୟାନ ଓ ତାଙ୍କ ଦଳ ଦୁଃସାହସିକ ପାଇକ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପୁରୀ ରଘୁରାଜପୁରର ଗୁରୁ ଗଙ୍ଗାଧର ଗୋଟିପୁଅ ନୃତ୍ୟ ଅନୁଷ୍ଠାନର କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରି କିଛି ସମୟ ପାଇଁ ଦର୍ଶକଙ୍କୁ ଭାବ ଓ ଭକ୍ତିରେ ନିମଗ୍ନ କରିଥିଲେ। ଆର୍ଜେ ଅନୀଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବାରିପଦା ସାହିତ୍ୟଘରର ସଭାପତି ମନୋଜ ଦଳବେହେରା ଧନ୍ୟବାଦ ଦେଇଥିଲେ।