ନୟାଗଡ଼/ଗଣିଆ : ଆମ ସମାଜରେ ସାହିତ୍ୟିକମାନେ ରାଜନୀତି, ରାଜନେତାଙ୍କୁ ଘୃଣା କରୁଥିବା ଦେଖାଯାଉଛି। ଏଭଳି ଏକ ମନୋଭାବ ସମାଜରୁ ଦୂରହେବା ଆବଶ୍ୟକ। ସାହିତ୍ୟ ଓ ରାଜନୀତି ଉଭୟର ଲକ୍ଷ୍ୟ ସମାଜର ହିତ ସାଧନ କରିବା। ରାଜନେତାଟିଏ ମଧ୍ୟ ସାହିତ୍ୟିକ ସହିତ ମିଶିବା ଦରକାର। ସାହିତ୍ୟିକଙ୍କ ସହିତ ମିଶିଲେ ନେତାଙ୍କର ସମାଜ, ଜନସାଧାରଣଙ୍କ ପ୍ରତି ଆଭିମୁଖ୍ୟ ବଦଳିବ। ଆଜି ‘ସମ୍ବାଦ ସାହିତ୍ୟଘର’ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।
ରବିବାର ସନ୍ଧ୍ୟାରେ ବ୍ଲକ୍ ସଦର ମହକୁମାସ୍ଥିତ ରଘୁନାଥଜିଉ ମନ୍ଦିର ପ୍ରାଙ୍ଗଣରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ, ଆମ ଭାଷା-ସାହିତ୍ୟ ଯେତିକି ସଙ୍କଟ ଦେଇ ଗତି କରୁନି, ଆମ ବ୍ୟବସ୍ଥା ତା’ଠାରୁ ଅଧିକ ସଙ୍କଟରେ। ତେଣୁ ସାହିତ୍ୟିକମାନେ ସମସ୍ତ ବିଭାଗରେ ଲେଖନୀ ଚାଳନା କରିବା ଦରକାର। କେବଳ ଗପ, କବିତା ଲେଖିଲେ ସାହିତ୍ୟର ଉଦ୍ଦେଶ୍ୟ ସାଧିତ ହେବନାହିଁ। ଆମର ବୃହତ୍ ସମ୍ବିଧାନ ରହିଛି, ନିର୍ବାଚନ କମିସନ୍ ଠିକ୍ କାମ କରୁନଥିବା, ବିଚାରପତିଙ୍କ କାର୍ଯ୍ୟ ନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛେ, ସଂସଦ, ବିଧାନସଭା ଠିକ୍ରେ ଚାଲିପାରୁନି, ଏମିତି ଆମେ କେତେ କ’ଣ ଅଭିଯୋଗ କରୁଛେ, କିନ୍ତୁ ସେ ନେଇ ଲେଖନୀ ମୁନରେ ପ୍ରତିବାଦ କରୁନେ। ଗଣମାଧ୍ୟମର ମୁହଁ ସରକାର ବନ୍ଦ କରିଦେଉଥିବା ଅଭିଯୋଗ ହେଉଛି। ଏ ସମସ୍ତ ଦିଗରେ ଲେଖନୀ ଚାଳନା ହେବା ଦରକାର ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଟ୍ୟକାର ରାମଚନ୍ଦ୍ର ମିଶ୍ର କହିଥିଲେ, ସାହିତ୍ୟର ଏକ ପ୍ରଭାବଶାଳୀ ବିଭାଗ ନାଟକ। ନାଟ୍ୟକାର, ନିର୍ଦ୍ଦେଶକ ମିଶି ମଞ୍ଚରେ ଏକ ଛୋଟ ସମାଜ ଗଠନ କରିଥା’ନ୍ତି। ନାଟକ ରାବଣକୁ ରାମରେ ପରିଣତ ହେବାକୁ, କଂସକୁ କୃଷ୍ଣରେ ପରିଣତ ହେଲା ଭଳି ବାର୍ତ୍ତା ଦେବାର କ୍ଷମତା ରଖିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ, କେବଳ ଗପ, କବିତା ଲେଖିବାରେ ନୁହେଁ, ସାମାଜିକ କ୍ଷେତ୍ରରେ ସାମିଲ୍ ହୋଇ ସାହିତ୍ୟଘର ଆଜି ସଭିଁଙ୍କୁ ଦିଗ୍ଦର୍ଶନ ଦେଉଛି। ବୃକ୍ଷରୋପଣ, ରକ୍ତଦାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି କାର୍ଯ୍ୟ ଆମ ସଦସ୍ୟମାନେ କରିଥାନ୍ତି ବୋଲି ଡ. ଲେଙ୍କା କହିଥିଲେ।
‘ସମ୍ବାଦ ସାହିତ୍ୟଘର’ ଗଣିଆ ଶାଖା ସଭାପତି ଆନନ୍ଦଚନ୍ଦ୍ର ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସୁନୀଲ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉପଦେଷ୍ଟା ଗିରୀଶ ଚନ୍ଦ୍ର ମିଶ୍ର ଗଣିଆରେ ସାହିତ୍ୟ ଘର ଗଠନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପାଲା ଗାୟକ କେଶବ ଚନ୍ଦ୍ର ରଣା, ଦାସକାଠିଆ ଗାୟକ ବିଜୟ କୁମାର ବେହେରା, ପରିବେଶବିତ୍ ପ୍ରଫୁଲ୍ଲ କୁମାର ଦାଶ, ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଘମିତ୍ରା ନାଥ, ଶିକ୍ଷୟିତ୍ରୀ ସୋନାଲିସା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ରଚିତ, ଗିରୀଶ କୁମାର ମିଶ୍ର ନିର୍ଦ୍ଦେଶିତ ନାଟକ ‘ମୋ ସିଲଟ ଶୁଖି ଯା’ ମଞ୍ଚସ୍ଥ ହୋଇଥିଲା। କବୟିତ୍ରୀ ତଥା ସାହିତ୍ୟଘର ସଦସ୍ୟା ପ୍ରିୟଦର୍ଶିନୀ ସାହୁ ସଭା ସଂଯୋଜନା କରିଥିଲେ।
‘ସମ୍ବାଦ ସାହିତ୍ୟଘର’ ଗଣିଆ ବ୍ଲକ୍ ସଂଯୋଜକ ତଥା ସମ୍ବାଦ ପ୍ରତିନିଧି କୈଳାସ ଚନ୍ଦ୍ର ସାହୁ, ସମ୍ବାଦ ନୟାଗଡ଼ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ସଦସ୍ୟ ଦେବୀପ୍ରସାଦ ଦାଶ, ଭରତ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।