ଓଡ଼ିଶାର ପରିଚୟ ଶିଶୁ ସାହିତ୍ୟ ଦ୍ୱାରା ବଞ୍ଚିପାରିବ

‘ଶିଶୁ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ସାହିତ୍ୟ କେବଳ ଆଜିର କଥା କୁହେ ନାହିଁ। ଅତୀତର କଥା କହିବା ସହ ଭବିଷ୍ୟତର ନକ୍ସା ଆଙ୍କେ। ତେଣୁ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଶାର ପରିଚୟ କେବଳ ଶିଶୁ ସାହିତ୍ୟ ଜରିଆରେ ବଞ୍ଚିପାରିବ। ପିଲାଙ୍କ ସାହିତ୍ୟ ନୂଆ ସାଧନ ଅନୁକୂଳ ହେବା ସହ ନୂଆ ପରିକଳ୍ପନା ଓ ଭାବନା ପ୍ରତିଫଳିତ ହେବା ଉଚିତ୍‌ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ‘ସମ୍ବାଦ ସାହିତ୍ୟ ଘର’ ସମାବେଶର ‘ଶିଶୁ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ସେ ଏହା କହିଛନ୍ତି।

ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଅତିଥିମାନେ ଶିଶୁ ସାହିତ୍ୟକୁ ନେଇ ଭିନ୍ନଭିନ୍ନ ଯୁକ୍ତି ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଯତୀନ୍ଦ୍ର ନାୟକ କହିଲେ, ଜାତୀୟକରଣ ଶିଶୁ ସାହିତ୍ୟର ଅପମୃତ୍ୟୁ ପାଇଁ ଦାୟୀ। ସେ ଏକଥା ବି କହିଲେ, ଓଡ଼ିଶା ଏବେ ଲେଖକ ସର୍ବସ୍ୱ ସମାଜ ହୋଇଯାଇଛି। ଏଥିରେ ସାହିତ୍ୟ ବେଶିଦିନ ଉଧେଇବ ନାହିଁ। ତେଣୁ ବର୍ତମାନ ପାଠକ ସୃଷ୍ଟି କରିବାରେ ମନଯୋଗ ଦିଆଯାଉ। ଜଣେ ପିଲା ଯଦି ନିର୍ଦିଷ୍ଟ ସମୟ ମଧ୍ୟରେ ୫ଟି ବହି ପଢ଼ିପାରୁଛି ତାକୁ ପୁରସ୍କୃତ କରାଯାଉ। ସଂପ୍ରତି ଟଙ୍କା ଖର୍ଚ କରି, ପୁରସ୍କାର ଦେଇ ପାଠକ ସୃଷ୍ଟି କରିବାର ସମୟ ବୋଲି ସେ କହିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡ.ବିଜୟାନନ୍ଦ ସିଂହ କହିଲେ, ଶିଶୁ ଅନୁକୂଳ ଭଲ ବହି ଆଉ ଲେଖାଯାଉ ନାହିଁ। ତେଣୁ ଓଡ଼ିଆରେ ସୁଦୃଶ୍ୟ, ଆକର୍ଷଣୀୟ ଶିଶୁ ପୁସ୍ତିକା ପିଲାମାନଙ୍କ ନିକଟରେ ଉପଲବ୍ଧ ହେବା ଉଚିତ୍‌। ସେହିଭଳି ପଢ଼ିବା ପାଇଁ ପିଲାମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶିଷ୍ଟ ସ୍ତମ୍ଭକାର ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ, ପରିବାରରୁ ହିଁ ଜ୍ଞାନର ଗଙ୍ଗା ପିଢ଼ି ପରେ ପିଢ଼ି ପ୍ରବାହିତ ହୁଏ। ତେଣୁ ପିଲାମାନେ ଅକ୍ଷର ଜାଣିନଥିବା ବେଳେ ବାପା ମା’ମାନେ ତାଙ୍କୁ ଗପ ଶୁଣାନ୍ତୁ। ତେବେ ସେଇ ଗପ ଓ ଲେଖାଗୁଡ଼ିକ ଜୀବନ ଗଠନରେ ସହାୟକ ହେଉଥିବା ଆବଶ୍ୟକ ବୋଲି ସେ କହିଥିଲେ। ସେ ଏକଥା ବି କହିଲେ, ସରକାର ପିଲାମାନଙ୍କୁ ବହି ଯୋଗାଇବା ପାଇଁ ଯେଉଁ ଯୋଜନାମାନ କରିଛନ୍ତି ଲେଖକ ଓ ଶିକ୍ଷକମାନେ ତାକୁ ଭଣ୍ଡୁର କରିଛନ୍ତି। କଳାପଟା ଅଭିଯାନଠୁ ନେଇ ପରବର୍ତୀ କାଳରେ ପାଠାଗାର ଯୋଜନା ବି ଭଣ୍ଡୁର ହୋଇଛି। ପିଲାଙ୍କ ପାଇଁ ଯୋଜନା ହେଉଛି କିନ୍ତୁ ପିଲା ତା’ର ସୁଫଳ ପାଉନାହାନ୍ତି।

ବିଶିଷ୍ଟ ଲେଖିକା ସୁସ୍ମିତା ବାଗ୍‌ଚି କହିଲେ, ଯଦି ଗୋଟେ ପିଢ଼ି ଭାଷାଠୁ ଦୂରେଇ ଯାଏ ତେବେ ଭାଷା ଶୃଙ୍ଖଳ ଭାଙ୍ଗିଯାଏ। ଭାଷା ହଜିଯାଏ। ତେଣୁ ବାପା ମା’ମାନେ ଏ ଦିଗରେ ଯତ୍ନବାନ ହେବା ଉଚିତ୍‌। ସେହିଭଳି କୌଣସି ସଂସ୍ଥା ପକ୍ଷରୁ ଯଦି ଗ୍ରାଣ୍ଟ୍‌ ଓ ଫେଲୋସିପ୍‌ ପ୍ରଦାନ କରାଯାଆନ୍ତା ତେବେ ଭଲ ଶିଶୁ ସାହିତ୍ୟ ସୃଷ୍ଟି ହୋଇପାରନ୍ତା ବୋଲି ସେ କହିଥିଲେ। ‘କାଦମ୍ବିନୀ’ ତଥା ‘କୁନିକଥା’ର ସମ୍ପାଦିକା ଇତିରାଣୀ ସାମନ୍ତ କହିଲେ, ଏବେ ପିଲା ପରୀକ୍ଷାରେ କେତେ ପ୍ରତିଶତ ମାର୍କ ରଖିବ ଏବଂ ଇଂରାଜୀ କେତେ ଭଲ କହିବ ସେନେଇ ଅଭିଭାବକମାନେ ଯେତେ ଉତ୍ସୁକ ଅନ୍ୟ କ୍ଷେତ୍ର ପ୍ରତି ସେତିକି ବ୍ୟଗ୍ର ନୁହଁନ୍ତି। ତେଣୁ ବଡ଼ମାନେ ଶିଶୁଙ୍କୁ ସାହିତ୍ୟ ମନସ୍କ କରିବା ପାଇଁ ବାତାବରଣ ସୃଷ୍ଟି କରନ୍ତୁ ବୋଲି ସେ କହିଥିଲେ। ଶେଷରେ ଅତିଥିମାନେ ଉପସ୍ଥିତ ସାହିତ୍ୟଘର ସଦସ୍ୟ/ସଦସ୍ୟାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଉପସ୍ଥିତ ଥିଲେ।

କବିତା ପାଠୋତ୍ସବ
ଅଳ୍ପ କଥାରେ ମନକୁ ଆଚ୍ଛନ୍ନ କରୁଥିବା କବିତା ଭଲ କବିତା
ଭୁବନେଶ୍ୱର : ‘ସାହିତ୍ୟଘର’ ରାଜ୍ୟସ୍ତରୀୟ ସମାବେଶର ତୃତୀୟ ଅଧିବେଶନରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ବିଶିଷ୍ଟ କବି ଦେବଦାସ ଛୋଟରାୟ ଏହାକୁ ଅଧ୍ୟକ୍ଷତା କରି କହିଥିଲେ, କବିତା ପଢ଼ିବା ଏକ କଳା। ଅଳ୍ପ କଥାରେ ମନକୁ ଆଚ୍ଛନ୍ନ କରିପାରୁଥିବା କବିତା ହିଁ ଭଲ କବିତା। ଏହି କବିତା ଆସରକୁ ଯୁବ କବି ସରୋଜ ବଳ ଏବଂ ବାଦଲ ମହାନ୍ତି ସଂଯୋଜନା କରିଥିଲେ। ବହୁ ସଂଖ୍ୟାରେ କବି ସ୍ୱରଚିତ କବିତା ପାଠ କରିଥିଲେ।

ପୁସ୍ତକ ଉନ୍ମୋଚନ
ଏହି ଅବସରରେ ଲୋଇସିଂହା ସାହିତ୍ୟଘରର ସସ୍ମିତା ସାହୁଙ୍କ ‘ମୁଠେ ସପନ’, ହେମଗିରିର ସୁଷମା ପଟେଲଙ୍କ ‘କଲ୍ୟାଣମୟୀ’, କନ୍ଧମାଳ ଦାରିଙ୍ଗିବାଡ଼ିର ବିଦେଶୀ ନାୟକଙ୍କ ‘ଅପହୃତ ଅପରାହ୍‌ଣ’, ଭୁବନେଶ୍ୱରର ଡ.ସତ୍ୟନାରାୟଣ ମିଶ୍ରଙ୍କ ‘ଫଗୁଣର ଫଗୁ ଓ ଅନ୍ୟାନ୍ୟ କବିତା’, ପୁରୀର ଶ୍ୟାମପ୍ରକାଶ ସେନାପତିଙ୍କ ‘ବାପା’, ଜୟପୁର ସାହିତ୍ୟଘରର ବାର୍ଷିକ ମୁଖପତ୍ର ‘କୁନ୍ଦକଳିକା-୨୦୧୮’, ରୋହିତ କୁମାର ପଟେଲ୍‌ଙ୍କ ‘ସୁନ୍ଦରଗଡ଼ର ପ୍ରଚଳିତ ଶବ୍ଦ ବିଭବ’, ବ୍ରହ୍ମପୁରର ମନୋଜ କୁମାର ସାମଲଙ୍କ ‘ଫେସ୍‌ବୁକ୍‌’, ଅତାବିରାର କୈଳାସ ମହାରଣାଙ୍କ ‘ତଥାପି ପୃଥିବୀ ନିରବ’ ଏବଂ ସମ୍ବଲପୁରର ସୌଦାମିନୀ ପଟେଲ୍‌ଙ୍କ ‘ଗପ ପସରା’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର