ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ଷଷ୍ଠ ବାର୍ଷିକ ଉତ୍ସବ : ଘର ମୁରବିଙ୍କ ମୁହଁରୁ…

ଦଶ ବର୍ଷ ତଳେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ପାଇଁ ‘ସମ୍ବାଦ’ ପରିବାର ତରଫରୁ ‘ସାହିତ୍ୟଘର’ର କଳ୍ପନା କରାଯାଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁସାରେ ୨୦୧୧ ନଭେମ୍ବର ୧୧ ତାରିଖ ଦିନ ୧୧ଟା ୧୧ ମିନିଟ୍‌ରେ ବାଲେଶ୍ବରର ଫକୀର ମୋହନ ମହାବିଦ୍ୟାଳୟ ପରିସରରେ ସାହିତ୍ୟଘରର ପ୍ରଥମ ଶାଖା ଉଦ୍‌ଘାଟିତ ହୋଇଥିଲା। ଓଡ଼ିଶାର ପ୍ରତି ବ୍ଳକ୍‌ ଓ ପୌରାଞ୍ଚଳ ତଥା ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳମାନଙ୍କରେ ଗୋଟିଏ ଗୋଟିଏ ସାହିତ୍ୟଘର ପ୍ରତିଷ୍ଠା କରି ଓଡ଼ିଆ ଭାଷା ସାହିତ୍ୟକୁ ଭଲପାଉଥିବା ବନ୍ଧୁମାନଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଥିଲା। ସୁଖର କଥା ଗତ ୧୧ ବର୍ଷ ମଧ୍ୟରେ ଏହି ଛୋଟିଆ ପ୍ରୟାସଟି ଆଜି ଏକ ଆନ୍ଦୋଳନର ରୂପ ନେଇଛି। ଓଡ଼ିଶା ଓ ଓଡ଼ିଶା ବାହାରେ ୩୫୮ରୁ ଅଧିକ ସାହିତ୍ୟଘର ପ୍ରତିଷ୍ଠା ହୋଇ ସାରିଥିବା ବେଳେ ୩୦ ହଜାରରୁ ଅଧିକ ସଭ୍ୟସଭ୍ୟା ପଞ୍ଜୀକୃତ ହୋଇଛନ୍ତି। ଏମାନେ ପ୍ରତିମାସ ସାହିତ୍ୟ ଆସର କରି ଓଡ଼ିଆ ସାହିତ୍ୟିକ ବନ୍ଧୁମାନଙ୍କ ପାଇଁ ଏକ ମିଳନପୀଠର କାର୍ଯ୍ୟ କରୁଛନ୍ତି। ସାହିତ୍ୟଘର ଗଳ୍ପ କବିତା ଆଦି ରଚନା କରି ତାହା ଆଲୋଚନା କରିବାରେ ସୀମିତ ରହିବା ଉଚିତ ନୁହେଁ। ସାହିତ୍ୟର ଲକ୍ଷ୍ୟ ଯଦି ସମୂହ ହିତ ହୁଏ ତେବେ ସମୂହ ହିତ ସାଧନରେ ଯେ କୌଣସି କାର୍ଯ୍ୟ କରିବା ପାଇଁ ସାହିତ୍ୟିକମାନେ ସଂକୋଚ କରିବା ଉଚିତ ନୁହେଁ। ଏହାଦ୍ବାରା ସାହିତ୍ୟ ପ୍ରତି ସାଧାରଣ ଜନତାଙ୍କ ଆଗ୍ରହ ବଢ଼ିବ। ସାହିତ୍ୟଘରର ବନ୍ଧୁମାନେ ବୃକ୍ଷରୋପଣ, କରୋନା ଚିକିତ୍ସା ପାଣ୍ଠିକୁ ଦାନ ସହିତ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମାଜସେବା ମୂଳକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିବା ସହିତ ସାହିତ୍ୟଘରର ଆଭିମୁଖ୍ୟର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ରକ୍ତଦାନ ଓ ଭାଷାଜ୍ଞାନ ପରୀକ୍ଷା କାର୍ଯ୍ୟକ୍ରମରେ ସହଯୋଗ କରୁଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଆନନ୍ଦିତ ଓ କୃତଜ୍ଞ।

ଖୋର୍ଦ୍ଧା ସାହିତ୍ୟଘରର ତା’ର ‌ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରୁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ୨୦୧୪ ମସିହାରେ ୩୦ ଜଣ ସଦସ୍ୟଙ୍କୁ ନେଇ ଏ ଶାଖାଟି ଗଠିତ ହୋଇଥିଲା। ମୋ ବିଚାରରେ ସାହିତ୍ୟଘରର ସଫଳତାର ମାପକାଠି ହେଉଛି ଏହାର କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତା ଓ ସମର୍ପଣ ଭାବ। ସାହିତ୍ୟଘର ଗଳ୍ପ କବିତା ଆଦି ରଚନା କରି ତାହା ଆଲୋଚନା କରିବାରେ ସୀମିତ ରହିବା ଉଚିତ ନୁହେଁ। ମୋର ବିଶ୍ବାସ କରୋନା ମହାମାରୀ ମୁକାବିଲା ପାଇଁ ଜାରି ହୋଇଥିବା କଟକଣା ଗୁଡ଼ିକ କୋହଳ ହୋଇଥିଲେ ମଧ୍ୟ ସଭ୍ୟସଭ୍ୟାମାନେ ସର୍ବାଧିକ ଯତ୍ନବାନ ହେବା ପାଇଁ ଚେଷ୍ଟା କରୁଥିବେ।
ଅନେକ ଅନେକ ଶୁଭେଚ୍ଛା ସହ,

କାଶତଣ୍ଡୀ
ନାରାୟଣ ଦାସ
କାଶତଣ୍ଡୀ ଆଜି
ଆସିଛି ଧରାକୁ
ଶରତର ଆହ୍ୱାନରେ
ନିର୍ଝର ପାର୍ଶ୍ବରେ
ପାହାଡ଼ ଖୋଲରେ
ନାଚୁଥାଏ କି ଭଙ୍ଗିରେ?
ଅମା ଅନ୍ଧକାରେ
ଲୁଚିଯାଏ ଚାନ୍ଦ
ପାଏ ନାହିଁ ତାକୁ ଖୋଜି
ପୂର୍ଣ୍ଣିମା ରାତ୍ରିକୁ
ଚାହିଁଥାଏ ବସି
ଜୋଛନାରେ ଯିବ ଭିଜି ।
କେହିତ କାହାକୁ
ନୁହଁଇତ ଉଣା
ଶଙ୍ଖ ମଲ ମଲ ପରି
ଦିଶୁଥାଏ ରୂପ
ତୁଳା ପରି ସ୍ୱଚ୍ଛ
ତା’ ସଙ୍ଗେ କୁହ କେ ସରି ?
-ନବୀନାବାଗ, ଖୋରଧା

ଡ଼ର
ଜ୍ୟୋତ୍ସ୍ନାରାଣୀ ମହାରଣା
କରୋନାରେ ଆକ୍ରାନ୍ତକାରୀ
ନପାଏ କାନ୍ଧ ବାଉଁଶ ସବାରୀ ।
ରୋଗ ଦୁରାଭାବ ସଂକଳ୍ପ ଅଭାବ
ମାଡ଼େ ସଂକ୍ରମଣ ମୃତ୍ୟୁର କାରଣ
ମୁଖେ ତୁଣ୍ଡିବନ୍ଧା ପଶୁଙ୍କ ପରି ।
ଗତ ଦୁଇବର୍ଷ ହତାଶ ବିନାଶ
ମୂଳ ଉତ୍ପାଟନ ଚେଷ୍ଟାରେ ବିଜ୍ଞାନ
ଓମିକ୍ରନ ଭାରିଆଂଟ ଲହରୀ ।
ତାଳପତ୍ର ପୋଥି କାଳବେଳତିଥି
ସଖା ପଞ୍ଚଜନ ନିର୍ଭୁଲ ବଚନ
ସତ୍ୟ ସନ୍ଧାନେ ଜାଗ୍ରତ ପ୍ରହରୀ ।
ଜେଜେଙ୍କ ଅମଳେ ବସନ୍ତ କବଳେ
ଚାଲେ ଫୁଙ୍କାଫୁଙ୍କି ହେଲେ ଝାଡ଼ାବାନ୍ତି
ଜଣାନ୍ତି ଗ୍ରାମ ଦେବୀଙ୍କୁ ଗୁହାରୀ ।
କର ହେ କାରଣ ନଦିଅ କଷଣ
ଓମିକ୍ରନ ଦୂର କୋଦଣ୍ଡ ପ୍ରହାର
ମୀନରୁ ମନୁଷ୍ୟ ସର୍ଜନାକାରୀ ।ା
-ସାମନ୍ତରାପୁର
ଖୋରଧା

ତହୁଁ ଅଧିକ କେ କହ
ଅନିରୁଦ୍ଧ ମହାନ୍ତି
ସତ୍ ଆଚରଣ, ଉଚ୍ଚାରଣ, ଚିନ୍ତା
ଯହିଁ ହୋଇଛନ୍ତି ମେଳ
ମୋହ ପାଇଁ ତାହା ପୁଣ୍ୟତୀର୍ଥ ଧାମ
ପବିତ୍ର ତ୍ରିବେଣୀ ସ୍ଥଳ ।
ତେମନ୍ତ ମହାନ ଆତ୍ମାଙ୍କ ଦର୍ଶନେ
ସାର୍ଥକ ହୋଇବ ପ୍ରାଣ
ତାଙ୍କରି ସ୍ପର୍ଶରେ କଳୁଷ ନାଶିରେ
ଲଭିପାରେ ବହୁ ପୁଣ୍ୟ ।
ସଦାଚାରୀ ସତ୍ ଉଚ୍ଚାରଣକାରୀ
ସଚ୍ଚିଦାନନ୍ଦ ବିଗ୍ରହ
ପରମ ପବିତ୍ର ଦିବ୍ୟ ଦ୍ୟୋତକ ସେ
ତହୁଁ ଅଧିକ କେ କହ?
– ଭୁବନେଶ୍ୱର

ନାନା ବାୟା ଗୀତ
କୈଳାସ ଚନ୍ଦ୍ର ପୃଷ୍ଟି
ଆମ୍ବ ଗଛରେ ତ ଧରିଛି କଷି,
ଜରରେ କଂପୁଛି ପୁଷି ମାଉସୀ ।
କାଶତଣ୍ଡୀରେ ତ ଭରା ସପନ,
ସାଧବ ବୋହୂରେ ନବ ଯୌବନ ।
ଗାଧୁଆ ତୁଠରେ କନକ ଗୋରୀ
ହଳଦୀ ମାଖୁଛି ମୁଖେ ସୁନ୍ଦରୀ ।
ଉପବନେ ଶୋଭେ କେତେ କୁସୁମ,
ଅମଣିଷ ଯା’ରେ ନାହିଁ ସରମ ।
ଶାନ୍ତ, ସରଳ ପକ୍ଷୀଟିଏ ତ ପେଚା,
କରମ କୋଢିଆର ହାତ ଯେ ମୋଚା।
ଦେହକୁ ହିତ ସେ ପ୍ରାତଃ ଭ୍ରମଣ
ଯଶସ୍ୱୀ ଲୋକର ନାହିଁ ମରଣ ।ା
-ନବୀନାବାଗ, ଖୋରଧା

ଛି’ରେ ଛେପ
ରାଜକିଶୋର ବଳିଆରସିଂହ
ରାସ୍ତାରେ ଛେପ ଦେଖିଲେ ଆମେ
ମୁହଁକୁ କରୁ ବଙ୍କା
ନିଜ ଜିଭରୁ ଛେପକୁ ନେଇ
ଗଣୁ କାଗଜ ଟଙ୍କା ।୧ା
କାଗଜ ବିଡ଼ା ଖାତା ଓ ବହି
ଛେପ ଲଗାଇ ଖୋଲୁ
ଏମିତି ଆମେ ରୋଗ ଜୀବାଣୁ
ଭୂତାଣୁ ବାଂଟି ଚାଲୁ ।୨ା
ଛି’ରେ ଛେପ ତୁ ଭାରି ଦୁର୍ଗନ୍ଧ
ବଡ଼ ଅସ୍ୱାସ୍ଥ୍ୟକର
ତୋତେ ମୋ ରାଣ ତୁ ଅମଙ୍ଗଳ
ଛୁଅଁନା ଟିପ ମୋର ।୩ା
ତୋ ମାନ ରଖି ଜଗତ ହିତେ
ଏ ଆଶୀର୍ବାଦ ମୋର
ପାଟିରେ ଜନ୍ମ ପାଟି ଭିତରେ
ମରଣ ହେଉ ତୋର ।୪ା
-ମଙ୍ଗଳାନଗର, ଖୋରଧା

ଭକ୍ତି ଅର୍ଘ୍ୟ
ଡ. ଶରତ୍‌ଚନ୍ଦ୍ର ମହାପାତ୍ର
ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ
ପଲ୍ଲୀକବି ରୂପେ ତୁମେ ଲଭିଛ ସମ୍ମାନ ।
କିନ୍ତୁ ଭାଷା ସାହିତ୍ୟର ବିଭିନ୍ନ କ୍ଷେତ୍ରରେ
କାର୍ଯ୍ୟ କରିଥିଲ ତୁମେ ସଫଳ ଭାବରେ ।
ଖଣ୍ଡକାବ୍ୟ, ଉପନ୍ୟାସ, ଶିଶୁଙ୍କ ସାହିତ୍ୟ
କ୍ଷୁଦ୍ରଗଳ୍ପ, ପ୍ରବନ୍ଧର ବଢାଇ ମହତ୍ୱ ।
ବିଶିଷ୍ଟ ଲେଖକ ରୂପେ ଲଭିଥିଲ ଖ୍ୟାତି
ସାରସ୍ୱତ ଜଗତରେ ସ୍ଥାପିଲ କୀରତି ।
ଗ୍ରାମନାମ କୁସୁପୁର ବିରୂପା କୂଳରେ
ଜନ୍ମ ଲାଭ କରିଥିଲ ସମ୍ଭ୍ରାନ୍ତ ବଂଶରେ ।
ସ୍ନେହମୟୀ ଜନନୀଙ୍କ କଟିଲା ବନ୍ଧନ
ପିଉସୀ ନାନୀଙ୍କ କୋଳ କରିଲ ମଣ୍ଡନ ।
ବିଚକ୍ଷଣ ଥିଲ ତୁମେ ଛାତ୍ର ଜୀବନରେ
ବୃତିଲାଭ କରିଥିଲ ପ୍ରତି ପରୀକ୍ଷାରେ ।
ଗୁରୁ ଆଶୀର୍ବାଦ ଲଭି ରଚିଲ କବିତା
କି ସୁନ୍ଦର କି ମଧୁର ମାନସ ସମ୍ଭୂତା ।
ତା ରୂପ ସମ୍ଭାର ପ୍ରାଣ କରେ ପୁଲକିତ
ତା ଯୋଗୁ ହୋଇଲ ତୁମେ ଉତ୍କଳେ ବିଖ୍ୟାତ ।
ଶିକ୍ଷକ ଅଥବା ପରିଦର୍ଶକ ଭାବରେ
ଲଭିଲ ଅଶେଷ ଖ୍ୟାତି ଶିକ୍ଷା ଜଗତରେ ।
ତୁମର ଆଦର୍ଶ ନିଷ୍ଠା ଜନ-ପ୍ରଶଂସିତ
କ୍ଷୁଦ୍ର ଜୀବନ ତୁମର ଯଶ ବିମଣ୍ଡିତ ।
ହେ କବି, ସ୍ତୃତିକୁ ତୁମ ଜଣାଏ ପ୍ରଣତି
ଢାଳୁଛି ପୟରେ ତୁମ ମୋ ହୃଦ ଭକତି।ା
-ମଙ୍ଗଳାନଗର, ଲେନ୍‌-୫, ଖୋରଧା

ଶିବ କାହିଁକି ଶ୍ମଶାନବାସୀ, ଗୋବିନ୍ଦ ଚନ୍ଦ୍ର ମହାରଣା

ଗୁରୁ ନିଜର ଶିଷ୍ୟମାନଙ୍କୁ ଶଙ୍କର ଭଗବାନଙ୍କ ମହିମା ବିଷୟରେ ବୁଝାଉଥିଲେ। ଜଣେ ଶିଷ୍ୟ କୌତୁହଳବଶତଃ ପଚାରିଲେ, ଗୁରୁଦେବ-ଆମ୍ଭମାନଙ୍କ ମନରେ ସନ୍ଦେହଟିଏ ଅଛି। ମହାଦେବ ଶ୍ମଶାନରେ ବାସ କରନ୍ତି କାହିଁକି ଓ ଶ୍ମଶାନର ଭସ୍ମ ଶରୀରରେ ବୋଳି ହୁଅନ୍ତି କାହିଁକି? ମୁଖମଣ୍ଡଳରେ ସ୍ମିତ ହାସ୍ୟ ରେଖା ଖେଳାଇ ଗୁରୁ କହିଲେ ମନଧ୍ୟାନ ଦେଇ ଶୁଣ। ରାମନାମ ହେଉଛି ଶିବଙ୍କର ଅତି ପ୍ରିୟ। ସେ ମାସ ମାସ ଓ ବର୍ଷ ବର୍ଷ ଧରି ରାମ ନାମ ଜପୁଥାନ୍ତି। ଦିନେ ସେ ଦେଖିଲେ ଦଳେ ଲୋକ କୋକେଇରେ ଶବଟିଏ କାନ୍ଧେଇ ‘ରାମନାମ ସତ୍ୟ ହେ’ ଉଚ୍ଚାରଣ କରି ଯାଉଛନ୍ତି। ଶିବ ନିଜର ପ୍ରିୟ ରାମନାମ ଶୁଣି ଅତ୍ୟନ୍ତ ଖୁସିରେ ସେମାନଙ୍କର ଅନୁଗମନ କରି ଶ୍ମଶାନରେ ପହଂଚିଗଲେ। ଶବଦାହ ସାରି ଲୋକମାନେ ଫେରିଗଲେ କିନ୍ତୁ ମହାଦେବ ସେଇଠି ଅଟକି ଗଲେ। ପ୍ରତ୍ୟହ ରାମନାମରେ ଶ୍ମଶାନ ମୁଖରିତ ହେଉଥିବାରୁ ସେ ଚିନ୍ତା କଲେ ଏହାଠାରୁ ବଳି ପବିତ୍ର ସ୍ଥାନ ବୋଧହୁଏ ଆଉ କେଉଁଠି ନାହିଁ କାରଣ ଚତୁର୍ଦ୍ଦିଗରୁ ରାମନାମ ଆସି ଏଇଠି ଜମା ହେଉଛି। ତେଣୁ ସେ ସେଠାରେ ନିଜର ଆସ୍ଥାନ ଜମାଇ ବାସ କଲେ। ଶଙ୍କର ଭଗବାନ ପୁନଶ୍ଚ ଭାବିଲେ ଏତେ ରାମନାମ ଏଠାକୁ ଆସୁଛି, ହଜିଯାଉଛି କେଉଁଠି? ଶେଷରେ ସ୍ଥିର କଲେ ରାମନାମ ଗୁଡ଼ିକ ପରିଶେଷରେ ଶ୍ମଶାନର ଭସ୍ମରେ ପରିଣତ ହୋଇଯାଉଛି। ଅତଏବ ଏ ଭସ୍ମ ରାମନାମର ପ୍ରତୀକ ଏବଂ ଅତି ପବିତ୍ର। ତେଣୁ ସେ ନିର୍ବିକାର ଭାବେ ଶ୍ମଶାନର ଭସ୍ମକୁ ଶରୀରରେ ଲେପନ କରି ମହାନନ୍ଦ ଲାଭ କଲେ। ଗୁରୁଙ୍କ ବ୍ୟାଖ୍ୟାନ ଶୁଣି ଶିଷ୍ୟ ମାନଙ୍କର ସନ୍ଦେହ ଦୂର ହୋଇଗଲା।
-ସମ୍ପାଦକ, ସମ୍ବାଦ ସାହିତ୍ୟ ଘର

ସମ୍ବନ୍ଧିତ ଖବର