ଭୁବନେଶ୍ବର: ମୁଦ୍ରଣ ଶିଳ୍ପର ବିକାଶ ପରଠାରୁ ସାହିତ୍ୟ ଧୀରେ ଧୀରେ ସାମାଜିକ ଅନୁଷ୍ଠାନ ଭାବେ ନରହି ବ୍ୟକ୍ତିଗତ ରୁଚି ଭାବରେ ପରିଣତ ହୋଇଛି। ପିଲାଦିନେ ପାଲା, ଯାତ୍ରା, ଦାଶକାଠିଆରୁ ମିଳୁଥିବା ସାହିତ୍ୟର ଅନୁଭବ କୋଠରୀ ଭିତରକୁ ଚାଲି ଯାଉଛି। ‘ସାହିତ୍ୟପକ୍ଷ’ର ଆୟୋଜନ ପୁଣି ଥରେ ସାହିତ୍ୟକୁ ସାମୁହିକ ଜୀବନର ଏକ ଅଭିନ୍ନ ଅଂଶ ଭାବେ ଫେରାଇ ଆଣିବ। ସାହିତ୍ୟ ଆଉ ଥରେ ଉଦ୍‌ଜୀବିତ ହେବ। ସାହିତ୍ୟ ବ୍ୟକ୍ତି କୈନ୍ଦ୍ରିକ ଆମୋଦ ହୋଇରହିବ ନାହିଁ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ସାହିତ୍ୟପକ୍ଷ’ ପୁଣି ଥରେ ସଞ୍ଜୀବନୀ ବୁଟି ଭଳି ସାହିତ୍ୟ ପାଇଁ କାମ କରିବ। ଗୁରୁବାର ‘ଆମ ଓଡ଼ିଶା’ କାର୍ଯ୍ୟ‌ାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ଷଷ୍ଠ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ।

Advertisment

ଷଷ୍ଠ ସନ୍ଧ୍ୟାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଖ୍ୟାତ ସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ‘ଅନୁବାଦ ସାହିତ୍ୟ ମଞ୍ଚ’ ଉତ୍ସର୍ଗ କରାଯାଇଥିଲା। ପ୍ରଥମେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଅତିଥିଙ୍କୁ ସ୍ବାଗତ କରି କହିଲେ, ଏବେ ସବୁ ମଞ୍ଚକୁ ରାଜନୀତି ଲୋକମାନେ କବ୍‌ଜା କରି ରଖିଛନ୍ତି। ତେଣୁ ଓଡ଼ିଶାରେ ଗୋଟେ ମଞ୍ଚ ଉଦ୍ଧାର କାର୍ଯ୍ୟକ୍ରମର ଆବଶ୍ୟକତା ଅଛି। ପ୍ରତିଦିନ ଗୋଟିଏ ବିଷୟ ଓ  ଜଣେ ବ୍ୟକ୍ତିଙ୍କ ପ୍ରତି ମଞ୍ଚ ଉତ୍ସର୍ଗ କରି ‘ସମ୍ବାଦ’ ଏହି ଅଭିଯାନ ଆରମ୍ଭ କରିଛି। ଅନୁବାଦ ସାହିତ୍ୟ କ୍ଷେତ୍ରରେ ଜାନକୀ ବଲ୍ଲଭଙ୍କ ବଡ଼ ଅବଦାନ ରହିଛି। ‘ରାମାୟଣ’, ‘ମହାଭାରତ’ ଓ ‘ଭାଗବତ’ର ଗଦ୍ୟାନୁବାଦ କରି ଅନୁବାଦ ସାହିତ୍ୟ କ୍ଷେତ୍ରରେ ସେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଭାଷା ଦୁର୍ବଳ ହେଲେ କିମ୍ବା ଭାବର ଅଭାବ ଦେଖା ଦେଲେ ଉଭୟ ଭାଷା ଓ ଭାବ ସଙ୍କଟାପନ୍ନ ହୁଅନ୍ତି। ଭାଷାର ସୀମା ଅଛି। କିନ୍ତୁ ଭାବର କୌଣସି ସୀମା ନାହିଁ। ସୀମିତ ଲୋକ କହୁଥିବା ଭାଷା ମାଧ୍ୟମରେ ଯେଉଁ ସାହିତ୍ୟ ସୃଷ୍ଟି ହେଉଛି, ସେଥିରେ ଅସୀମିତ ଭାବର ପ୍ରତିଫଳନ ହେବାକୁ ହେଲେ ଅନୁବାଦ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଷଷ୍ଠ ସନ୍ଧ୍ୟାର ‘ଅନୁବାଦ ସାହିତ୍ୟ’ ମଞ୍ଚ  ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଉତ୍ସର୍ଗ

ଓଡ଼ିଶାରେ ମଞ୍ଚ ପୁନରୁଦ୍ଧାରର ଆବଶ୍ୟକତା ଅଛି: ସୌମ୍ୟରଂଜନ

scsxxcxc

ପ୍ରଥମ ଅଧିବେଶନ ‘ଆଳାପ’ରେ ବିଶିଷ୍ଟ ଅନୁବ‌ାଦକ ହିମାଂଶୁ ମହାପାତ୍ର ଓ ସୂର୍ଯ୍ୟ ମିଶ୍ର ଅନୁବାଦକୁ ନେଇ ଆଲୋଚନା କରିଥିଲେ। ଶ୍ରୀ ମହାପାତ୍ର କହିଲେ, ପାଠକଙ୍କ ପାଖରେ ଆଦୃତ ହୋଇନଥିବା ଉପନ୍ୟାସକୁ ମୁଁ ଅନୁବ‌ାଦ କରିଛି। ଯାହା ପାଠକଙ୍କ ପାଖରେ ପହଞ୍ଚି ପାରିବ। ଅନୁବାଦ ସାହିତ୍ୟ ପାଇଁ ଓଡ଼ିଶାରେ ତାଲିମ ଓ ଶିକ୍ଷା ଦିଆଯାଉନାହିଁ। ଓଡ଼ିଶାରେ ସରକାରୀ ପ୍ରୋତ୍ସାହନ ସହ ଅନୁବାଦ ସାହିତ୍ୟର ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ଶ୍ରୀ ମିଶ୍ର କହିଲେ, ଅନୁବ‌ାଦ ସାହିତ୍ୟ ଜୀବନ ଧାରଣର ଅଙ୍ଗ ପାଲଟିଛି। କିନ୍ତୁ ଅନୁବଦାକୁ ନେଇ ଓଡ଼ିଶାରେ ଡାଟାବେସ୍‌ ନାହିଁ। ସରକାରୀ ସ୍ତରରେ ଅନୁବାଦ ଏକାଡେମୀ ଗଢ଼ା ହେଉନାହିଁ। 

ପୁରୀର ମାଲପୁଆ-ଡାଲମା...
ଓଡ଼ିଆ ଖାଦ୍ୟର ମହକରେ ମହମହ ବାସୁଛି ‘ଆମ ଓଡ଼ିଶା’ କାର୍ଯ୍ୟାଳୟ। ଆସରରେ ଆଜି ଲେମ୍ବୁ ପାଣି ଶୋଷ ମେଣ୍ଟାଉ ମେଣ୍ଟାଉ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା ପୁରୀର ପ୍ରସିଦ୍ଧ ମାଲପୁଆ ଓ ଡାଲମା। ଯାହାର ସ୍ବାଦ ଦର୍ଶକଙ୍କ ମନରେ ଆନନ୍ଦ ଭରିଥିଲା। ପୂର୍ବଦିନମାନଙ୍କରେ ପୋଡ଼ପିଠା ସହ ସୁଆଦିଆ ପଣସ କଠା ଓ ଆଳୁ କସା, ବିରି ବରା ଓ ଡାଲମା ଏବଂ ହଦିବରା ଓ ଆଳୁଦମ୍‌କୁ ଭରପୂର ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ।

ବିଶିଷ୍ଟ ଅନୁବାଦକ ଶରତ ଆଚାର୍ଯ୍ୟଙ୍କ ସଂଚାଳନରେ ‘ଆଲୋଚନା ଅଧିବେଶନ’ ଅନୁଷ୍ଠିତ ହୋଇଥିଲା। ‘ଅନୁବାଦରେ ଅନୁସୃଜନ’ ବିଷୟ ଉପରେ ମତ ରଖି ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦ କହିଲେ, ଅନୁବାଦ ଓ ଅନୁସୃଜନ ଭିନ୍ନ ପ୍ରକାରର। ଭାବକୁ ଯଦି ଅନ୍ୟ ଭାଷାରେ ପ୍ରକାଶ କରାଯାଏ ତାକୁ ଅନୁବ‌ାଦ କୁହାଯାଏ। ସାହିତ୍ୟକୁ ଯଦି ଅନ୍ୟ ଭାଷାରେ ପ୍ରକାଶ କରାଯାଏ ତାକୁ ଅନୁସୃଜନ କୁହାଯାଏ। ଜଣେ ଲେଖକ ନହେଲେ କେବଳ ଦୁଇଟି ଭାଷା ଜାଣିଥିବା ଲୋକ ଭଲ ଅନୁବାଦ କରିପାରିବ ନାହିଁ। ଅନୁବାଦକ ବିଜୟ ପ୍ରଧାନ କହିଲେ, ସ୍କୁଲ୍‌ରେ ପଢ଼ିବା ଦିନରୁ ଅନୁବ‌ାଦ କରିବା ଆରମ୍ଭ କରିଥିଲି। ମୂଳ ଲେଖାର ଭାବ ଓ ଭାଷାକୁ ଅନୁଧ୍ୟାନ କରି ଭାବକୁ ଅକ୍ଷୁଣ୍ଣ ରଖି ଆକ୍ଷରିକ ଅନୁବ‌ାଦକୁ ପ୍ରାଧାନ୍ୟ ‌ଦେଇଥିବା ସେ କହିଥିଲେ। ବିଶିଷ୍ଟ ଅନୁବାଦକ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ ଅନ୍ୟ ଭାଷାର କଥା ଜାଣିବାର ତୀବ୍ର ଇଚ୍ଛା ଅନୁବାଦ କରିବା ଦିଗରେ ପ୍ରେରଣା ‌ଦେଇଥିଲା ବୋଲି କହିଥିଲେ। ସେହିପରି ବିଶିଷ୍ଟ ଅନୁବାଦକ କ୍ଷୀରୋଦ ପରିଡ଼ା, ପ୍ରବାସିନୀ ମହାକୁଡ଼ ଓ ଜୟଶ୍ରୀ ଦୋରା ‘ଅନୁଭୂତି’ ବଖାଣିଥିଲେ। 
ସନ୍ଧ୍ୟାକୁ ରୋମାଞ୍ଚିତ କରିଥିଲା ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ସଙ୍ଗୀତ ପରିବେଷଣ। ନୃତ୍ୟଶିଳ୍ପୀ ନାରାୟଣ ପାଣ୍ଡେ ଓ ଶିଳ୍ପୀଗଣଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିଭୋର କରିଥିଲା। ଆଜି ସାହିତ୍ୟାନୁଷ୍ଠାନ ‘କଳିଙ୍ଗ ଭାରତୀ’ ପକ୍ଷରୁ ଶୈଳେଶ୍ବର ନନ୍ଦ ଏବଂ ‘ଜଗନ୍ନାଥ ରଥ ପ୍ରକାଶନ’ ପକ୍ଷରୁ ଶୁଭେନ୍ଦୁ ଶେଖର ରଥଙ୍କୁ ସମ୍ମାନିତ କରାଯାଇଥିଲା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ‘କନକ ନ୍ୟୁଜ୍‌’ର ସିଇଓ ରତିକାନ୍ତ ଶତପଥୀ, ସାହିତ୍ୟିକ ଦାଶ ବେନହୁର, ଅଧ୍ୟାପକ ବିଶ୍ବରଂଜନ ଅତିଥିଙ୍କୁ ସମ୍ମାନିତ କରିଥିଲେ। ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ। ଆର୍‌ଜେ ଅନିଲ୍‌ ପ୍ର‌ଶ୍ନ-ଉତ୍ତର ପରିଚାଳନା କରିଥିଲେ ଓ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ସପ୍ତମ ଦିନର ବିଷୟ ରହିଛି ‘ସମାଲୋଚନା ଓ ପ୍ରବନ୍ଧ ସାହିତ୍ୟ’।