ଭୁବନେଶ୍ୱର: ସନ୍ଧ୍ୟା ଠିକ୍ ୬ଟା । 'ସମ୍ବାଦ ସାହିତ୍ୟ ପକ୍ଷ' ମଞ୍ଚରେ ଖୋଲିଲା ଗପର ପେଡ଼ି। ଜମିଲା ଗପର ଆସର। ଖାଲି ଶ୍ରୋତା ନୁହେଁ ଗଛମାନେ ହେଲେ ଗପମନସ୍କ। ବସନ୍ତର ସଞ୍ଜୁଆ ପବନ ବି ଘଡ଼ିଏ ଅଟକିଯାଇ ଶୁଣିଲା ଗପ । 'ସମ୍ବାଦ ସାହିତ୍ୟ ପକ୍ଷ' ଦ୍ବିତୀୟ ସଂସ୍କରଣର ଷଷ୍ଠ ଦିବସର ପ୍ରସଙ୍ଗ ‘ଗଳ୍ପ ସାହିତ୍ୟ’ ଥିବାବେଳେ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ ଆଜିର ମଞ୍ଚ ସମର୍ପିତ ହୋଇଥିଲା । ଆଭାସୀ ଆଶୀର୍ବଚନ ଦେଇ ବିଶିଷ୍ଟ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି 'ସମ୍ବାଦ ସାହିତ୍ୟ ପକ୍ଷ' ପରି ନିଆରା ଉତ୍ସବକୁ ଦୀର୍ଘଜୀବୀ ହେବାର ଆଶୀର୍ବାଦ କରିଥିଲେ । ସେ କହିଥିଲେ, ସାହିତ୍ୟ ହିଁ ଜୀବନର ସନ୍ତୁଳନ ରକ୍ଷା କରିଥାଏ ।

Advertisment

'ପୁରୁଷ କଥାକାର ବନାମ ନାରୀ କଥାକାର' ପ୍ରସଙ୍ଗରେ କଥାଶିଳ୍ପୀ ଗୋଲାପ ମଞ୍ଜରୀ କରଙ୍କ ସହ ଆଳାପ କରିଥିଲେ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ । ଏଥିରେ ସୃଜନର କୌଣସି ଲିଙ୍ଗଗତ ଭେଦଭାବ ନଥାଏ ବୋଲି ମତ ପ୍ରକାଶ ପାଇଥିଲା ।

ଆଲୋଚନା ଅଧିବେଶନରେ 'ସାଂପ୍ରତିକ ସମୟକୁ ପ୍ରତିଫଳିତ କରିବାରେ ଓଡ଼ିଆ ଗଳ୍ପ କେତେ ସଫଳ?' ପ୍ରସଙ୍ଗରେ ଅତିଥି ଆଲୋଚକ ମୋନାଲିସା ମିଶ୍ର, ବିରଜା ରାଉତରାୟ ଓ ଆଭାସ ବରାଳ ଅଂଶଗ୍ରହଣ କରିଥିଲେ । ସଂଯୋଜନା କରିଥିଲେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର । ଶବ୍ଦର ଝଙ୍କାରରେ ଜୀବନ୍ତ ହୋଇଥିଲା ଗଳ୍ପ ସଞ୍ଜର ଆବୃତ୍ତି ଅଧିବେଶନ । କବି ଦୁର୍ଗାଚରଣ ଷଡ଼ଙ୍ଗୀ, କବି ମହାଦେବ ପ୍ରଧାନ ଓ ଗାଳ୍ପିକା ରଶ୍ମି ସାମଲ ଏଥିରେ ସାମିଲ ଥିଲେ ।

ମଞ୍ଚରେ ମହାନ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ 'ସାରିପୁତ୍ତ'ର କ୍ଷୁଦ୍ର ନାଟ୍ୟରୂପ ମନ ମୋହିଥିଲା । ନାଟ୍ୟ ରୂପାନ୍ତର କରିଥିଲେ ସଂଗ୍ରାମ ମିଶ୍ର, ନିର୍ଦ୍ଦେଶନା ଦେଇଥିଲେ ବିପ୍ରଞ୍ଜୟ ନାୟକ । ଏଥିରେ ଲଳିତ ମୋହନ ପଣ୍ଡା, ମନିଷା, ଉମାକାନ୍ତ, ସୁନିଲ୍, ସାଇଅଂଶ ଅଭିନୟ କରିଥିଲେ । ଆଜି ‘ଗୋଧୂଳି ସାହିତ୍ୟ ସଂସଦ’ ତଥା ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । 

ଗଳ୍ପ ସାହିତ୍ୟ ଉପରେ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମକୁ ଆଗେଇ ନେଇଥିଲେ ଏବଂ ମଞ୍ଚ ସଂଯୋଜନାର ଭାର ସମ୍ଭାଳିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ରାମକୃଷ୍ଣ ବାରିକ । ଷଷ୍ଠ ସନ୍ଧ୍ୟାରେ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଲେଖକ ସାମିଲ ଥିଲେ । ଆଜି ଓଡ଼ିଆ ପାରମ୍ପରିକ ଖାଦ୍ୟ ମାଲପୁଆ-ଡାଲମା ଅତିଥି ଓ ଦର୍ଶକଙ୍କୁ ପରଷା ଯାଇଥିଲା ।

ବହିପ୍ରେମୀଙ୍କ ଭିଡ଼...

'ସମ୍ବାଦ ସାହିତ୍ୟ ପକ୍ଷ' ମଞ୍ଚ ନିକଟରେ ଖୋଲିଥିବା 'ଆମ ଓଡ଼ିଶା' ବହି ଷ୍ଟଲ୍ ରେ ଦେଖିବାକୁ ମିଳିଛି ପୁସ୍ତକପ୍ରେମୀଙ୍କ ଭିଡ଼ । ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢି ଯାଏଁ ବହି କିଣିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି । ଗଳ୍ପ ପୁସ୍ତକ, ଓଡ଼ିଶାର ଇତିହାସ ସମ୍ପର୍କିତ ବହିର ବହୁତ ଚାହିଦା ଦେଖିବାକୁ ମିଳୁଛି ।