ଭୁବନେଶ୍ବର: ଗୋଟିଏ ଜାତି କେତେ ସମୃଦ୍ଧ ଓ ଗୌରବଶାଳୀ ତାହା ରଙ୍ଗମଞ୍ଚରୁ ବାରି ହୋଇପଡ଼େ। ସମ୍ବାଦପତ୍ର ଭଳି ରଙ୍ଗମଞ୍ଚ ମଧ୍ୟ ଜନଜୀବନର କଥାକୁ ପ୍ରଦର୍ଶିତ କରେ। ସେଥିପାଇଁ ବୋଧହୁଏ ‘ସମ୍ବାଦ’ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ‘ସମ୍ବାଦ ସାହିତ୍ୟପକ୍ଷ’ ପାଳନ କରାଯାଉଛି। ବୁଧବାର ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ପଞ୍ଚମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ପ୍ରଖ୍ୟାତ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ପଞ୍ଚମ ସନ୍ଧ୍ୟାରେ ଓଡ଼ିଆ ନାଟ୍ୟ ଜଗତର ମହାନ ଗୁରୁ ଗଣକବି ବୈଷ୍ଣବ ପାଣିଙ୍କୁ ‘ନାଟକର ନବରସ ମଞ୍ଚ’ ଉତ୍ସର୍ଗ କରାଯାଇଥିଲା। ପ୍ରଥମ ଅଧିବେଶନ ‘ନାଟକର ସମ୍ପର୍କ ସିନେମାରେ ଶିଥିଳ ହେଉଛି କି’ ବିଷୟରେ ‘ଆଳାପ’ ଆଲୋଚନା ହୋଇଥିଲା। ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ କୁନା ତ୍ରିପାଠୀ ଏଥିରେ ଯୋଗ ଦେଇ କହିଲେ, ଓଡ଼ିଶାରେ ଅଧିକାଂଶ ସିନେମା ନାଟକରୁ ହୋଇଛି। ଗୋଟିଏ ସମୟରେ ଓଡ଼ିଶାରେ ଲେଖା ହେଉଥିବା ଉପନ୍ୟାସରୁ ନାଟକ ଏବଂ ନାଟକରୁ ସିନେମା ହେଉଥିଲା। ସେଥିରେ ଓଡ଼ିଆ ମାଟିର ବାସ୍ନା ରହୁଥିଲା। କିନ୍ତୁ ଦକ୍ଷିଣୀ ସଂସ୍କୃତିକୁ ଦର୍ଶକଙ୍କ ଉପରେ ଲଦି ଦିଆଯିବାରୁ ଆଉ ସିନେମା ଚାଲିଲା ନାହିଁ। ଏବେ ସମୟ ବଦଳିଛି। ଓଡ଼ିଆ ନାଟକ ଓ ସିନେମାକୁ ଦର୍ଶକ ଆଦର କରୁଛନ୍ତି। ତେବେ ନାଟକରୁ ସିନେମା ଏବଂ ସିନେମାରୁ ନାଟକ ହେବାର ପ୍ରକ୍ରିୟା ଜାରି ରହିବା ଉଚିତ।
‘ନାଟକର ନବରସ’ ପ୍ରସଙ୍ଗ ‘ଆଲୋଚନା’କୁ ସଂଚାଳନ କରିଥିଲେ ନାଟ୍ୟ ନିର୍ଦ୍ଦେଶକ ସୀମନ୍ତ ମହାନ୍ତି। ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ କହିଲେ, ଏବେ ନାଟକରେ ହାସ୍ୟ, କରୁଣ, ରୁଦ୍ର ଓ ଶୃଙ୍ଗାର ଏହି ୪ଟି ମୁଖ୍ୟ ରସ ବ୍ୟବହାର ହେଉଛି। ଆବଶ୍ୟକ ସ୍ଥଳେ ନାଟ୍ୟକାରଙ୍କ ଅନୁମତି ନେଇ ନିର୍ଦ୍ଦେଶକ ନାଟକରେ ଆଉ କିଛି ରସ ଯୋଡ଼ିବାକୁ ଚେଷ୍ଟା କରେ। ନାଟ୍ୟକାର ଶଙ୍କର ତ୍ରିପାଠୀ କହିଲେ, ସବୁ ନାଟକରେ ନବରସ ପ୍ରୟୋଗ ସମ୍ଭବ ନୁହେଁ। ନାଟକରେ ନବରସ ପ୍ରୟୋଗ କରିବାକୁ ନାଟକ ଲେଖାଯାଏ ନାହିଁ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। କାହାଣୀର ଆବଶ୍ୟକତାକୁ ଦେଖି ନବରସ ପ୍ରୟୋଗ ହୁଏ। ନାଟ୍ୟ ନିର୍ଦ୍ଦେଶକ ନାରାୟଣ ସାହୁ ନିଜର ମତ ରଖି କହିଲେ, ଗଣକବି ବୈଷ୍ଣବ ପାଣି ନାଟକରେ ନବରସ ପ୍ରୟୋଗ କରୁଥିଲେ। କିନ୍ତୁ ଏବେ ସବୁ ନାଟକରେ ନବରସ ପ୍ରୟୋଗ କରାଯାଇ ପାରୁନାହିଁ। ମଞ୍ଚ ସଂଯୋଜନା କରୁଥିବା ଶ୍ରୀନିବାସ ଘଟୁଆରୀ ନାଟକର ନବରସକୁ ବିଭିନ୍ନ ଅଙ୍ଗଭଙ୍ଗୀରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରି କରତାଳି ସାଉଁଟିଥିଲେ।
ଗୋଟିଏ ଜାତି ତା’ର ରଙ୍ଗମଞ୍ଚ ଦ୍ବାରା ପରିଚିତି ପାଏ: ଅନନ୍ତ ମହାପାତ୍ର
ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ନାଟକର ବଡ଼ ଭୂମିକା ରହିଛି
ମଞ୍ଚସ୍ଥ ହେଲା କ୍ଷୁଦ୍ରନାଟକ ବାବାଜୀ ଓ ଘୂର୍ଣ୍ଣି
‘ଅଭିଯୁକ୍ତି’ ଅଧିବେଶନରେ ମଞ୍ଚ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନିବେଦିତା ଜେନା ‘ନାଟକରେ ଚିକିତ୍ସା ତତ୍ତ୍ବ’ ପ୍ରସଙ୍ଗରେ କହିଲେ, କରୋନା ପରେ ମାନସିକ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ମାନସିକ ସୁସ୍ଥତା ଚିକିତ୍ସା ପାଇଁ ଥରକେ ୩ରୁ ୪ ହଜାର ଖର୍ଚ୍ଚ ହେଉଛି। ହେଲେ ନାଟକ ମାଗଣାରେ ମାନସିକ ସୁସ୍ଥତା ଦେଇଥାଏ। ନାଟକ ହିଁ ଦର୍ଶକଙ୍କୁ ମାନସିକ ସୁସ୍ଥ ରଖିବାରେ ସହାୟ ହୁଏ। ‘ନାଟୁଆର ନିଆରା ଅନୁଭୂତି’ ବଖାଣି ନାଟ୍ୟ ନିର୍ଦ୍ଦେଶକ ଶିବଶଙ୍କର ତ୍ରିପାଠୀ ପିଲାଦିନେ ବାପାଙ୍କ ସହ ପ୍ରଥମ ନାଟକ ଦେଖିବାଠାରୁ ଆରମ୍ଭ କରି ବର୍ତ୍ତମାନର ମଞ୍ଚ ନାଟକ ପରିବେଷଣର ନିଆରା ଅନୁଭୂତି ବର୍ଣ୍ଣନା କରିଥିଲେ। ଅଭିନେତା ତଥା ନିର୍ଦ୍ଦେଶକ ଦେବଦତ୍ତ ପତି କହିଲେ, ଜୀବନର କଥା କୁହେ ନାଟକ। ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ନାଟକର ବଡ଼ ଭୂମିକା ରହିଛି। କିନ୍ତୁ ନିୟମିତ ନାଟକ ପରିବେଷଣ କରିବାକୁ ପ୍ରେକ୍ଷାଳୟ ନାହିଁ। ସରକାରୀ କିମ୍ବା ବେସରକାରୀସ୍ତରରେ ପ୍ରୋତ୍ସାହନ ମିଳୁନାହିଁ। ଗଣମାଧ୍ୟମରେ ନାଟକ ଖବରକୁ ପଛକୁ ରଖାଯାଉଛି। ଯାହା ନାଟୁଆଙ୍କୁ ଯନ୍ତ୍ରଣା ଦେଉଛି।
ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କ୍ଷୁଦ୍ରନାଟକ ପରିବେଷଣ। ପ୍ରଥମେ ଜଗନମୋହନ ଲାଲାଙ୍କ ରଚିତ ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ଏବଂ ପରେ କୌଳାସ ଶତପଥୀଙ୍କ ‘ଘୂର୍ଣ୍ଣି’ ମଞ୍ଚସ୍ଥ ହୋଇଥିଲା। ଦୁଇ ନାଟକକୁ ଦେବାନନ୍ଦ ସୋନି ନିର୍ଦ୍ଦେଶନା ଦେଇଥିବା ବେଳେ ବିରଞ୍ଚି ଦାସ, ଉପେନ୍ଦ୍ର ପତି, ସତ୍ୟ, ଶମ୍ଭୁ ହୋତା, ଦେବାନନ୍ଦ ସୋନି, ଲଲିତମୋହନ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ। ସୌମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ ପ୍ରଚ୍ଛଦପଟ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଅବସରରେ ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ‘ବିଦ୍ୟାପୁରୀ’ କଟକର ଜୀବାନନ୍ଦ ମିଶ୍ର ଏବଂ ପୁରାତନ ସାହିତ୍ୟ ସଂଗଠନ ‘ଫକୀରମୋହନ ସାହିତ୍ୟ ପରିଷଦ’, ବାଲେଶ୍ୱରର ସଂପାଦକ ରତ୍ନାକର ସିଂହଙ୍କୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଏବଂ ଅନନ୍ତ ମହାପାତ୍ର ସମ୍ମାନିତ କରିଥିଲେ। ଅନ୍ୟ ଅତିଥିମାନଙ୍କୁ ‘କନକ ନ୍ୟୁଜ୍’ର ସିଇଓ ରତିକାନ୍ତ ଶତପଥୀ ଓ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟିକ ଅକ୍ଷୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ଆର୍ଜେ ଅନିଲ୍ ଆକର୍ଷଣୀୟ ପ୍ରଶ୍ନ-ଉତ୍ତର ପରିଚାଳନା କରିଥିବାବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଷଷ୍ଠ ଦିନର ବିଷୟ ରହିଛି ‘ଅନୁବାଦ ସାହିତ୍ୟ’। ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ତିନି ପିଢ଼ିର ଅନୁବାଦକମାନେ ଅଂଶଗ୍ରହଣ କରିବେ।