ଭୁବନେଶ୍ବର: ‘ସମ୍ବାଦ’ ଆୟୋଜିତ ୧୫ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ‘ସମ୍ବାଦ ସାହିତ୍ୟପକ୍ଷ’ ଆଜି ଉଦ୍ଘାଟିତ ହୋଇଛି। ଭୁବନେଶ୍ବରସ୍ଥିତ ‘ଆମ ଓଡ଼ିଶା କାର୍ଯ୍ୟାଳୟ’ ପରିସରରେ ଆୟୋଜିତ ଏହି ସମାରୋହରେ ଆଜି ସାରା ଓଡ଼ିଶାରୁ ଆସିଥିବା ବିଭିନ୍ନ ପିଢ଼ି ଓ ବିଭାଗର ଲେଖକ, ଲେଖିକାମାନଙ୍କର ଏକ ଭବ୍ୟ ମିଳନ ଘଟିଥିଲା। ପ୍ରଥମ ଦିନ ଅନୁଷ୍ଠିତ ହୋଇଥିବା ‘କବି ଓ କବିତା’ କାର୍ଯ୍ୟକ୍ରମର ମଞ୍ଚକୁ ମାଟିର ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଉତ୍ସର୍ଗ କରାଯାଇଥିଲା। ଅଭିନବ ଶୈଳୀରେ ଗଛରେ ଜଳଦାନ କରି ଆଜିର ଆଲୋଚନାକୁ ଉଦ୍ଘାଟନ କରି ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ, ‘ସମ୍ବାଦ’ ସବୁବେଳେ ଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ବିଭିନ୍ନ ଭାବରେ ସଂପୃକ୍ତ ରହିଆସିଛି। ‘ସମ୍ବାଦ ସାହିତ୍ୟପକ୍ଷ’କୁ ଆଶୀର୍ବାଦ ପ୍ରଦାନ କରି ସେ ଏହାକୁ ସୁନ୍ଦର ଓ ନୂଆଧରଣର ଚିନ୍ତାଧାରା ବୋଲି ପ୍ରଶଂସା କରିଥିଲେ। ଅତିଥିମାନଙ୍କୁ ସ୍ବାଗତ କରି ‘ସମ୍ବାଦ’ ଓ କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଲେ, ‘ସମ୍ବାଦ’ ପାଇଁ ସାହିତ୍ୟ କିଛି ନୂଆ କଥା ନୁହେଁ। ଆରମ୍ଭରୁ ‘ସମ୍ବାଦ’ ସାହିତ୍ୟ ସହିତ ରହି ଆସିଛି ଓ ସବୁବେଳେ ମା’, ମାଟି ଓ ମାତୃଭାଷାର କଥା କହିଛି। ଭାଷାର ସୁରକ୍ଷା କେବଳ ଆମର ଦାୟିତ୍ବ ନୁହେଁ, ଗଣମାଧ୍ୟମ ସଂସ୍ଥାର ସ୍ବାର୍ଥ ମଧ୍ୟ।
ଭାଷା ବଞ୍ଚିଲେ, ଖବରକାଗଜ, ଟିଭି ଚ୍ୟାନେଲ୍, ରେଡିଓ ବଞ୍ଚିବ। ଭାଷା ବଞ୍ଚିଲେ ଓଡ଼ିଆ ଅସ୍ମିତା ବଞ୍ଚିବ। ଏବେ ଚର୍ଚ୍ଚାରେ ରହିଥିବା ଅସ୍ମିତାର କଥା ‘ସମ୍ବାଦ’ ଅନେକ ଆଗରୁ କହି ଆସିଛି। ‘ଆମ ଓଡ଼ିଶା’ ଆୟୋଜିତ ଭାଷାଜ୍ଞାନ ପରୀକ୍ଷା, ମାସିକ ପତ୍ରିକା ‘କଥା’ ଓ ‘ପୌରୁଷ’, ସାପ୍ତାହିକ ସାହିତ୍ୟ ପୃଷ୍ଠା, ରାଜ୍ୟର କୋଣ ଅନୁକୋଣରେ ଥିବା ‘ସମ୍ବାଦ ସାହିତ୍ୟ ଘର’ ଆଦି ଜରିଆରେ ‘ସମ୍ବାଦ’ ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଛି ବୋଲି ସେ କହିଥିଲେ। ସାହିତ୍ୟର ପ୍ରତିଟି ପାଖୁଡ଼ାକୁ ମଞ୍ଚ ଦେବାକୁ ‘ସମ୍ବାଦ ସାହିତ୍ୟପକ୍ଷ’ ୧୫ ଦିନ ଧରି ପାଳନ କରାଯାଉଛି ଏବଂ ଏଥିରେ ୧୫୦ରୁ ଅଧିକ ସାହିତ୍ୟିିକଙ୍କୁ ମଞ୍ଚକୁ ଆଣିବାର ପ୍ରୟାସ କରାଯାଇଛି। ସାହିତ୍ୟ ସହ ଯୁବପିଢ଼ିକୁ ଯୋଡ଼ିବା ‘ସମ୍ବାଦ ସାହିତ୍ୟପକ୍ଷ’ର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।
ଏକ ନବୀନ ଚିନ୍ତାଧାରା: ରାଜେନ୍ଦ୍ର ପଣ୍ଡା
ନୂଆପିଢ଼ିର କବି ଅଧିକ ବାସ୍ତବବାଦୀ
କବି ସମ୍ବେଦନାରେ ବିଶ୍ବାସ ରଖେ
ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଉତ୍ସର୍ଗ କରାଯାଇଥିବା ‘କବି ଓ କବିତା’ ମଞ୍ଚରେ ଆଜି ପ୍ରଥମେ ବିଶିଷ୍ଟ କବି ଆଶୁତୋଷ ପରିଡ଼ାଙ୍କ ସହିତ ଚିରଶ୍ରୀ ଇନ୍ଦ୍ରସିଂ କବିତାକୁ ନେଇ ‘ଆଳାପ’ କରିଥିଲେ। ଶ୍ରୀମତୀ ଇନ୍ଦ୍ରସିଂଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କବି ଶ୍ରୀ ପରିଡ଼ା କହିଥିଲେ, ଜଗତକୁ ସଂଗଠିତ କରିବା ପାଇଁ ବିପ୍ଳବୀ କବିତା ଲେଖା ଯାଉଥିଲା। ସେ ଧାରା ଏବେ ମଧ୍ୟ ଅଛି। ସମୟ ଅନୁସାରେ ଲେଖିବାର ଶୈଳୀ ପରିବର୍ତ୍ତନ ହୋଇଛି। ନୂଆପିଢ଼ିର କବି, କବୟିତ୍ରୀମାନେ ଅଧିକ ବିପ୍ଳବୀ ନ ହେଲେ ବି ଅଧିକ ବାସ୍ତବବାଦୀ। ତେଣୁ ଏ କବିତା ସମକାଳରୁ ସର୍ବକାଳକୁ ଗତି କରିପାରେ। ‘ଆଲୋଚନା’ ଅଧିବେଶନର କବି ଈପ୍ସିତା ଷଡ଼ଙ୍ଗୀଙ୍କ ସଂଚାଳନରେ ଅନୁଷ୍ଠିତ ଆଲୋଚନାର ବିଷୟବସ୍ତୁ ଥିଲା ‘ସମକାଳର କବିତା: ପ୍ରତିକ୍ରିୟା ନା ପ୍ରତିଫଳନ’। ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ କବି ଅମରେଶ ପଟ୍ଟନାୟକ କହିଲେ, କବିର ଚରିତ୍ର ଇଗଲ୍ ପରି, ଯିଏ ଝଡ଼ ଉପରେ ଉଡ଼ିପାରେ। କବି ଆଉ କିଛି ଚାହେନା, କେବଳ ଚାହେ ସେ ଏ ପୃଥିବୀରେ ନଥିବାବେଳେ ତା’ କବିତା ଆଦର ପାଉ। ସେହିପରି ବିଶିଷ୍ଟ କବି ବିପିନ ନାୟକ କହିଲେ, ପ୍ରତିଟି ସୃଜନର ମୂଳରେ ଗୋଟିଏ ଦର୍ପଣ ଥାଏ। କିନ୍ତୁ ସେଥିରେ ଅବିଳକ ପ୍ରତିଫଳନ ନଥାଏ। କିନ୍ତୁ ସେଇଠୁ ପ୍ରକ୍ରିୟା ଆରମ୍ଭ ହୁଏ। କବି ବେଦନା ଅପେକ୍ଷା ସମ୍ବେଦନାରେ ବିଶ୍ବାସ ରଖେ। ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି କହିଲେ, ସତ୍ୟ ଓ ସାହସ ତାଙ୍କ କବିତାକୁ ଦମ୍ଭ ଦେଇଥାଏ। ଅନ୍ତରର ସତ୍ୟକୁ ପ୍ରକାଶ କରିଥାଏ କବିତା। କବିତା ପ୍ରଶ୍ନ ତିଆରି କରିପାରିଲେ, ତଥା ଅନ୍ୟକୁ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିପାରିଲେ, ତାହା ସଫଳ ହୁଏ।
ସେହିଭଳି ‘ଅଭିଯୁକ୍ତି’ ଅଧିବେଶନରେ ‘ଆଜିର କବି ପାଇଁ ଆହ୍ବାନ’ ପ୍ରସଙ୍ଗରେ ତିନିଜଣ ପ୍ରତିଭାବାନ ଯୁବକବି ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। କବି ପବିତ୍ର ମୋହନ ଦାଶ କହିଲେ, କବି ଶାନ୍ତି ଚାହେ, ସତ୍ୟପଥରେ ଯିବାକୁ ଚାହେ। କବି ପ୍ରଜ୍ଞାଶ୍ରୀ ରଥ କହିଲେ, କବିତା ବିଗିଡ଼ି ଯାଉଥିବା ସମାଜକୁ ଅନୁପ୍ରାଣିତ କରିବା ସହ ନିରାଶା ଭିତରେ ଆଶାର ସଂଚାର କରୁ। କବି ଶ୍ରୀଦେବ କହିଲେ, କବିତା ଅନେକ କଥାକୁ ଗଢ଼ିପାରେ ବୋଲି ସେ ଦୃଢ଼ ବିଶ୍ବାସ କରନ୍ତି। ଏହି ଉପଲକ୍ଷେ କବିତାକୁ ନେଇ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟିକା ସୁସ୍ମିତା ଦାସ କବିତାରୁ କିପରି କାଳଜୟୀ ଗୀତ ହୋଇଛି ପ୍ରକାଶ କରିବା ସହ କିଛି କବିତାଂଶକୁ ଗୀତ ଭାବେ ପରିବେଷଣ କରିଥିଲେ। ସେହିପରି ବିଶିଷ୍ଟ ଗାୟକ ଶରତ ନାୟକ ମଧ୍ୟ ‘ଶ୍ରୀରାଧା’ କବିତାର କିଛି ଅଂଶ ଗାଇଥିଲେ।
ଏହି ଅବସରରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ପର୍ଶୁରାମ ଦ୍ବିବେଦୀ ଓ କେଦାରନାଥ ଗବେଷଣା ପ୍ରତିଷ୍ଠାନକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଂପାଦକ ଶ୍ରୀମତୀ ପଟ୍ଟନାୟକଙ୍କ ସହିତ ‘କନକ ନ୍ୟୁଜ୍’ର ସିଇଓ ରତିକାନ୍ତ ଶତପଥୀ ଓ ବିଶିଷ୍ଟ କଥାକାର ଗୌରହରି ଦାସ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଶେଷରେ ‘କନକ ନ୍ୟୁଜ୍’ ସିଇଓ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ଜେ ଅନିଲ୍ ସାହିତ୍ୟକୁ ନେଇ ଆକର୍ଷଣୀୟ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଲନ୍ ଘଟୁଆରୀ ସଂଯୋଜନା କରିଥିଲେ। ବହୁ ବରିଷ୍ଠ ଓ ଯୁବପିଢ଼ିର ଲେଖକ ଲେଖିକା, ସାହିତ୍ୟପ୍ରେମୀ, ପାଠକପାଠିକା ଓ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ଭରପୂର ଉପଭୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଦ୍ବିତୀୟ ଦିନର ବିଷୟ ରହିଛି ‘କଥା ଓ କଥାକାର’। ଏଥିରେ ଗପକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ପ୍ରଦର୍ଶନ ଅନୁଷ୍ଠିତ ହେବ।