ଭୁବନେଶ୍ବର: ‘ବନ ମହୋତ୍ସବ ସପ୍ତାହ’ ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦିଗ୍ଦର୍ଶନ ଓ ନେତୃତ୍ବରେ ସମ୍ବାଦ ସାହିତ୍ୟଘର ବୃକ୍ଷରୋପଣ ଅଭିଯାନ ‘ଆସ ଚାରା ଟିଏ ଲଗାଇବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ସକାଳେ ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲଚର(ସୋମାକ) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ମହତ୍ ପ୍ରୟାସକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଶଂସା କରି କହିଲେ, ଏବେ ସମୟ ଆସିଛି ପରିବେଶକୁ ସୁରକ୍ଷା ଦେବା ପାଇଁ ସାଧାରଣ ଲୋକଙ୍କୁ ଜାଗ୍ରତ କରିବାର। ସାମାଜିକ ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ପ୍ରତ୍ୟେକ ନାଗରିକ ଅଧିକରୁ ଅଧିକ ଗଛ ଲଗାଇବାର ଆବଶ୍ୟକ।
ଓଡ଼ିଶାରେ ଐତିହ୍ୟ ବୃକ୍ଷ ଆଇନ ତଥା ବୃକ୍ଷ ସଂରକ୍ଷଣ ଆଇନ ଲାଗୁ କରିବା ପାଇଁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଅବସରରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ କହିଲେ, ‘ସମ୍ବାଦ’ ପରିବାର ତା’ର ବିଭିନ୍ନ ବିଭାଗ ମାଧ୍ୟମରେ ବର୍ଷସାରା ପରିବେଶ ପ୍ରସଙ୍ଗରେ ସଚେତନତା ସୃଷ୍ଟି, ପରିବେଶ ସୁରକ୍ଷା, ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ତଥା ଲୋକଙ୍କୁ ଏହି ଅଭିଯାନରେ ସାମିଲ କରିବା ଭଳି ଉଦ୍ୟମ ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ କରିଆସୁଛି। ଆମର ଉଦ୍ଦେଶ୍ୟ ପ୍ରତିଟି ଓଡ଼ିଆଙ୍କୁ ପରିବେଶ ସହ ଯୋଡ଼ିବା ଓ ‘ପୁନଶ୍ଚ ପୃଥିବୀ’ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଏହାଦ୍ବାରା ଭବିଷ୍ୟତ ପିଢ଼ିକୁ ଆମେ ଏକ ସୁନ୍ଦର ପୃଥିବୀ ଦେଇ ପାରିବା।
‘ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ, ‘ସମ୍ବାଦ ସାହିତ୍ୟଘର’ ଦ୍ବାରା ଓଡ଼ିଶାର ୩୧୪ ବ୍ଲକ୍ ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ୪ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି। ବର୍ଷା ବଢ଼ିବା ସହିତ ଚାରା ରୋପଣ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ସମାଜର ବିଭିନ୍ନ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହୋଇ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଠନ କରିବାରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ତଥା ସୋମାକ୍ର ଅଧ୍ୟକ୍ଷ ଅରବିନ୍ଦ ଦାସ ସୂଚନା ଦେଇ କହିଲେ, ଜୁନ୍ ୫ରେ ପ୍ରତିବର୍ଷ ବିଶ୍ବ ପରିବେଶ ଦିବସ ଠାରୁ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଏବଂ ସମ୍ବାଦ ପରିବାରର ସମସ୍ତ ସଦସ୍ୟଙ୍କ ସଂପୃକ୍ତିରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତ ୫ ବର୍ଷ ହେବ ଆୟୋଜନ ହୋଇ ଆସୁଛି। ତା’ର ଉଦ୍ଯାପନ ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ କରାଯାଏ। ଗତବର୍ଷ ୧ ଲକ୍ଷ ୫୯ ହଜାର ଚାରା ରୋପଣ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରହିଛି।
ଏହି ଅବସରରେ ସମ୍ବାଦ ଭବନ ପରିସରରେ ମଧ୍ୟ ବୃକ୍ଷରୋପଣ କରାଯାଇଥିଲା। ଉପରୋକ୍ତ ଅତିଥିଙ୍କ ସମେତ ଏଥିରେ ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ‘କନକ ନ୍ୟୁଜ୍ର ସିଓଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ ଗ୍ରୁପ୍ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ‘ସମ୍ବାଦ’ର ଉପଦେଷ୍ଟା ସ୍ବରାଜ ମିଶ୍ରଙ୍କ ସମେତ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ସୋମାକ୍ର ଅଧ୍ୟାପକଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।