‘ସମ୍ବାଦ-ସାହିତ୍ୟଘର’ ବା‌ର୍ଷିକୋତ୍ସବ: ‘ମାଟି ପ୍ରତି ସ୍ନେହ ଥିଲେ ଭାଷା ମରିବନି’

ବରଗଡ଼: ଭାଷାକୁ ବଂଚାଇବା ସକାଶେ ବିଭିନ୍ନ ସ୍ତରରେ ଭିନ୍ନ ଉପାୟରେ ଉଦ୍ୟମ ଚାଲିଛି। ସାହିତ୍ୟ ଓ ଭାଷାର ସୁରକ୍ଷା ପାଇଁ ସାହିତ୍ୟିକଙ୍କ କର୍ତ୍ତବ୍ୟ ତ ରହିଛି। ଏହାବାଦ୍‌ ପାଠକ କଥା ବି ଚିନ୍ତା କରିବାକୁ ପଡ଼ିବ। ପାଠକଙ୍କୁ ସାହିତ୍ୟ ପ୍ରତି ଟାଣିବାକୁ ସେହି କିସମର ଲେଖା ଜରୁରୀ। ଭାଷା ସୁରକ୍ଷା ଅାନ୍ଦୋଳନ ଏବେ ଚରମ ସୀମାରେ ପହଂଚିଛି। ଯଦି ମାଟି ପ୍ରତି ସ୍ନେହ ଥିବ, ତେବେ ଭାଷା କେବେ ମରିବନି ବୋଲି ‘ସମ୍ବାଦ-ସାହିତ୍ୟଘର’ର ବାର୍ଷିକୋତ୍ସବେ ମୁଖ୍ୟଅତିଥି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ ସାହିତ୍ୟିକମାନଙ୍କୁ ରାଜନୀତିର ଉର୍ଦ୍ଧ୍ବରେ ଥିବା ଧାରଣା ଛାଡ଼ି ରାଜନୀତିର ପଥପ୍ରଦର୍ଶକ ସାଜିବାକୁ ଆହ୍ବାନ ଦେଇଥିଲେ। ସେ କହିଲେ, ରାଜନୀତି ପ୍ରତି ସାହିତ୍ୟିକମାନେ ପାରମ୍ପରିକ ଦୃଷ୍ଟିଭଂଗୀ ଛାଡ଼ିବାକୁ ପଡ଼ିବ। କାରଣ ସେମାନେ (ସାହିତ୍ୟିକମାନେ) ହିଁ ରାଜନେତାଙ୍କୁ ପରିମାର୍ଜିତ କରିପା‌ରି‌େବ। ଭଲ ରାଜନେତା କିଭଳି ସୃଷ୍ଟି ହେବେ, ସେହି ଦାୟିତ୍ବ ବି ସାହିତ୍ୟିକଙ୍କ ଉପରେ। ଏହାବାଦ୍‌ ସାହିତ୍ୟିକମାନେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାକୁ ସୁଦୃଢ଼ କରିବା ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ‘ସମ୍ବାଦ- ସାହିତ୍ୟଘର’ର ପରିକଳ୍ପନା ଏବଂ ଦାୟିତ୍ବବୋଧକୁ ଭୂୟଶୀ ପ୍ରଶଂସା କରଥିଲେ। ଭାଷା ଆନ୍ଦୋଳନ ପାଇଁ ଏହି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ। କିନ୍ତୁ ଏଥି ସକାଶେ ସବୁ ବର୍ଗ ସାମିଲ ହୋଇ ସାମୂହିକ ଭାବେ ଲଢ଼େଇ କରିବାକୁ ପଡ଼ିବ। ପ୍ରଥମତଃ ଏହି ମାଟିର ଭାଷାକୁ ପାଠ୍ୟପୁସ୍ତକରେ ସାମିଲ କରିବା ପ୍ରାଥମିକତା ହେଉ ବୋଲି ସେ ଆହ୍ବାନ ଦେଇଥିଲେ। ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ‘ସମ୍ବାଦ-ସାହିତ୍ୟ ଘରର ମୂଳଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ବରଗଡ଼ ହେଲା ସଂଗ୍ରାମ ଏବଂ ସାହିତ୍ୟର ମାଟି। ତେଣୁ ସାହିତ୍ୟ ପାଇଁ ଆବଶ୍ୟକ ସଂଗ୍ରାମର ଉପାଦାନ ଏହି ମାଟିରେ ରହିଛି। ଏହାକୁ ଅସ୍ତ୍ର ଭାବେ ଉପଯୋଗ କରି ସାହିତ୍ୟ ସୁରକ୍ଷା ପାଇଁ ଲଢ଼େଇ କରାଯାଉ ବୋଲି ଶ୍ରୀମତୀ ଲେଙ୍କା ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶାନ୍ତନୁ ବିଶ୍ବାଳ ସ୍ମୃତି ସମ୍ମାନରେ ରମାକାନ୍ତ ଜେନା, ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ସ୍ମୃତି ସମ୍ମାନରେ ଗାଳ୍ପିକ ମନୋଜ ପୂଜାରୀ, ଶ୍ରେଷ୍ଠ ପାଠକ ସମ୍ମାନରେ ଅଧ୍ୟାପକ ମୋହନ ସାହୁ ଏବଂ ଉତ୍ସର୍ଗୀକୃତ ସେବା ସମ୍ମାନରେ ଡାକ୍ତର ଦମ୍ପତ୍ତି ଡା. ରାଜେଶ ତ୍ରିପାଠୀ ଓ ଡା. ସୁସ୍ମିତା ଦାଶ ସମ୍ମାନିତ କରାଯାଇଥିଲା। ଅଧ୍ୟାପିକା ସଂଘମିତ୍ରା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ମନୋରଂଜନ ମେହେରଙ୍କ ସଂପାଦନାରେ ସାହିତ୍ୟ ଘରର ବାର୍ଷିକ ସ୍ମରଣିକା ‘ସାରସ୍ବତ ଓ ‘ଇନ୍ଦଧନୁ, ଦୟାନିଧି ମହାପାତ୍ରଙ୍କ ରଚିତ ‘ଅଭୁଲା ଅତୀତକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ସାହିତ୍ୟଘର ସଭାପତି ଦିବ୍ୟକିଶୋର ଦେବତା ସଭାର ଅଧ୍ୟକ୍ଷତା ଓ ସଂପାଦକ ଡ. ରବିନାରାୟଣ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଅଧ୍ୟାପକ ଶେଷନ ବିଶି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର