‘ସମ୍ବାଦ’ର ଷ୍ଟିଂଗ୍‌ ଅପରେସନ୍‌: ଛତିଶଗଡ଼କୁ ଡଙ୍ଗାରେ ଚାଲାଣ ହେଉଛନ୍ତି ଗାଈଗୋରୁ

ବରଗଡ଼: ନିକଟରେ ବରଗଡ଼ ଜିଲ୍ଲାରୁ କିଭଳି ବାଂଲାଦେଶ ପର୍ଯ୍ୟନ୍ତ ଗୋଚାଲାଣ ରାକେଟ୍‌ ସକ୍ରିୟ ରହିଛି, ସେ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ବିଶେଷକରି ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରରୁ ପଶ୍ଚିମବଂଗ, ଆନ୍ଧ୍ରପ୍ରଦେଶ, ଫୁଲବାଣୀ, ଗଂଜାମକୁ ଗୋ-ଚାଲାଣ ନେଇ ‘ସମ୍ବାଦ’ର ଷ୍ଟିଂଗ୍‌ ଅପରେସନରେ ଜଣେ ଦଲାଲ ସବୁ ତଥ୍ୟ ଓଗାଳି ଥିଲା। ତେବେ ଗୋରୁ ବଜାର ଗୁଡ଼ିକରେ ହିଁ ଗାଈଗୋରୁଙ୍କ ଚାଲାଣ ନେଇ ସବୁ କିଛି ମୂଲଚାଲ ହେଉଛି। ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗୋରୁ ବଜାରକୁ ଉଦାହରଣ ଭାବେ ନିଆଯାଉ। ଏଠାରେ ଗାଈଗୋରୁ ବିକ୍ରି ଖରିଦ ପାଇଁ ଉଦ୍ଦିଷ୍ଟ ରସିଦ ଗୁଡ଼ିକରେ ପୂର୍ବରୁ ବ୍ୟାପକ ହେରଫେର ଅଭିଯୋଗ ହୋଇଥିଲା। କିନ୍ତୁ ବଜାରର ଅବସ୍ଥା ଏଯାଏଁ ସୁଧୁରି ନାହିଁ। କେତେ ଗୋରୁ ବିକ୍ରି ପାଇଁ  ଆସିଲେ, କେତେ ଖରିଦ ହେଲେ, ତାହାର ହିସାବ ଗଡ଼ବଡ଼ ହେଉଛି। ରସିଦ ବହି ତନାଘନା ବେଳେ ଏକ ଅଜବ ଘଟଣା ସାମନାକୁ ଆସିଥିଲା। ରସିଦର ତଳ ଭାଗରେ ଗୋରୁ ଖରିଦ କରୁଥିବା ବ୍ୟକ୍ତିଙ୍କ ହସ୍ତାକ୍ଷର କରିବା ପାଇଁ ସ୍ଥାନ ରହିଛି। କିନ୍ତୁ ଅଧିକାଂଶ ରସିଦରେ ଟିପ ଚିହ୍ନ ହିଁ ରହିଛି। କ୍ରେତା ଏବଂ ବିକ୍ରେତାଙ୍କ ନାମ ସଂପୂର୍ଣ୍ଣ ଭାବେ ଉଲ୍ଲେଖ ରହୁନାହିଁ। ବିଗତ ଦିନରେ ପୁଟୁକା ବଜାରରୁ ବ୍ୟାପକ ଗୋଚାଲାଣ ହେଉଥିବା ଲୋକେ ଅଭିଯୋଗ କରି ପୁଲିସ୍ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ରାକେଟ୍ ଆଗଭଳି ଜୋର୍‌ସୋର୍‌ରେ ଚାଲିଛି।

ସେହିପରି ଅମ୍ବା‌େଭାନା ଅଂଚଳକୁ ଛତିଶଗଡ଼କୁ ଡଂଗା ଯୋଗେ ମହାନଦୀ ଡେଇଁ ଗୋଚାଲାଣ ଜାରି ରହିଛି। ଅମ୍ବାଭୋନା ବ୍ଲକ ଚିିଖିଲି-ମହୁଲପାଲି, ପଥରାସେନି-ଶରଧାପାଲି, ଜରୀମୂଲି-ତିଲଗି ଆଦି ଘାଟ ଦେଇ ଗାଈଗୋରୁ ଚାଲାଣ ହେଉଛି। ପ୍ରତି ବୁଧବାର ଭୁକ୍ତା ସାପ୍ତାହିକ ଗୋରୁ ବଜାରରୁ ଗାଈଗୋରୁ କିଣି ଡଂଗା ଜରିଆରେ ଛତିଶଗଡ଼ ଚାଲାଣ ହେଉଛି। ଛତିଶଗଡ଼ରେ ଗୋ-ମାଂସ ଯୋଗାଣ ପାଇଁ ମାଫିଆମାନେ ଏହି କାରବାର ସକ୍ରିୟ ଭାବେ ଚଳାଇଛନ୍ତି। ପୁଲିସ୍‌ କିମ୍ବା ଅନ୍ୟ କୌଣସି ବିଭାଗ ପକ୍ଷରୁ କିଛି ଧରପଗଡ଼ ହେଉନଥିବାରୁ ମାଫିଆମାନେ ଅନାୟାସରେ ଗୋ-ଚାଲାଣ କରୁଛନ୍ତି। ଅନ୍ୟପକ୍ଷରେ ଭଏନାତୋରା ପଞ୍ଚାୟତର ଚିଖିଲି, ବଂଗାପାଲି ପଞ୍ଚାୟତର ତାମଦେଇ ଏବଂ ପଲସଦା, ବାଂଜିପାଲି ପଞ୍ଚାୟତର ପଥରାସେନୀ ଘାଟରୁ ମଧ୍ୟ ଛତିଶଗଡ଼ ମାଫିଆମାନେ ଲୁଚାଛପା ଗୋଲାଚାଣ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର