ଭୁବନେଶ୍ବର: ବିଦ୍ୟାର୍ଥୀଙ୍କ ପାଇଁ ମାର୍କ(ପରୀକ୍ଷା ନମ୍ବର)କୁ ସଫଳତାର ମାପକାଠି ବୋଲି ବିଚାର କରାଯାଉଛି। ସେହି ଆଧାରରେ ମେଧାବୀ ଚୟନ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି। ଅବଶ୍ୟ ମାର୍କର ଆବଶ୍ୟକତା ରହିଛି, ହେଲେ ଜୀବନରେ ଏ ମାର୍କ ସବୁବେଳେ କାମ ଦେବନାହିଁ। ନମ୍ବର ଅପେକ୍ଷା ଭଲ ମଣିଷଟିଏ ହୋଇ ପାରିଲେ ସଫଳତା ଆପଣାଛାଏଁ ଆସିବ। ବାପା ମା’ମାନେ ପିଲାଙ୍କୁ ତାଙ୍କ ହିସାବରେ ନିଷ୍ପତ୍ତି ନେବାକୁ ଛାଡ଼ି ଦିଅନ୍ତୁ। ଅତ୍ୟଧିକ ଚାପ ଦିଅନ୍ତୁ ନାହିଁ। ପିଲାମାନେ ନିଜ ପସନ୍ଦର ବିଷୟକୁ ବାଛନ୍ତୁ ଏବଂ ଏକାଗ୍ରତାର ସହ ପଢ଼ନ୍ତୁ। ସଫଳତା ଚାବିକାଠି ନିଜ ଭିତରେ ଅଛି। ତାକୁ କଷ୍ଟକରି ଅର୍ଜନ କରି ହାସଲ କରିବାକୁ ପଡ଼େ। କୌଣସି ଗଳାବାଟରେ ସଫଳତା ଆସିନଥାଏ। ସାଂପ୍ରତିକ ସମାଜରେ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି କେତେ ଆଗେଇ ପାରିବ ତାହା ଗୁରୁତ୍ବପୂର୍ଣ୍ଣ। ‘ସମ୍ବାଦ’ ପକ୍ଷରୁ ଯୁକ୍ତ-୨ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସ୍ୱତନ୍ତ୍ର ଉତ୍ସବ ‘ଯୁକ୍ତ-୨ ଚାମ୍ପ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ।

Advertisment

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ବର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆର୍‌ଏମ୍‌ଆର୍‌ସି)ର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ନିଜ ଅନୁଭୂତିରୁ ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ସେ କହିଲେ, ‘‘ମୁଁ ଭାଷଣ ଦେବାକୁ ଡରୁଥିଲି। ଷଷ୍ଠଶ୍ରେଣୀରେ ପଢ଼ିବା ବେଳେ ଗୁରୁଦିବସରେ ଭାଷଣ ଦେବାକୁ କାଗଜରେ ‌ଲେଖି ନେଇଥିଲି। ତଥାପି ଭୟରେ ମୋ ‌ଦେହ ଥରୁଥିଲା। ନିଜ ଭିତରେ ଥିବା ଦୁର୍ବଳତା ଓ ସାମର୍ଥ୍ୟ ଦ୍ବୟକୁ ଚିହ୍ନିବା ଜରୁରି। କାରଣ ଭିତରେ ଥିବା ଡରକୁ ଜିତି ପାରିଲେ ତାହା ହେବ ସବୁଠାରୁ ବଡ଼ ସଫଳତା।’’ ଆହୁରି କହିଲେ, ସେ ଭଲ ପାଠ ପଢ଼ୁଥିଲେ। ସେତେବେଳେ ସିନେମା ଦେଖି ସେ ଡାକ୍ତରାଣୀ ହେବାକୁ ସ୍ଥିର କଲେ। ମେଡିକାଲ ପଢ଼ିବା ପରେ ଜାଣିଲେ ତାଙ୍କ ଭାବନା ଓ ବାସ୍ତବତା ଭିତରେ ଅନେକ ଫରକ। ସେ କେଉଁଥିରେ ଭଲ କରିପାରିବେ, ତାହା ଜାଣିବାକୁ ତାଙ୍କୁ ୧୪ ବର୍ଷ ସମୟ ଲାଗି ଯାଇଥିଲା। ପିଲାମାନେ ନିଜର ଦକ୍ଷତାକୁ ଚିହ୍ନନ୍ତୁ, ମନ ଭିତ‌ରୁ ଭୟକୁ ଦୂରେଇ ଦିଅନ୍ତୁ ଏବଂ ଏକାଗ୍ରତା ସହ ଅଭ୍ୟାସ ଜାରି ରଖନ୍ତୁ ବୋଲି କହିଛନ୍ତି ଡ. ପତି।

ଉତ୍ସବରେ ‘ସମ୍ବାଦ’ର ସମ୍ପାଦକୀୟ ଉପଦେଷ୍ଟା ତଥା ‘କଥା’ର ସମ୍ପାଦକ କଥାକାର ଗୌରହରି ଦାସ ଯୋଗଦେଇ ପ୍ରେରଣାଦାୟୀ ଗପ ମାଧ୍ୟମରେ ପିଲାଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲେ। ସେ କହିଲେ, ଯୁକ୍ତଦୁଇ ପରେ ଜୀବନ ଯୁଦ୍ଧ ଆରମ୍ଭ ହୁଏ। ଏହି ସମୟରେ ଅନେକ ଯଥୋଚିତ ଉପଦେଶ ମିଳିବ। ସବୁ ଶୁଣନ୍ତୁ, ହେଲେ ଯାହା ନିଜକୁ ଭଲ ଲାଗୁଛି ତାହା କରନ୍ତୁ। ଅନେକଙ୍କ ପାଖରେ ସାମର୍ଥ୍ୟ ଥିଲେ ବି ଆତ୍ମବିଶ୍ବାସ ନଥାଏ। ବାପା, ମା’ ଓ ଶିକ୍ଷକମାନେ ପିଲାଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବାକୁ ସେ ପରାମର୍ଶ ଦେଇଥିଲେ। ଆତ୍ମବିଶ୍ବାସ, ଆତ୍ମ ସମ୍ମାନ ଓ ସାଧୁତା ସହ ଅନ୍ୟ ମୁହଁରେ ହସ ଫୁଟାଇବା ପ୍ରକୃତ ସଫଳତାର ପରିଭାଷା। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଉତ୍ସବରେ ସଭାପତିତ୍ବ କରି ପିଲାମାନେ ପାଠ ପଢ଼ିବା ସହ ଖେଳକୁଦ ଓ ବୟସସୁଲଭ ଅନ୍ୟସବୁ କାମ କରିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ଚିଫ୍‌ ରିପୋର୍ଟର ଚୌଧୁରୀ ଅମିତାଭ ସ୍ବାଗତ ଭାଷଣ ଦେବା ସହ ଉତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ମସିହାର ଯୁକ୍ତ୨ ବିଜ୍ଞାନ, କଳା, ବାଣିଜ୍ୟ ବିଭାଗ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ଧିତ କରିଥିଲେ। ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କ ସମେତ ବାଣିଜ୍ୟ ଓ କଳା ବିଭାଗର ଶ୍ରେଷ୍ଠ ୫୦ ସ୍ଥାନରେ ରହିଥିବା ମେଧାବୀଙ୍କୁ ପଦକ ଓ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା।

publive-image

‘ସମ୍ୱାଦ’ ପାଖରେ ଚିରଋଣୀ
ମୋର ସଫଳତାକୁ ଆହୁରି ସ୍ମରଣୀୟ କରିଥିବାରୁ ମୁଁ ‘ସମ୍ୱାଦ’ ପାଖରେ ଚିରଋଣୀ। ଏହା ମୋ’ କଲେଜର ଅନ୍ୟ ପିଲାଙ୍କୁ ମଧ୍ୟ ଭଲ ପଢ଼ିବା ପାଇଁ ପ୍ରେରଣା ଦେବ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାଲାଗି ମୋ’ର ସ୍ବପ୍ନକୁ ଏହା ସହାୟକ ହେବ।
–ସୁଦୀପା ସାହୁ, ରାଜେନ୍ଦ୍ର ହାଇୟର
ସେକେଣ୍ଡାରି ସ୍କୁଲ, ବଲାଙ୍ଗୀର

ସମ୍ୱର୍ଦ୍ଧିତ ହୋଇ ଭାଗ୍ୟଶାଳୀ ମନେ କରୁଛି
ଗତବର୍ଷ ସିନିଅରମାନଙ୍କର ସମ୍ୱର୍ଦ୍ଧନା ମତେ ଅନୁପ୍ରାଣିତ କରିଥିଲା। ଚଳିତ ବର୍ଷ ମୁଁ ମଧ୍ୟ ଏହି ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ଜନକଲ୍ୟାଣ କରିବା ଯେ ସର୍ବଶ୍ରେଷ୍ଠ କାମ, ତାହା ମୁଁ ଏଠାରୁ ଜାଣିବାକୁ ପାଇଲି।
- ଅଦ୍ୱୈତ ସାହାଣୀ, ସରକାରୀ ଉଚ୍ଚ
ମାଧ୍ୟମିକ ବିଦ୍ୟାଳୟ, ସୁନ୍ଦରଗଡ଼

ଯୁକ୍ତଦୁଇରେ ଆହୁରି ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲା
ଦଶମରେ ମୁଁ ‘ସମ୍ବାଦ’ ଦ୍ବାରା ବାଲେଶ୍ୱରରେ ସମ୍ୱର୍ଦ୍ଧିତ ହୋଇଥିଲି। ତାହା ଯୁକ୍ତଦୁଇରେ ଆହୁରି ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲା। ଯାହା ଫଳରେ ମୁଁ ଆଜି ରାଜଧାନୀରେ ସମ୍ୱର୍ଦ୍ଧିତ ହେଲି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ମୁଁ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରି ଯୁବପିଢ଼ିଙ୍କୁ ଉତ୍ସାହିତ କରିବି ବୋଲି ଆଶା ରହିଛି।
- ପାର୍ଥସାରଥୀ ତ୍ରିପାଠୀ, ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ପଦକ ଖୁସିକୁ ଦ୍ୱିଗୁଣିତ କରିଦେଇଛି
ଏହି କାର୍ଯ୍ୟକ୍ରମ ଓ ବକ୍ତାମାନଙ୍କର ବକ୍ତବ୍ୟ ମତେ ବହୁତ ପ୍ରେରଣା ଦେଇଛି। ‘ସମ୍ୱାଦ’ ପକ୍ଷରୁ ମିଳିଥିବା ଏହି ପଦକ ମୋ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ଆଗକୁ ଆହୁରି ପରିଶ୍ରମ କରି ଜଣେ ସଫଳ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରହିଛି।
- ମୋନାଲିସା ବିଶ୍ୱାଳ, ରେଭେନ୍ସା ହାଇୟର ସେକେଣ୍ଡାରି ସ୍କୁଲ, କଟକ

ଆମ ଖୁସିକୁ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ
ବର୍ତ୍ତମାନ ସବୁଆଡ଼େ ନିର୍ବାଚନର ସଫଳତା ଓ ବିଫଳତା ମଧ୍ୟରେ ଆମ ଖୁସିକୁ ଗୁରୁତ୍ୱ ଦେଇଥିବାରୁ ମୁଁ ‘ସମ୍ୱାଦ’କୁ ଧନ୍ୟବାଦ ଦେଉଛି। ମୋର ପରବର୍ତ୍ତୀ ପିଢ଼ି ମଧ୍ୟ କଠିନ ପରିଶ୍ରମ କରି ଏହି ଅନୁଷ୍ଠାନରୁ ପୁରସ୍କାର ଗ୍ରହଣ କରନ୍ତୁ, ଏହା ହିଁ ମୋର ଆଶା।
- ଚନ୍ଦନ ପଣ୍ଡା, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଖୁସିକୁ ଆହୁରି ବଢ଼ାଇଦେଲା
ମୋର ୯୦ ପ୍ରତିଶତରୁ କମ୍‌ ରହିବ ବୋଲି ମୋ’ଘର ଲୋକ ଭାବୁଥିଲେ। କିନ୍ତୁ ୯୨ ପ୍ରତିଶତ ମାର୍କ ରହିଲା, ପୁଣି ‘ସମ୍ୱାଦ’ ପକ୍ଷରୁ ସମ୍ୱର୍ଦ୍ଧନା ମୋର ଓ ମୋର ପିତାମାତାଙ୍କ ଖୁସିକୁ ଆହୁରି ବଢ଼ାଇଦେଲା। ତେଣୁ ଅନୁଷ୍ଠାନକୁ ଏଥିପାଇଁ ଧନ୍ୟବାଦ ଦେଉଛି। ଭବିଷ୍ୟତରେ ଜଣେ ଭଲ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ଲକ୍ଷ୍ୟ ରହିଛି।
- ଖୁସ୍‌ବୁ ଅଗ୍ରଵାଲ, ଜେଏସ୍‌ଏମ୍‌
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗୀର

ଅଲଗା ଉତ୍ସରୁ ମଧ୍ୟ ପାଠ ପଢ଼ନ୍ତୁ
‘ସମ୍ୱାଦ’ ଏତେ ଉଚ୍ଚକୋଟୀର ପ୍ରୟାସ କରିଥିବାକୁ ମୁଁ ଅନୁଷ୍ଠାନକୁ ଧନ୍ୟବାଦ ଦେଉଛି। ଏହି ସମ୍ୱର୍ଦ୍ଧନା ଯୋଗୁଁ ମୋ’ ପିତାମାତା ମୋ’ ଉପରେ ଆହୁରି ଗର୍ବ କରୁଛନ୍ତି। ମୋର ପରବର୍ତ୍ତୀ ପିଢ଼ି କେବଳ ବହିରେ ସୀମିତ ନରହି ଅଲଗା ଉତ୍ସରୁ ମଧ୍ୟ ପାଠ ପଢ଼ନ୍ତୁ, ନିଶ୍ଚୟ ସଫଳତା ମିଳିବ।
- ମହର୍ଷି ପାତ୍ର, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଅତିଥିମାନଙ୍କର ଭାଷଣ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା
ଅତିଥିମାନଙ୍କର ଭାଷଣ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ସେଥିରୁ ମୋତେ ବହୁତ କିଛି ଶିଖିବାକୁ ମିଳିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ସୀମିତ ରହିବା ଉଚିତ ନୁହେଁ ବୋଲି ଶିଖିଲି। ତେଣୁ ‘ସମ୍ୱାଦ’କୁ ମୋ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି।
- ବିଜ୍ଞତି ବିଦିତା ସାହୁ, ଏମ୍‌ସ ହାଇୟର
ସେକେଣ୍ଡାରି ସ୍କୁଲ, ସମ୍ୱଲପୁର