ବାଲେଶ୍ବର: ବାଲେଶ୍ବର ସହରସ୍ଥିତ ସମ୍ବାଦ ଭବନରେ ‘ସମ୍ବାଦ’ ଓ ’କନକ ନ୍ୟୁଜ୍‌’ ଆନୁକୂଲ୍ୟରେ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଶବ୍ଦକୁ ବାଦ୍‌ ଦେଇ ଆମ ଦେଶର ନାମ କେବଳ ଭାରତ ରହିବା ଉଚିତ’ ଭଳି ବିଷୟବସ୍ତୁ ଉପରେ ହୋଇଥିବା ବିତର୍କ ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମା​ନେ ଅଂଶଗ୍ରହଣ କରିଥିଲେ। ବିଷୟ ଉପରେ ପ୍ରତିଯୋଗୀମାନେ ମାର୍ମିକ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ରେମୁଣା ଡିଗ୍ରି ମହାବିଦ୍ୟାଳୟର ସଂଗୀତା ମହାନ୍ତି ପ୍ରଥମ, ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ଅପର୍ଣ୍ଣା ସିଂ ଦ୍ବିତୀୟ ଓ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଶିବୁ ସେଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯେଉଁ ପ୍ରତିଯୋଗୀମାନେ କୃତକାର୍ଯ୍ୟ ହୋଇନାହାନ୍ତି, ଏହି ପ୍ରତିଯୋଗିତା ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ମାର୍ଗଦର୍ଶନ କରିବ ବୋଲି କହିଥିଲେ।

Advertisment

publive-image

‘ସମ୍ବାଦ’ ଉତ୍ତରଓଡ଼ିଶା ସଂସ୍କରଣ ସହକାରୀ ମହାପ୍ରବନ୍ଧକ ଗୌତମଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ଦେବାଶିଷ ପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉପସ୍ଥିତ ରହି ବିତର୍କ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ବିଚାରକମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ଜେନା ପ୍ରଥମ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ବରର ଛାତ୍ର ଲେଖକ ଦାସ ଦ୍ବିତୀୟ, ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୧ ବାଲେଶ୍ବରର ଛାତ୍ରୀ ଶ୍ବେତାଲିସା ଶୁଭଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

publive-image

ସାରେଗାମା ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ, ପ୍ରଚ୍ଛଦପଟ ଚଳଚ୍ଚିତ୍ର ଗାୟକ ତଥା ଆମରି ସ୍ବର ବିଜେତା ସୁଜିତ ଭୋଇ ଏବଂ କଣ୍ଠଶିଳ୍ପୀ ମୌସୁମୀ ଦାସମହାପାତ୍ର ଯୋଗଦେଇଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସଂଗୀତର ପ୍ରଶଂସା କରିବା ସହ ଭଲ ଗୀତ ପରିବେଷଣର ବିଭିନ୍ନ ‌କୌଶଳ ଉପରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଂସ୍କରଣ ମୁଖ୍ୟ ଶ୍ରୀ ସ୍ବାଇଁ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଯେଉଁ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇପାରିନାହାନ୍ତି ସେମାନଙ୍କୁ ଏହି ପ୍ରତିଯୋଗିତା ସଫଳତାର ମାର୍ଗ ପ୍ରଶସ୍ତ କରିବ ବୋଲି କହିଥିଲେ। ସେହିପରି ବିଚାରକମାନଙ୍କ ତରଫରୁ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତା କାମନା କରାଯିବା ସହିତ କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା​ରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବିଚାରକମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଭୟ ସାରେଗାମା ଓ ବିତର୍କ ପ୍ରତିଯୋଗିତାକୁ ‘ସମ୍ବାଦ’ର ସହସମ୍ପାଦକ ରୁଦ୍ରରଂଜନ ଶେଜପଡ଼ା ଓ ବାଲେଶ୍ବର ଜିଲ୍ଲା ପ୍ରତିନିଧି ରୁଦ୍ରରଂଜନ ଶେଜପଡ଼ା ପରିଚାଳନା କରିଥିଲେ। ସଂଗୀତ ରିୟାଜ୍‌ର ଭାସ୍କର ସାହୁ, ଶୁଭମ କୁମାର ଜେନା, ମନୋରଂଜନ ପ୍ରଧାନ, ରାକେଶ କୁମାର ସାହୁ, ଲିଙ୍କନ ବାଗ, ମନୋରଂଜନ ଜେନା, ଦୀପକ କୁମାର ନାୟକ ପ୍ରମୁଖ ସାଉଣ୍ଡ ଏବଂ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।