୨୩ରେ ଜୋନ୍‌ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା

ଭୁବନେଶ୍ୱର : ‘ସମ୍ବାଦ’ର ୩୫ତମ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟର ପ୍ରମୁଖ ୯ଟି ସ୍ଥାନରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ବିତର୍କ ପ୍ରତିଯୋଗିତା ଏବଂ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇପାରିବେ।

ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ଜୟପୁର, ଯାଜପୁର, ଅନୁଗୁଳ ଓ ବାଲେଶ୍ୱରରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଏଥିପାଇଁ ସେପ୍ଟେମ୍ବର ୨୩ (ରବିବାର) ସକାଳ ୯ଟାରେ ନାମ ପଞ୍ଜୀକରଣ ହେବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ପଡ଼ିବନି। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଉପରୋକ୍ତ ସହରଗୁଡ଼ିକର କେଉଁ ସ୍ଥାନରେ ଆୟୋଜନ ହେବ ତାହା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ।

ଏହି ପ୍ରତିଯୋଗିତାର ବିଶେଷତ୍ୱ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ ଓ ସେଠାରେ ସେମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ଜୋନ୍‌ରେ ପ୍ରଥମ ତିନିଟି ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେବେ, ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର