ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗ: ଦୋଷ ଛଡ଼ାଉଛି ଉଚ୍ଚଶିକ୍ଷା ବିଭାଗ!

ସମ୍ବଲପୁର: ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିବା ଘଟଣା ନେଇ ସଚେତନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଉଚ୍ଚଶିକ୍ଷା ବିଭାଗ ଦୋଷ ଛଡ଼ାଇବା ନୀତି ଆପଣେଇଥିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଦୁର୍ନୀତି ପ୍ରସଂଗରେ ରାଜ୍ୟ ସରକାର ନିରବତା ଅବଲମ୍ବନ କରିଥିବା ନେଇ ପୂର୍ବତନ ସିଣ୍ଡିକେଟ ସଦସ୍ୟ, ସିନେଟ ସଦସ୍ୟ ଓ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ପ୍ରଫେସର ମିତ୍ତଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାରମ୍ବାର ଚିଠି ଲେଖି ଦାବି କରିବା ପରେ ବି ସରକାର ଚୁପ୍‌ ରହିବାରୁ ୨୬ ସେପ୍ଟେମ୍ବରରୁ ବିଶ୍ବବିଦ୍ୟାଳୟ ପରିସରରେ ଦିବାରାତ୍ରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ଚାପରେ ଆସି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରା ଗତ ୧୭ ତାରିଖ ଦିନ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି(୩୯୫୧୫/୧୭.୯.୨୨)ଲେଖି ଦୁଇଟି ପ୍ରଶ୍ନ ଉପରେ ଜବାବ ମାଗିଥିଲେ। ଦୁଇଟି ପ୍ରଶ୍ନ ହେଲା; ପ୍ର‌ଫେସର ମିତ୍ତଲଙ୍କ ବିରୋଧରେ ଆର୍ଥିକ ଅନିୟମିତତା ପ୍ରସଂଗରେ ଆପରାଧିକ ମାମଲା ରୁଜୁ ହୋଇଛି କି ? ପ୍ରଫେସର ମିତ୍ତଲଙ୍କଠାରୁ ଅର୍ଥ ଭରଣା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ? ‌କେବଳ ‌‌‌ସେତିକି ନୁ‌ହେଁ, ଉକ୍ତ ଚିଠିକୁ ଅତ୍ୟନ୍ତ ଜରୁରି ମନେକରି ରିପୋର୍ଟ ଦେବାକୁ କୁଳସଚିବଙ୍କୁ କହିବାକୁ ପଛେଇ ନଥିଲେ।

‌ଉଚ୍ଚଶିକ୍ଷା ବିଭାଗର ଉକ୍ତ ଚିଠିକୁ ନେଇ ଅଞ୍ଚଳର ସଚେତନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ପ୍ରଫେସର ମିତ୍ତଲ ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର କରିଥିବା ନେଇ ଅଭିଯୋଗ ହେବାପରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରିଥିଲା। ସେହି ତଦନ୍ତ ପରେ ଯଦିଓ ନାଟକୀୟ ଘଟଣାକ୍ରମରେ ପ୍ରଫେସର ସଂଜୀବ ମିତ୍ତଲ ଚାପରେ ଆସି ପ୍ରଥମେ ୩ଟି ଦଫାରେ ଛୁଟି ନେବା ଏବଂ ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କୁଳପତି ପଦରୁ ଇସ୍ତଫା ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ କିନ୍ତୁ ନିରବଦ୍ରଷ୍ଟା ସାଜିଥିଲା। ତଦନ୍ତ ରିପୋର୍ଟରୁ ଦୁର୍ନୀତି ସଂକ୍ରାନ୍ତରେ ସବୁ ସତକଥା ଜାଣିବା ପରେ ଉଚ୍ଚ ଶିକ୍ଷା ବିଭାଗ ନିଜେ ପ୍ରଫେସର ମିତ୍ତଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନଥିଲା କିମ୍ବା ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ ପ୍ରଶାସନକୁ ବି ଆବଶ୍ୟକ ନିର୍ଦ୍ଦେଶ ଦେଇନଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଯେଉଁ ଅଧିକାରୀ ତଦନ୍ତ କମିଟିର ନେତୃତ୍ବ ନେଉଥିଲେ, ସେହି ଅଧିକାରୀ ପାଲଟା ଏବେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ପ୍ରଫେସର ମିତ୍ତଲଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜବାବ ମାଗିଛନ୍ତି। ଏହି ଚିଠିର ଜବାବରେ ବିଶ୍ବବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ କ’ଣ ଉତ୍ତର ଦେଇଛନ୍ତି ତାହା ପ୍ରକାଶ କରିନଥିଲେ ହେଁ ସେ କହିଛନ୍ତି, ‘ଆମେ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଆମକୁ ନିର୍ଦ୍ଦେଶ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବୁ ।’

ସମ୍ବନ୍ଧିତ ଖବର