ଗୋଆ ଯାଇ ଆଉ ‌ଫେରିନାହାନ୍ତି ହରି, ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ

ନ୍ୟାୟ ପାଇଁ ମାନବ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେଲେ

ସମ୍ବଲପୁର : ଅଧିକ ପାରିଶ୍ରମିକ ମିଳିବାର ପ୍ରଲୋଭନ ଦେଖାଇ ଶ୍ରମିକ ଦଲାଲ ଜଣେ ଗରିବ ଶ୍ରମିକ ହରି ପିଙ୍ଗଙ୍କୁ ଗୋଆରେ ଛାଡ଼ି ଚାଲି ଆସିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏବେ ଦୀର୍ଘ ଅଢ଼େଇ ବର୍ଷ ହେଲା ହରି ପିଙ୍ଗଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ପତ୍ନୀ ସୁବାସିନୀ ପିଙ୍ଗ ବାରଂବାର ପୁଲିସ ପ୍ରଶାସନର ଦ୍ବାରସ୍ଥ ହେବା ପରେ ବି କିଛି ଲାଭ ହୋଇନାହିଁ। ତଥାପି, ଆଶା ଛାଡ଼ି ନାହାନ୍ତି ସେ। ଏ ନେଇ ସେ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ପୁଖରାମାଲ ନିବାସୀ ହରି ପିଙ୍ଗ ଓ ତାଙ୍କ ପତ୍ନୀ ମମତା ପିଙ୍ଗ। ଗତ ୨୦୧୮ ମସିହାରେ ସେହି ଗାଁର ଶ୍ରମିକ ଦଲାଲ ରମେଶ ରଣା ଗୋଆ ଯିବା ପାଇଁ ହରିଙ୍କୁ ପ୍ରଲୋଭନ ଦେଖାଇଥିଲା। ମମତା ବାରଣ କରିବାରୁ ନିଜ ବାଇକ୍ କାଗଜପତ୍ର, ଏଟିଏମ୍ କାର୍ଡ, ବ୍ୟାଙ୍କ ଖାତା ଆଦି ମମତାଙ୍କୁ ରଖିବାକୁ କହି ବିଶ୍ବାସ ଜନ୍ମାଇ ଥିଲା। ଆଉ ୮ ଜୁଲାଇ ୨୦୧୯ରେ ହରିଙ୍କୁ ଧରି ଗୋଆ ଚାଲି ଯାଇଥିଲା। ଗୋଆରେ ପହଂଚିବାର ଅନେକ ଦିନ ପର୍ଯ୍ୟନ୍ତ ଫୋନ୍ ବି କରିନଥିଲା ରମେଶ। ମମତା ତାଙ୍କୁ ଫୋନ୍ କରିବାରୁ ହରି ପାଗଳ ହୋଇଯାଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଥିଲା। ଏହା ଉପ‌ରେ ଆଉ ବର୍ଷ ପର୍ଯ୍ୟନ୍ତ ରମେଶ ସହିତ ଆଉ ଯୋଗାଯୋଗ ହୋଇପାରିନଥିଲା। କୋଭିଡ ସମୟରେ ୨୦୨୦ ମସିହାରେ ରମେଶ ଏକାକୀ ଚାଲି ଆସି ଗାଁ ପାଖ ଟିଏମ୍‌ସିରେ ରହିଥିଲା। ଏହା ଜଣାପଡ଼ିବା ପରେ ମମତା ଓ ତାଙ୍କର ସଂପର୍କୀୟମାନଙ୍କ ସହିତ ସେଠାରେ ପହଂଚି ଥିଲେ। ହରିଙ୍କ ସଂପର୍କରେ ପଚାରିବାରୁ ରମେଶ ପାଲଟା ଝଗଡ଼ା କରିଥିଲା। ଥାନାରେ ଅଭିଯୋଗ କରିବା ପରେ ବି ପୁଲିସ ରମେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ପାଲଟା ସେମାନଙ୍କ ସଂର୍ପକୀୟମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଥିଲା ବୋଲି ମମତା ଅଭିଯୋଗ କରିଛନ୍ତି।

ଏପଟେ ରମେଶ ପୁଣି ସୁରଟ ଚାଲି ଯାଇଥିବା ବେଳେ କିଛିଦିନ ତଳେ ଗାଁକୁ ଫେରିଛି। ପୁଲିସ ତା’ର କିଛି କରିପାରିବ ନାହିଁ ବୋଲି ଏବେ ସେ କହି ବୁଲୁଛି। ଏପଟେ ମହୁଲପାଲି ଥାନାରେ ନିଯୁକ୍ତ ୨ଜଣ ଥାନା ଅଧିକାରୀଙ୍କୁ ସେମାନଙ୍କ ସମୟରେ ଏନେଇ କିଛି କଲେ ନାହିଁ। ବର୍ତ୍ତମାନର ଥାନା ଅଧିକାରୀ କିଛି ପଦକ୍ଷେପ ନନେବାରୁ ଏସ୍‌ପିଙ୍କୁ ସାକ୍ଷାତ କରିଥିବା ସେ କହିଛନ୍ତି। ତାଙ୍କ ସ୍ବାମୀଙ୍କୁ ଖୋଜିବା ପାଇଁ ପୁଲିସ ପଦକ୍ଷେପ ନେଉନଥିବାରୁ ବାଧ୍ୟ ହୋଇ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ସନ୍ତାନସନ୍ତତି ମଧ୍ୟ ନଥିବାରୁ ସଂପୂର୍ଣ୍ଣ ଏକାକୀ ଜୀବନ ବିତାଉଥିବା ମମତା ତାଙ୍କ ସ୍ବାମୀ ହରିଙ୍କୁ ଫେରାଇ ଆଣିବା ଏବଂ ଶ୍ରମିକ ଦଲାଲ ଏବଂ କାର୍ଯ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ମହୁଲପାଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କୁ ପଚାରିବାରୁ ସେ କହିଲେ, ଏସ୍‌ଆଇ ଦିଲୀପ କୁମାର ବେହେରାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି। ସେ ଏବେ ଛୁଟିରେ ଅଛନ୍ତି। ସେ ଛୁଟିରୁ ଫେରିବା ପରେ ତାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଗଠନ କରାଯିବ। ଏହି ଟିମ୍ ଶୀଘ୍ର ଗୋଆ ଯାଇ ହରିଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର