ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୧୦ ଦିନରେ ୪ ହତ୍ୟାକାଣ୍ଡ ଘଟିଛି। ୪ ମାସ ହେଲା ଡିଆଇଜି, ମାସେ ହେଲା ଏସପି ପଦ ଖାଲି ପଡ଼ିଛି। ଏଥିସହିତ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ ଏବଂ ତହସିଲ କାର୍ଯ୍ୟାଳୟଗୁଡ଼ିକ ସ୍ଥାଣୁ ପାଲଟିଛି। ଏଥିପ୍ରତି ଦୃଷ୍ଟି ଦିଆନଗଲେ କଡ଼ା ଆଭିମୁଖ୍ୟ ପୋଷଣ ହେବ।
ସମ୍ବଲପୁର ବାର ଆସୋସିଏସନର ନୂଆ ପଦାଧିକାରୀ ନିର୍ବାଚନ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆସୋସିଏସନ ସଭାପତି ଡ.ପ୍ରମୋଦ ରଥ। ସେ କହିଛନ୍ତି, ବର୍ତ୍ତମାନ ନିଷ୍କ୍ରିୟ ଅପରାଧୀ ସକ୍ରିୟ ହୋଇ ସମ୍ବଲପୁରକୁ କବ୍ଜା କରି ନେଇଛନ୍ତି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏହାର ଉଦାହରଣ। ପ୍ରତିଟି ଅପରାଧର ପଛରେ ରହିଛି କୋରେକ୍ସ ଓ ନିଶା। ଜିଲ୍ଲାରେ କୋରେକ୍ସ କାରବାର ନେଇ ପୁଲିସ ସମ୍ପୂର୍ଣ୍ଣ ଅବଗତ। ଏହା ସତ୍ତ୍ବେ ଏହାର ନିୟନ୍ତ୍ରଣ ନେଇ ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜବତ କୋରେକ୍ସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଉ ନାହିଁ। ଡ୍ରଗ ଇନ୍ସପେକ୍ଟରଙ୍କ କାର୍ଯ୍ୟ ଔଷଧ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନରେ ସୀମିତ ରହିଛି।
କୋରେକ୍ସ ରୋକିବାରେ କୌଣସି ସକ୍ରୟତା ନଦେଖାଇବା ଦୁର୍ଭାଗ୍ୟଜନକ। ଜମି ମାଫିଆଙ୍କ ପ୍ରଭାବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଓକିଲ ସଂଘର ଏକ କର୍ମକର୍ତ୍ତା ଦଳ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏସ୍ପି, ଡିଆଇଜିଙ୍କ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି। କୁଲୁଥକାନୀରେ ସ୍ଥିତ ୧୪ ଏକର ସରକାରୀ ଜମିକୁ କିଛି ମାଫିଆ କବ୍ଜା କରିବାକୁ ଚେଷ୍ଟା କରୁଥିବା ନେଇ ଓକିଲ ସଂଘ ଅଭିଯୋଗ କରିଛି।ଏଠାରେ ଖେଳ ପଡ଼ିଆ କରାଯିବା ଉଚିତ ବୋଲି କୁହାଯାଇଛି। ସମ୍ପାଦକ ରବି ପୂଜାରୀ କହିଛନ୍ତି, ସମ୍ବଲପୁର, ରେଙ୍ଗାଲି, ମାନେଶ୍ବର ତହସିଲ ଅଫିସ ସ୍ଥାଣୁ ପାଲଟି ସାରିଛି। ମ୍ୟୁଟେସନ, ଡିମାରକେସନ, ଓଏଲଆର କୌଣସି କାର୍ଯ୍ୟ ହେଉ ନାହିଁ। ସବୁ ଆବେଦନ ପେଣ୍ଡିଂ ପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ସଂଘର ଚନ୍ଦ୍ରକାନ୍ତ ମହାନ୍ତି, ରବି ପୂଜାରୀ, ଅନୂପ ତରିଆ, ଅନୂପ ପଟ୍ଟନାୟକ, ଆଫ୍ତାବ ଆଲମ୍, ଦେଓକିରଣ ପଟ୍ଟନାୟକ, ସତ୍ୟ ପୁରୋହିତ, ପ୍ରଶାନ୍ତ କର, ଆଶିଷ ପଣ୍ଡା ଓ ଅରବିନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।