ବାଲୁଂକେଶ୍ବରଙ୍କ ବିବାହ ପାଇଁ ଦେବାଦେବୀଙ୍କୁ ନିମନ୍ତ୍ରଣ : ବିନା ଶୋଭାଯାତ୍ରାରେ ହେଲା ନୃସିଂହ ନିଉତା

ସମ୍ବଲପୁର : ବଂବଂ ବରାଡ଼ ବାଲୁଙ୍କେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରବିବାର ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଆଜି ନା ଥିଲା ବାଦ୍ୟ, ନୃତ୍ୟ, ନା ଥିଲା ଶୋଭାଯାତ୍ରା। ଏପରିକି ଭଗବାନ ନୃସିଂହ ନିଜ ସୁସଜ୍ଜିତ ପରଭା ଓ ବିମାନରେ ଏଥର ବିରାଜମାନ ହୋଇ ନଥିଲେ। କେବଳ ମନ୍ଦିର ଭିତରେ ତାଙ୍କର ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା। କିନ୍ତୁ କୋଭିଡ୍ ଜନିତ ଜରୁରୀ ପରିସ୍ଥିତି କାରଣରୁ ଭଗବାନ ନୃସିଂହ ଏଥର ଦେବ ନିମନ୍ତ୍ରଣ ପାଇଁ ଶଶରୀରେ ଦେବାଳୟ ଗୁଡ଼ିକୁ ଯାଇ ନଥିଲେ। ତାଙ୍କ ତରଫରୁ ପଡ଼ାର ମୁରବିଗଣ ନିୟମିତ ଶୋଭାଯାତ୍ରା ପଥରେ ଥିବା ବିଭିନ୍ନ ଦେବାଳୟକୁ ଯାଇ ବାଲୁଙ୍କେଶ୍ବର ବାବାଙ୍କ ବିବାହରେ ଯୋଗ ଦେବା ନିମନ୍ତେ ଅନ୍ୟ ଦେବାଦେବୀ ମାନଙ୍କୁ ଗୁଆ ନିଉତା ପ୍ରଦାନ କରିଥିଲେ। ଦେବନିମନ୍ତ୍ରଣ କାର୍ଯ୍ୟକ୍ରମରେ ବରପିତା ରାମଚରଣ ମିଶ୍ର, ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ଚକ୍ରଧର ମିଶ୍ର, ଫଣିଭୂଷଣ ମିଶ୍ର, ସମୀର ବାବୁ ପ୍ରମୁଖ ପଡ଼ା ମୁରବୀ ଗଣ ଓ ପଣ୍ଡିତ ଶଶାଂକ ମିଶ୍ର ସାମିଲ ହୋଇଥିଲେ। ପୂର୍ବରୁ ହୋଇଥିବା ନିଷ୍ପତ୍ତି ‌ଅନୁଯାୟୀ ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟି ପକ୍ଷରୁ ନୃସିଂହ ନିୟୁତା କାର୍ଯ୍ୟକ୍ରମକୁ ଅତ୍ୟନ୍ତ ନିରାଡ଼ମ୍ବରଭାବେ ସମ୍ପନ୍ନ କରା ଯାଇଥିଲା। ସାମାଜିକ ଦୂରତା ରଖି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା। ଏଥର ନୃସିଂହ ଭଗବାନ ଶୋଭାଯାତ୍ରାରେ ବିଭିନ୍ନ ଦେବାଳୟକୁ ନଯିବା ଚଳିତ ଶୀତଳଷଷ୍ଠୀ ଯାତ୍ରାର ପ୍ରଥମ ବ୍ୟତିକ୍ରମ ହୋଇଛି।

ସମ୍ବନ୍ଧିତ ଖବର