ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼; ୨ ଗିରଫ, ବନ୍ଧୁକ ଜବତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଠେଲକଲୋଇ ଥାନା ଅନ୍ତର୍ଗତ ବେଉରା ଗ୍ରାମରେ ନିର୍ବାଚନୀ ହିଂସା ଦେଖାଦେଇଛି। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳି ଚାଳନା ହୋଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହିତ ବନ୍ଧୁକ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ ରେଙ୍ଗାଲି ବ୍ଲକ୍‌ ଘିଚାମୁରା ପଞ୍ଚାୟତରେ ଚଳିତ ନିର୍ବାଚନରେ ୯ ଜଣ ସରପଞ୍ଚ ପଦ ଲାଗି ନିର୍ବାଚନ ଲଢ଼ୁଛନ୍ତି। ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବେଉଁରା ଗ୍ରାମର ଲଳିତ ସାହୁ ମଧ୍ୟ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲଳିତଙ୍କ ଘର ସମ୍ମୁଖରେ ଫାଙ୍କା ଗୁଳି ଚଳାଇବା ସହ ଘରକୁ ମଧ୍ୟ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ୩ଟି ଗୁଳି ତାଙ୍କ କବାଟକୁ କଣା କରି ଦେଇଛି। ଘର ବାହାରେ ଏତେ ଜୋରରେ ଗୁଳି ଫୁଟି ଥିଲା ଯେ ଲୋକେ ବୋମା ବିସ୍ଫୋରଣ ହୋଇଛି ବୋଲି ଭାବିଥିଲେ। ଠେଲକଲୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସମ୍ବଲପୁର ଏସ୍‌ଡିପିଓ ପ୍ରଦୀପ ସାହୁ ଓ ଥାନା ଅଧିକାରୀ ତଦନ୍ତ କରିଥିଲେ। ବହୁ ଖୋଜାଖୋଜି ପରେ ଜଙ୍ଗଲରୁ ବେଉରା ଗ୍ରାମର ସୁଦର୍ଶନ କିଷାନ ଓ ଚୈତନ୍ୟ କିଷାନକୁ ପୁଲିସ ଗିରଫ କରିଛି। ତାଙ୍କ ପାଖରୁ ୨ଟି ବନ୍ଧୁକ ଓ ଗୁଳି ଜବତ କରାଯାଇଛି।

ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ତ‌େ‌ବେ, ସେମାନ କାହା କଥାରେ ଏପରି ଗୁଳି ଚାଳନା କଲେ ଏବଂ ଏଥିରେ ଆଉ କିଏ କିଏ ସଂପୃକ୍ତ ତାହାକୁ ନେଇ ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି। ଅନ୍ୟପକ୍ଷରେ ଏହି ଗୁଳିକାଣ୍ଡ ଫଳରେ ପୂରା ପଞ୍ଚାୟତରେ ଭୟର ବାତାବରଣ ଖୋଳି ଯାଇଛି। ପ୍ରକାଶଥାଉ କି, ଲଳିତଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସାହୁ ବର୍ତ୍ତମାନ ସରପଞ୍ଚ ଅଛନ୍ତି।

ସମ୍ବନ୍ଧିତ ଖବର