ସମ୍ବଲପୁର: ଅକ୍ଷୟ ତୃତୀୟାରେ ୫ କୋଟିର ଗହଣା ବିକ୍ରି

ସମ୍ବଲପୁର : ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁର ସହରରେ ପ୍ରାୟ ୫ କୋଟି ଟଙ୍କାର ଗହଣା କାରବାର ହୋଇଛି। ଏହି ଦିନ ସୁନା କିମ୍ବା ରୁପା ଗହଣା କିଣିଲେ ଘରକୁ ସମୃଦ୍ଧି ଅସିଥାଏ ବୋଲି ବିଶ୍ବାସ ରହିଛି। ଧନତେରସ ପରେ ଏହି ଦିନ ବର୍ଷର ସର୍ବାଧିକ ସୁନା ବିକ୍ରି ହୋଇଥାଏ। ତେଣୁ ସାଧାରଣ ଦିନର ହାରାହାରି ବିକ୍ରି ତୁଳନାରେ ୫ ଗୁଣ ଅଧିକ ବିକ୍ରି ହୋଇଥିବା ସମ୍ବଲପୁରର ଗହଣା ଦୋକାନୀଙ୍କ ସୂତ୍ରରୁ ପ୍ରକାଶ।

ମଙ୍ଗଳବାର ଦିନ ତମାମ ସମ୍ବଲପୁରର ବିଭିନ୍ନ ଗହଣା ଦୋକାନରେ ଭିଡ଼ ଲାଗି ରହିଥିଲା। ଲୋକେ ସୁନା, ରୂପା ଅଳଙ୍କାର, ମୂର୍ତ୍ତି, ପୂଜା ବାସନ ଆଦି କିଣିଥିଲେ। ମୁଖ୍ୟତଃ ସୁନା ଅଳଙ୍କାର ବିକ୍ରି ହୋଇଥିଲା। ମହିଳାମାନେ ବିଭିନ୍ନ ଡିଜାଇନ୍‌ର ଅଳଙ୍କାର କିଣିବାରେ ଅଧିକ ଆଗ୍ରହ ଦେଖାଇଥିଲେ। କେହି କେହି ବିଧି ରକ୍ଷା ପାଇଁ ଛୋଟଛୋଟ ଅଳଙ୍କାର କିଣିଥିଲା ବେଳେ କିଛି ଲୋକ ନିଜ ଦରକାର ଅନୁଯାୟୀ ବଡ଼ ଧରଣର କ୍ରୟ କରିଥିଲେ। ବିବାହ ସିଜନ ଚାଲିଥିବାରୁ ଅନେକ ଲୋକ ବିବାହ ଅଳଙ୍କାର ଗୁଡ଼ିକ ମଧୢ ଆଜି ଘରକୁ ନେଇଥିଲେ। ଭିଡ଼ ଏଡ଼ାଇବା ପାଇଁ କିଛି ଲୋକ ପୂର୍ବରୁ ଗହଣା ବାଛି ଆଗୁଆ ବୁକି˚ କରିଥିଲାବେଳେ ଆଜି କେବଳ ଟଙ୍କା ଦେଇ ତାହା ଘରକୁ ନେଇଥିଲେ। ଆଜି ବିଭିନ୍ନ ଅଳଙ୍କାର ଦୋକାନ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ଓ ରିହାତି ଦିଆ ଯାଉଥିବାରୁ ମଧୢ ଲୋକେ ତାର ଲାଭ ଉଠାଇବାକୁ ଚାହିଁଥିଲେ। ସହରର ଛୋଟବଡ଼ ସମସ୍ତ ଦୋକାନକୁ ମିଶାଇଲେ ମଙ୍ଗଳବାର ଗୋଟିଏ ଦିନରେ ପ୍ରାୟ ୮ କେଜିରୁ ଅଧିକ ଓଜନର ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି। ସକାଳ ୯ଟାରୁ ରାତି ପ୍ରାୟ ୧୦ଟା ଯାଏ ଅଳଙ୍କାର ଦୋକାନ ଗୁଡ଼ିକରେ ଭିଡ଼ ଲାଗି ରହିଥିଲା। କିଛି ଦୋକାନୀ ଗ୍ରାହକଙ୍କୁ ସରବତ, ମିଷ୍ଟାନ୍ନ ଆଦିରେ ଅପ୍ୟାୟିତ କରିଥିଲେ। ଆଜି ମଧ୍ୟ ଗହଣା ଦୋକାନ ଗୁଡ଼ିକୁ ସୁନ୍ଦର ଭାବେ ସଜା ଯାଇଥିଲା।

ସମ୍ବନ୍ଧିତ ଖବର