ସମ୍ବଲପୁର: ପଶ୍ଚିମ ଓଡ଼ିଶା ସହ ପୂର୍ବ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସରିବାର ନାଁ’ ଧରୁନଥିବା ବେଳେ ଏବେ ହାତୀ ଚଲାପଥ (ଅଣ୍ଡରପାସ୍) ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଛି। ଏକ ନିର୍ଦ୍ଦିଷ୍ଟ ବ୍ୟାବସାୟିକ ପ୍ରତିଷ୍ଠାନକୁ ସୁରକ୍ଷା ଦେବା ପାଇଁ ହାତୀ ଅଣ୍ଡରପାସ୍ ସେତୁର ଲମ୍ବା ସଂକୁଚିତ କରିବାକୁ ଯୋଜନା କରାଯାଇଛି। ଆଉ ଏଥିପାଇଁ ବଡ଼ ଡିଲ୍ ହୋଇଥିବା ଅଭିଯୋଗ ଆସିଛି।
୨୦୧୬ ମସିହାରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାମ ସରିନାହିଁ। ସମ୍ବଲପୁର-ଅନୁଗୁଳ ୧୫୧ କିଲୋମିଟର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଠିକା ନେଇଥିବା ଗାୟତ୍ରୀ ପ୍ରୋଜେକ୍ଟସ୍ କାର୍ଯ୍ୟାଦେଶ ପାଇବାର ୬ ବର୍ଷ ପରେ ବି କାମ ସଂପୂର୍ଣ୍ଣ କରିପାରିନଥିଲା। ୯ ମାସ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବନ୍ଦ ରହିବା ପରେ ୨୫ ଏପ୍ରିଲ ୨୦୨୨ରେ ଏନ୍ଏଚ୍ଏଆଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ପରିଶେଷରେ ଗାୟତ୍ରୀ ପ୍ରୋଜେକ୍ଟସ୍ ଏବଂ ଏଆଇପିଏଲ୍ ମଧ୍ୟରେ ଚୁକ୍ତି ହେବା ପରେ ଜୁଲାଇ ୨୦୨୨ରୁ ନୂଆ ଠିକାସଂସ୍ଥା ଏଆଇପିଏଲ୍ କାମ ଆରମ୍ଭ କରିଥିଲା। ଇତିମଧ୍ୟରେ ଏଆଇପିଏଲ୍ର ପ୍ରଦତ୍ତ ଅବଧି ଶେଷ ହେବା ପରେ ବି କାମ ଅଧୁରା ରହିଛି। ଅନ୍ୟପକ୍ଷରେ ଅତିରିକ୍ତ ୧୧୬ କୋଟି ଟଙ୍କା ବ୍ୟୟରେ ୧୨ଟି ହାତୀ ଚଲାପଥ (ଅଣ୍ଡର ପାସ୍) କାମ ଚାଲିଛି।
ଯୁଯୁମୁରା ନିକଟରେ ହାତୀ ଚଲାପଥ ରାଜପଥ ଉପରେ ଯେଉଁ ସେତୁ ନିର୍ମାଣ ଚାଲିଛି, ସେଥିରେ ମୂଳ ପ୍ଲାନିଂରେ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି। ମୂଳ ଯୋଜନା ଅନୁଯାୟୀ ସେତୁ ନିର୍ମାଣ ହେଲେ ଜଣେ ବ୍ୟବସାୟୀଙ୍କ ହୋଟେଲ ଓ ପଟ୍ରୋଲ ପମ୍ପକୁ କ୍ଷତି ସହିବାକୁ ପଡ଼ିବ। ଗାଡ଼ିଗୁଡ଼ିକ ସେତୁ ଉପରେ ଗଲେ ଆଉ ଭଲ ବେପାର ହେବନାହିଁ। ତେଣୁ ସଂପୃକ୍ତ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେତୁର ସମ୍ବଲପୁର ପାର୍ଶ୍ବର ଲମ୍ବା ଛୋଟ କରିବା ଯୋଜନା ଚାଲିଛି।
ନ୍ୟ ପାର୍ଶ୍ବର ସେତୁ ନିର୍ମାଣ କାମ ସରିଥିଲେ ବି ଏହି ପାର୍ଶ୍ବର କାମ ପରିବର୍ତ୍ତିତ ଯୋଜନା ଅନୁଯାୟୀ ଚାଲିଛି। ହେଲେ ସେତୁର ଅପରପାର୍ଶ୍ବ ଅପେକ୍ଷା ସମ୍ବଲପୁର ପଟେ ଛୋଟ କରାଗଲେ ସଂପୃକ୍ତ ବ୍ୟବସାୟୀଙ୍କ ହୋଟେଲ, ବାର୍ ଓ ପଟ୍ରୋଲ ପମ୍ପର ବେପାର ମାନ୍ଦା ହେବା ଆଶଙ୍କା ରହିଛି। ଏଥିପାଇଁ ଦେବଝରଣ ଜଳପ୍ରପାତକୁ ରାସ୍ତା ଦେବାର ଆଳ ଦେଖାଇ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ସହିତ ଡିଲ୍ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ କେତେକ ସ୍ଥାନୀୟ ଜନପ୍ରତିନିଧି ବି ଏହାକୁ ସମର୍ଥନ କରୁଥିବା ଜଣାପଡ଼ିଛି। ତେବେ ଏହି ଯୋଜନା ଅନୁଯାୟୀ, ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ସେହି ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ରହିବ। ଦେବଝରଣକୁ ଯଦି ରାସ୍ତା ଦିଆଯିବ, ତାହେଲେ ସେଠାରେ ସର୍ଭିସ୍ ରୋଡ୍ ନିର୍ମାଣ କରାଗଲେ କୌଣସି ସମସ୍ୟା ରହନ୍ତା ନାହିଁ। ତାହା ନକରି ସେତୁର ଗୋଟିଏ ପାର୍ଶ୍ବକୁ ସଂକୁଚିତ କରାଯିବା ଦ୍ବାରା ତାହା ଅଧିକ ଢାଲୁ ହେବା ସହିତ ଦୁର୍ଘଟଣାପ୍ରବଣ ଜାଗାରେ ପରିଣତ ହେବ। ଏ ସଂକ୍ରାନ୍ତରେ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ ସାହୁଙ୍କୁ ପଚାରିବାରୁ ସେ କହିଲେ, କିଛି ଲୋକ ସେଭଳି ପ୍ରସ୍ତାବ ନେଇ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ମୁଁ ମନା କରିଦେଇଛି। ଆମେ ସେଠାରେ ସର୍ଭିସ୍ ରୋଡ୍ ଦେବୁ ବୋଲି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/15BI3ueIKojw1a105CIq.jpg)