ସମ୍ବଲପୁର ବିଧାନସଭା: ଆଗରୁ ମିଳୁଥିଲା ମନ୍ତ୍ରୀପଦ, ଏବେ ନାହିଁ

ସମ୍ବଲପୁର: ସମ୍ବଲପୁର ବିଧାନସଭା ଆସନ ବିଜେପିର ଗଡ଼ । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ୫ ଥର ଏଠାରେ ବିଜେପି ନିଜର ବିଜୟ ଧ୍ବଜା ଉଡ଼ାଇଛି। ଯେତେବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ବିଜେପି ପରାଜିତ ହେଉଥିଲା ସମ୍ବଲପୁର ବିଧାନସଭା ମତଦାତା ବିଜେପିକୁ ଭୋଟ ଦେଉଥିଲେ। ଏପରିକି ୨୦୦୯ ମସିହାରେ ସମଗ୍ର ରାଜ୍ୟରେ ବିଜେପିର ମାତ୍ର ୬ ଜଣ ବିଧାୟକଙ୍କ ମଧ୍ୟରୁ ସମ୍ବଲପୁର ବିଧାୟକ ଅନ୍ୟତମ ଥିଲେ। ତେଣୁ ଆଶା ଥିଲା ରାଜ୍ୟରେ ବିଜେପି ସରକାର ଗଠନ ପରେ ସମ୍ବଲପୁରରୁ ପ୍ରତିନିଧିତ୍ବ ରହିବ। ମାତ୍ର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ଦେଇ ମତଦାତାଙ୍କୁ ନିରାଶ କରାଯାଇଛି। ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନତାର ପ୍ରାଥମିକ ପର୍ଯ୍ୟାୟରେ ସମ୍ବଲପୁରକୁ ମନ୍ତ୍ରୀ ପଦ ମିଳୁଥିଲା, କିନ୍ତୁ ସମୟକ୍ରମେ ସେ ସ୍ଥିତି‌ରେ ପରିବର୍ତ୍ତନ ହୋଇଥିବା ତଥ୍ୟାଭିଜ୍ଞମାନେ ମତ ଦେଉଛନ୍ତି।

ରାଜ୍ୟର ପ୍ରଥମ ମନ୍ତ୍ରିମଣ୍ଡଳ ୧୯୩୭ ମସିହାରେ ଗଠିତ ହୋଇଥିଲା। ଏଥିରେ ସ୍ଥାନ ପାଇଥିଲେ ସମ୍ବଲପୁର ବିଧାୟକ ବୋଧରାମ ଦୁବେ। ବିଶ୍ବନାଥ ଦାସ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ସମୟରେ ବୋଧରାମ ଦୁବେ ଶିକ୍ଷାମନ୍ତ୍ରୀ ଭାବରେ ଶିକ୍ଷାନୀତି ଆଗତ କରିଥିଲେ। ସ୍ବାଧୀନତା ପରେ ୧୯୫୧ ମସିହାରେ ସ୍ବାଧୀନ ଭାରତରେ ପ୍ରଥମ ବିଧାନସଭା ଗଠନ ହୋଇଥିଲା। ଏଥିରେ ସମ୍ବଲପୁର ବିଧାୟକ ତଥା ଗଣତନ୍ତ୍ର ପରିଷଦ ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳ ନେତା ହୋଇଥିଲେ। ୧୯୫୭ ମସିହାରେ ମିଳିତ ମନ୍ତ୍ରିମଣ୍ଡଳରେ ଆଇନଜୀବୀ ଲକ୍ଷ୍ମୀପ୍ରସାଦ ମିଶ୍ର ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ। ୧୯୬୧-୬୨ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରେଭେନ୍ସାରେ ବିଜୁ ପଟ୍ଟନାୟକ ପଢୁଥିବା ସମୟରେ ବନମାଳୀ ବାବୁ ତାଙ୍କ ତଳ ବ୍ୟାଚ୍‌ରେ ପଢୁଥିଲେ। ବନମାଳୀବାବୁ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚା ହେଉଥିଲା। କିନ୍ତୁ, ବନମାଳୀଙ୍କ ବିରୋଧୀମାନଙ୍କ ପକ୍ଷରୁ ତାଙ୍କୁ ମନ୍ତ୍ରୀ ପଦ ନ ଦେବାପାଇଁ ଚାପ ପ୍ରୟୋଗ କରାଯାଇଥିଲା। ବିଜୁ ପଟ୍ଟନାୟକ ତାଙ୍କୁ ଉପମୁଖ୍ୟମନ୍ତ୍ରୀର ଦାୟିତ୍ବ ଦେବାରୁ ସେ ଏହାକୁ ମନା କରି ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଭାବରେ ବିଜୁ ପଟ୍ଟନାୟକଙ୍କ ଇସ୍ତଫା ପରେ ବୀରେନ ମିତ୍ର ଏବଂ ସଦାଶିବ ତ୍ରିପାଠୀ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମାନଙ୍କ ମନ୍ତ୍ରିମଣ୍ଡଳରେ ବନମାଳୀ ବାବୁ ଆଇନ, ନଗରଉନ୍ନୟନ, ରାଜନୈତିକ ବ୍ୟାପାର ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୧୯୬୭ ମସିହାରେ ବିଧାନସଭା ନିର୍ବାଚନରେ ବନମାଳୀ ବାବୁ କଂଗ୍ରେସ ଟିକେଟରେ ଜିତିଥିଲେ। କଂଗ୍ରେସ ବିଧାୟକ ଦଳର ସମ୍ପାଦକ ହୋଇଥିଲେ। ୧୯୭୧ ମସିହାରେ ବିଧାୟକ ଶ୍ରୀବଲ୍ଲଭ ପାଣିଗ୍ରାହୀ ଉଭୟ ନନ୍ଦିନୀ ଶତପଥୀ ଏବଂ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥାତ ୧୯୭୨ରୁ ୧୯୭୭ ମସିହା ମଧ୍ୟରେ ଆଇନ, ରାଜସ୍ବ, ଶିକ୍ଷା ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ଏହାପରେ ଜନତା ପାର୍ଟି ପକ୍ଷରୁ ଝସକେତନ ସାହୁ ବିଧାୟକ ହୋଇଥିଲେ। ସେ ମଧ୍ୟ ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳରେ ଅବକାରୀ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୮୦ ମସିହାରେ କଂଗ୍ରେସ ଦଳ ଶାସନକୁ ଆସିଥିଲା।

ସମ୍ବଲପୁର ବିଧାନସଭା ଆସନକୁ କଂଗ୍ରେସ ନେତା ଅଶ୍ବିନୀ ଗୁରୁ କବ୍‌ଜା କରିଥିଲେ ମଧ୍ୟ ସେ ମନ୍ତ୍ରୀ ହୋଇ ପାରିଲେ ନାହିଁ। ୧୯୮୫ ମସିହାରେ ଶ୍ରଦ୍ଧାକର ସୂପକାର ଶାସକ ଦଳର ବିଧାୟକ ହୋଇ ମଧ୍ୟ ମନ୍ତ୍ରୀ ପଦ ପାଇନଥିଲେ। ୧୯୯୫ ମସିହାରେ ଜାନକୀ ପଟ୍ଟନାୟକଙ୍କ ଶାସନ ସମୟରେ ସମ୍ବଲପୁର ବିଧାୟକ ଦୁର୍ଗାଶଙ୍କର ପଟ୍ଟନାୟକ ଶ୍ରମ ମନ୍ତ୍ରୀ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ଜୟନାରାୟଣ ପ୍ରଥମେ ଉପମୁଖ୍ୟ ସଚେତକ ଏବଂ ୨୦୦୪ ମସିହାରେ ପରିବହନ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ ମସିହାରେ ସମ୍ବଲପୁର ବିଧାନସଭା ଆସନକୁ ଶାସକ ଦଳର ବିଧାୟକ ମିଳିଥିଲେ ମଧ୍ୟ ମନ୍ତ୍ରୀ ପଦ ମିଳିଲା ନାହିଁ। ୨୦୧୯ ମସିହାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇଥିଲେ।

ସମ୍ବନ୍ଧିତ ଖବର