ସମ୍ବଲପୁର : ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା ଆସନ ଅକ୍ତିଆର କରିବା ଏଥର କୌଣସି ଦଳ ପାଇଁ ସହଜ ହେବ ନାହିଁ। ରାଜ୍ୟର ଶାସକ ଦଳ ବିଜେଡି ପାଇଁ ଗୋଷ୍ଠୀ ବିବାଦ ସାଂଗକୁ ବିକାଶ ଏକ ବଡ଼ ପ୍ରସଂଗ ହେବ। ଅନ୍ୟପ‌କ୍ଷରେ ବିଧାୟକ ଓ ସାଂସଦଙ୍କ ଲମ୍ବା ଅନୁପସ୍ଥିତି ବିଜେପି ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ନିଜ ପୂର୍ବ ଗଡ଼ ସମ୍ବଲପୁରକୁ ଅକ୍ତିଆର ନିମନ୍ତେ ଦୁର୍ବଳ ସଂଗଠନକୁ କଂଗ୍ରେସ ସଜାଡ଼ିବା ଆରମ୍ଭ କରିଥିଲେ ହେଁ ବି କଷ୍ଟକର ମନେହେଉଥିବା ଚର୍ଚ୍ଚା ଚାଲିଛି।

Advertisment

ଗତ ୧୯୫୧ ମସିହାରୁ ଏପର୍ଯ୍ୟନ୍ତ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମ୍ବଲପୁରବାସୀ ସର୍ବାଧିକ ୭ ଥର କଂଗ୍ରେସକୁ ଜିତାଇଛନ୍ତି। ପ୍ରଥମ ୨ଟି ନିର୍ବାଚନ ଗଣତନ୍ତ୍ର ପରିଷଦ ଜିତିଥିବା ବେଳେ ସ୍ବତନ୍ତ୍ର ପାର୍ଟି, ଜନତା ପାର୍ଟି ଏବଂ ବିଜେଡିକୁ ଥର ଲେଖାଏଁ ସୁଯୋଗ ମିଳିଛି। ତ‌େବେ, ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଏଠାରୁ କ୍ଷମତାରେ ଅଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ ଗତ ୨୦୦୦ ମସିହାରୁ କ୍ରମାଗତ ୩ ଥର ନିର୍ବାଚନ ଜିତି ଏଠାକାର ସବୁ ପୂର୍ବ ରେକର୍ଡ ଭାଂଗିଥିଲେ।

୨୦୧୯ ନିର୍ବାଚନରେ ବିଜେଡିର ରାସଶ୍ବେରୀ ପାଣିଗ୍ରାହୀଙ୍କୁ ୪୩୮୦ ଭୋଟରେ ହରାଇ ତାଙ୍କ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ। ବିରୋଧୀ ଦଳର ନେତା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଜୟନାରୟଣଙ୍କୁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ସମ୍ବଲପୁରବାସୀଙ୍କଠାରୁ ପ୍ରାୟତଃ ଦୂରରେ ‌ରହିବାକୁ ପଡ଼ୁଛି। ଅନ୍ୟ ପଟେ ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଂଗଦେବଙ୍କ ମଧ୍ୟ ନିର୍ବାଚନ ପରଠାରୁ ଦେଖାଦର୍ଶନ ମିଳୁନାହିଁ। ଦୁଇ ଜନପ୍ରତିନିଧିଙ୍କ ଅନୁପସ୍ଥିତି ବିଜେଡି ପାଇଁ ସୁବିଧା ହେବା କଥା। ହେଲେ, ବିଜେଡି ଗୋଟିଏ ପଟେ ଗୋଷ୍ଠୀ ବିବାଦରେ ଛନ୍ଦି ହୋଇଥିବା ବେଳେ ଅନ୍ୟ ପଟେ ସମ୍ବଲପୁରରେ ବିକାଶ ବାଧାପ୍ରାପ୍ତ ଅନ୍ୟ ଏକ ସମସ୍ୟା ସୃଷ୍ଟି କରୁଛି। ପୂର୍ବ ପ୍ରସ୍ତାବିତ ବହୁ ପ୍ରକଳ୍ପ ଏବେ ଶୀତଳଭଣ୍ଡାରରେ କିମ୍ବା ଅଧୁରା ପଡ଼ିଛି। ଏହାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ହାଇକୋର୍ଟ ବେଞ୍ଚ ପ୍ରସଂଗ ଏବଂ ହନୁମାନ ଜୟନ୍ତୀ ସମୟର ସୃଷ୍ଟି ହୋଇଥିବା ହିଂସା ମଧ୍ୟ ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛି। ଆସଫ ଅଲୀ ଖାନ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ନେବା ପରେ ସଂଗଠନ ସଜାଡ଼ିବା ପାଇଁ ପୂରା ଦମ୍‌ରେ ଲାଗିଛିନ୍ତି।

ଗତ କିଛିବର୍ଷ ହେଲା ଯେଉଁ ପୁରୁଣା ନେତା ଓ କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟ ପାଖ ମାଡ଼ୁନଥିଲେ, ଏବେ ସେମାନଙ୍କୁ ସେଠାରେ ଦେଖିବାକୁ ମିଳୁଛି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ୍ବର ମିଶ୍ର, ଦୁର୍ଗା ପାଢ଼ୀ, ଦୁଲାଲ ପ୍ରଧାନ, ସୁଧୀର ପଣ୍ଡା ପ୍ରମୁଖ ଟିକେଟ ଆଶାୟୀ ତାଲିକା ରହିଛନ୍ତି। ସ୍ବାସ୍ଥ୍ୟ ବାଧକ ନହେଲେ ଜୟନାରାୟଣ ମିଶ୍ର ବିଜେପି ଟିକେଟରେ ପୁଣି ଲଢ଼ି‌‌ବା ନିଶ୍ଚିତ। ତଥାପି, ଗିରୀଶ ପଟେଲ, ଅନୀଲ ବେହେରା, ସୀମାଂଚଳ ଖଟେଇ, ଦାମୋଦର କର, ଇଂ. ସୁଧୀର ବହିଦାରଙ୍କ ସହିତ ଅନେକ ନେତା ଆଶାୟୀ ରହିଛନ୍ତି। ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଯଦିଓ ବିଜେଡି ପାଇଁ ପ୍ରଥମ ପସନ୍ଦ ହୋଇପାରନ୍ତି, ତଥାପି ସ୍ବାସ୍ଥ୍ୟଗତ କାରଣ ଓ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ସେ ‌ସେତେଟା ଆଗ୍ରହୀ ନଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ, ସଂଜୟ ବାବୁ, ସଂଜିତ ମହାନ୍ତି, ଡ. ପ୍ରମୋଦ ରଥ ପ୍ରମୁଖ ଟିକଟ ଦୌଡ଼ରେ ଥିବାବେଳେ ସମାଜସେବୀ ସୁଧୀର ପୂଜାରୀ ଏବଂ ଯୁବ ସ୍ବେଚ୍ଛାସେବୀ ତଥା ଓଡ଼ିଶା ପୁଲିସ ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ଯୁଗ୍ମ ସଂପାଦକ ରାମଦାସ ପଣ୍ଡାଙ୍କ ନାମ ବି ଚର୍ଚ୍ଚାରେ ରହିଛି।