ସମ୍ବଲପୁର: ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଯାଏ ନିଜ ନିଜର ଦୋକାନ ବଜାର ବନ୍ଦ ରଖିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତିର ସଭାପତି ଡାକ୍ତର ରାଜକୁମାର ବଡ଼ପଣ୍ଡା ଓ ସଂପାଦକ ସମୀରରଂଜନ ବାବୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାକୁ ସମିତି ପକ୍ଷରୁ ନିନ୍ଦା କରାଯାଇଥିଲା। ସହରରେ ଶାନ୍ତି ବଜାୟ ରଖିବାକୁ ବି ନିବେଦନ ହୋଇଥିଲା। ସମ୍ବଲପୁର ହନୁମାନ ସମନ୍ଵୟ ସମିତି ପକ୍ଷରୁ ଆହୁରି କୁହାଯାଇଛି ଯେ ଆସନ୍ତାକାଲି ହନୁମାନଙ୍କ ଜୟନ୍ତ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ।
ଏହି ସମ୍ବଲପୁର ବନ୍ଦ ଡାକରାକୁ ବିଜେପି ପକ୍ଷରୁ ବି ସମର୍ଥନ କରାଯାଇଛି।

Advertisment

ହନୁମାନ ଜୟନ୍ତୀରେ ଆସନ୍ତାକାଲି ସମ୍ବଲପୁରରେ ଶୋଭାଯାତ୍ରା ବାହାରିବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ  କହିଛନ୍ତି। ବିଭିନ୍ନ କମିଟି ସହ ବୈଠକ ପରେ ସେ କହିଛନ୍ତି, ସନ୍ଧ୍ୟା ୭ଟାରୁ ସହରର ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା। ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି। ଶୋଭାଯାତ୍ରା ସମୟରେ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି।
ଏଣେ ଆଜି ପୁଲିସ ପକ୍ଷରୁ ଅପରାହ୍ଣ ୫ଟାରେ ଜିଲ୍ଲା ସ୍କୁଲ ଛକରୁ ମୋତିଝରଣ ଦେଇ ଗେଙ୍ଗୁଟିପାଲି ଯାଏ ଫ୍ଲାଗମାର୍ଚ୍ଚ କରାଯିବ। ଏହି ମାମଲାରେ ୪୩ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୋଷୀ ପ୍ରମାଣିତ ହୋଇଥିବା ଜଣାଯାଇଛି।

publive-image

ତେଣେ ଆଜି ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ,  ଗତକାଲି ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା। ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା।