ରାଜ୍ୟରେ ହଟ୍‌ସ୍ପଟ୍‌ ପାଲଟିଲାଣି ସମ୍ବଲପୁର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନାଉନାହିଁ। ସୋମବାର ସମ୍ବଲପୁର ଜିଲ୍ଲାର ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟରେ ସର୍ବାଧିକ। ଗତ ୭ ଦିନର ସ୍ଥିତିକୁ ଦେଖିଲେ ସମ୍ବଲପୁର ଜିଲ୍ଲାରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୦୭୦କୁ ବୃଦ୍ଧି ପାଇଛି। ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁର୍ଲା ଅଞ୍ଚଳରୁ ସର୍ବମୋଟ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଏମ୍‌ସିଏଲ୍‌ର ୪ ଜଣ ରହିଛନ୍ତି। ସେଭଳି ହୀରାକୁଦ, ଦୁର୍ଗାପାଲି, କୁମ୍ଭାରପଡ଼ା ଏବଂ ନାକଟିଦେଉଳର କା଼ଞ୍ଚନପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Club Mahindra

ସୋମବାର ସମ୍ବଲପୁର ଜିଲ୍ଲାର ଆଉ ୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୨ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୯୮୮୮ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଥିବାବେ‌ଳେ ବର୍ତ୍ତମାନ ୧୦୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଦୀର୍ଘ ୨୮ ଦିନ ପରେ ପୁଣିଥରେ ସମ୍ବଲପୁର ଜିଲ୍ଲାରେ ଚିକିତ୍ସାଧୀନଙ୍କ ସଂଖ୍ୟା ଶତକ ପାର୍‌ କରିଛି। ଏହା ପୂର୍ବରୁ ଫେବ୍ରୁଆରି ୧ ତାରିଖରେ ଜିଲ୍ଲାରେ ମୋଟ ଚିକିତ୍ସାଧୀନଙ୍କ ସଂଖ୍ୟା ଦୀର୍ଘ ମାସ ପରେ ଶହେ ତଳକୁ ଖସିଥିଲା। ତା ପରଠୁ ଏହି ସଂଖ୍ୟା ହ୍ରାସ ପାଉଥିଲା। ୧୫ ଦିନ ତଳେ ଏହି କରୋନା ଚିକିତ୍ସାଧୀନଙ୍କ ସଂଖ୍ୟା ୫୦ରୁ କମ୍‌ ଥିଲା। ତେବେ ଗତ ୧୦ ଦିନ ମଧ୍ୟରେ ଜିଲ୍ଲାରେ ପୁଣିଥରେ କରୋନା ସଂକ୍ରମିତ ବୃଦ୍ଧି ପାଇବା ଆରମ୍ଭ କରିଛି। ଯାହା ଫଳରେ ଚିକିତ୍ସାଧୀନଙ୍କ ସଂଖ୍ୟା ୧୦୦ ପାର୍‌ କରିଛି। ସମ୍ବଲପୁର ଜିଲ୍ଲାରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ସାରା ରାଜ୍ୟରେ ଆକ୍ଟିଭ୍ କେସ୍‌ରେ ସମ୍ବଲପୁର ଶୀର୍ଷରେ ରହିଥିବା ସମୟରେ ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୬୮ ଜଣ ଚିକିତ୍ସାଧୀନ ଅଛନ୍ତି। ବାଲେଶ୍ବର ଜିଲ୍ଲା ତୃତୀୟରେ ଥିବା ବେଳେ ସେଠାରେ ୫୦ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳେ ରହିଛି। ସମ୍ବଲପୁରରେ ସଂକ୍ରମିତଙ୍କ ସଂଖ୍ୟା ସବୁଦିନ ବଢ଼ି ଚାଲିଛି, ବିଶେଷକରି ବୁର୍ଲା ଅଞ୍ଚଳରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସମୟରେ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ସ୍ବରୂପ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି କାରଣରୁ ସାଧାରଣ ଲୋକେ ଭୟଭୀତ ଅଛନ୍ତି।

ସମ୍ବନ୍ଧିତ ଖବର