ସମ୍ବଲପୁର-ବ୍ରହ୍ମପୁର ରେଳପଥକୁ ନୀତି ଆୟୋଗର ମଞ୍ଜୁରି, ରେଳବାଇ ପିଙ୍କ୍‌ ବୁକ୍‌ରେ ସାମିଲ

ପଶ୍ଚିମ ଓଡ଼ିଶାର ଶିଳ୍ପାନୁଷ୍ଠାନ ପାଇଁ ଗୋପାଳପୁର ବନ୍ଦରର ଦ୍ବାର ଖୋଲିବ

ସମ୍ବଲପୁର: ଚଳିତ ରେଳ ବଜେଟ୍‌ ପଶ୍ଚିମ ଓଡ଼ିଶାବାସୀଙ୍କୁ ଅଧିକ ଉତ୍ସାହିତ କରିନାହିଁ। ତେବେ ସବୁଠୁ ଖୁସିର ଖବର ହେଲା ଯେ ମହତ୍ବାକାଂକ୍ଷୀ ସମ୍ବଲପୁର-ବ୍ରହ୍ମପୁର ରେଳ ପ୍ରକଳ୍ପ , ଯାହାକୁ କି ପ୍ରକୃତରେ ରେଢ଼ାଖୋଲ-ଗୋପାଳପୁର ଭାୟା ଜଗନ୍ନାଥପୁର (କଦଳୀଗଡ଼ରୁ ବାମୁର ୱାଇ ଲିଙ୍କ) ଲାଇନ୍ କହାଯାଇପାରିବ, ‌ତାହା ରେଳବାଇର ପିଙ୍କ ବୁକ୍‌ରେ ସାମିଲ ହୋଇଛି। ଅର୍ଥାତ୍ ଏହାକୁ ନୀତି ଆୟୋଗର ଚୂଡ଼ାନ୍ତ ମଞ୍ଜୁରି ମିଳିଛି ଓ ଏହି ପ୍ରକଳ୍ପ ଜୀବନ୍ୟାସ ପାଇଛି।

ଏହାର ପିଙ୍କ ବୁକ ନମ୍ବର ହେଲା ପିବି#୨୨/୨୦୧୯-୨୦ ଏନ୍‌ଆର। ତେବେ ପିପିପି ମୋଡ୍‌ରେ ଓଡ଼ିଶା ସରକାର ଓ ରେଳବାଇର ଭାଗୀଦାରିରେ ସୃଷ୍ଟ କମ୍ପାନି ଓରିଡିଲ୍‌ ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବାରୁ ବଜେଟ୍‌ରେ ମାତ୍ର ୧ ହଜାର ଟଙ୍କାର ଟୋକନ୍ ରାଶି ପ୍ରଦାନ କରାଯାଇଛି। ସୁରେଶ ପ୍ରଭୁ ରେଳମନ୍ତ୍ରୀ ଥିଲାବେଳେ ୧ କୋଟି ଟଙ୍କାର ଟୋକନ୍ ରାଶି ସହ ପଶ୍ଚିମ, କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର ପଛୁଆ ଅଞ୍ଚଳକୁ ଯୋଡ଼ୁଥିବା ସମ୍ବଲପୁର-ବ୍ରହ୍ମପୁର ନୂଆ ଲାଇନ୍‌ ସର୍ବେକ୍ଷଣ ବିଷୟ ଘୋଷଣା କରିଥିଲେ। ଏହାପରେ ଏହାକୁ ରେଳବିଭାଗ ନିଜେ ନିର୍ମାଣ ନକରି ଘରୋଇ ସହଭାଗିତାରେ ପିପିପି ମୋଡରେ କରିବା ପାଇଁ ଓରିଡିଲ୍‌କୁ ଦାୟିତ୍ବ ଦେଲା। ଫଳରେ ପରବର୍ତ୍ତୀ କେନ୍ଦ୍ରୀୟ ବଜେଟ୍‌ ଗୁଡ଼ିକରେ ଏହି ଲାଇନ୍‌ ପ୍ରାସଂଗିକତା ହରାଇଥିଲା। କିନ୍ତୁ ୨୦୨୦-୨୧ ଓ ୨୧-୨୨ ବଜେଟ୍‌ରେ ଏହି ଲାଇନ୍‌ କଥା ଉଲ୍ଲେଖ କରି ଯଥାକ୍ରମେ ୧ ଲକ୍ଷ ଓ ୧ ହଜାର ଟଙ୍କାର ଟୋକନ୍ ରାଶି ମଞ୍ଜୁର କରି ପ୍ରକଳ୍ପ ଜୀବନ୍ତ ଥିବା ସଂପର୍କରେ ସୂଚାଇ ଦିଆଯାଇଥିଲା। ଇତିମଧ୍ୟରେ ଏହି ଲାଇନ୍‌ର ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ ଶେଷ ହୋଇ ନୀତି ଆୟୋଗର ମଞ୍ଜୁରି ମିଳିଛି। ଚଳିତ ବଜେଟ୍‌ରେ ପୁଣି ୧ ହଜାର ଟଙ୍କାର ଅନୁଦାନ ସହ ପ୍ରକଳ୍ପର ନାମ ଉଲ୍ଲେଖ କରି ସରକାର ଏହାକୁ ପ୍ରାସଙ୍ଗିକ କରି ରଖିଛନ୍ତି। ବନ ବିଭାଗ ସମେତ ଅନ୍ୟାନ୍ୟ ଆବଶ୍ୟକ ମଞ୍ଜୁରି ମିଳିବାପରେ ଯାଇ ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ଆରମ୍ଭ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ରେଳପଥ ଓଡ଼ିଶାର ଦୁଇଟି ଅଞ୍ଚଳ ମଧ୍ୟରେ‌ କେବଳ ସାମାଜିକ ସଂହତିର ସୂତ୍ରଧର ହେବ ତାହା ନୁହେଁ, ଏହାର ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଦିଗ ମଧ୍ୟ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପଶ୍ଚିମ ଓଡ଼ିଶାର ଶିଳ୍ପ ସଂସ୍ଥା ଓ ଖଣି କମ୍ପାନି ଗୁଡ଼ିକ ପାଇଁ ଗୋପାଳପୁର ବନ୍ଦରର ଦ୍ବାର ଖୋଲିଯିବ। ବିଶେଷ କରି ବାମୁର-କଦଳୀଗଡ଼-ଜଗନ୍ନାଥପୁର-ଗୋପାଳପୁର ଦେଇ ତାଳଚେର ଅଞ୍ଚଳରୁ ସମୁଦ୍ରପଥରେ ବିଦେଶ ଓ ଅନ୍ୟ ବଡ଼ ସହରକୁ କୋଇଲା ପଠାଯାଇ ପାରିବ। ସେହିପରି ପଶ୍ଚିମ ଓଡ଼ିଶାର ଶିଳ୍ପ ସଂସ୍ଥା ଗୁଡ଼ିକର ବିଶାଖାପାଟଣା ବନ୍ଦର ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ତେଣୁ ମା‌ଲ ପରିବହନ ଦୃଷ୍ଟିରୁ ରେଳବାଇ ପାଇଁ ଏହା ଏକ ଲାଭଦାୟକ ପ୍ରକଳ୍ପ ସାବ୍ୟସ୍ତ ହେବ।
ରେଢ଼ାଖୋଲ-ଗୋପାଳପୁର ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୨୭୫ କିଲୋମିଟର୍‌ ହେବ। ରେଢ଼ାଖୋଲରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ୨୪୦ କିଲୋମିଟର୍‌, ଜଗନ୍ନାଥପୁରରୁ ଗୋପାଳପୁର ୧୦ କିଲୋମିଟର୍‌ ତଥା କଦଳୀଗଡ଼ରୁ ବାମୁର ୱାଇ-ଲିଂକ ୨୫ କିଲୋମିଟର୍‌। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ଗଂଜାମ ଆଦି ୫ଟି ଜିଲ୍ଲାକୁ ଯୋଡ଼ୁଥିବା ଏହି ଏହି ଲାଇନ୍ ବୌଦ୍ଧଠାରେ ଖୋର୍ଧା-ବଲାଙ୍ଗୀର ରେଳପଥକୁ ଅତିକ୍ରମ କରିବ। ତେବେ ଏହି ରେଳପଥ ମାର୍ଗରେ ପଡ଼ୁଥିବା ଘଞ୍ଚ ଜଙ୍ଗଲ, ପାହାଡ଼ ଓ ଘାଟି ଯୋଗୁଁ ଏହାର ନିର୍ମାଣ ସେତେଟା ସହଜ ହେବ ନାହିଁ। ଏହି ରେଳପଥ ଦେଇ ଓଡ଼ିଶାର ସର୍ବାଧିକ ୫ଟି ସୁଡ଼ଙ୍ଗ ନିର୍ମାଣ ହେବ। ସେହିପରି ଚକାପାଦରୁ ଜାଗରପେଟା ମଧ୍ୟରେ ୬ କିଲୋମିଟର୍‌ ଲମ୍ବା ସୁଡ଼ଙ୍ଗ ଓଡ଼ିଶାର ଦୀର୍ଘତମ ଓ ଦେଶର ଅନ୍ୟତମ ଦୀର୍ଘତମ ରେଳ ସୁଡ଼ଙ୍ଗ ହେବ।

ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳପଥର ଦୋହରୀକରଣକୁ ୩୦୦ କୋଟି

କେନ୍ଦୁଝର: ବହୁ ପ୍ରତୀକ୍ଷିତ ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳପଥର ଦୋହରୀକରଣ ପାଇଁ ମିଳିଛି ୩୦୦ କୋଟି। ଯାହାକି କେନ୍ଦୁଝର ଜିଲ୍ଲାକୁ ରେଳ ଅନୁଦାନରେ ସର୍ବାଧିକ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଖଣି ଅଂଚଳର ବିକାଶ ପାଇଁ ରେଳପଥର ବିକାଶ ଜରୁରୀ। ବାଂଶପାଣି-ଦୈତାରୀ-ଟମକା- ଯଖପୁରା ରେଳପଥର ଦୋହରୀକରଣ ଉପରେ ଖଣିଜ ପରିବହନର ଭାଗ୍ୟ ନିର୍ଭର କରୁଥିଲା। ଏବେ ରେଳ ବଜେଟରେ ଏହି ରେଳପଥ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାରୁ ଖୁବ୍‌ଶୀଘ୍ର ଦୋହରୀକରଣ କାର୍ଯ୍ୟ ଶେଷହେବ ବୋଲି କୁହାଯାଉଛି। ଦୋହରୀକରଣ କାର୍ଯ୍ୟ ଶେଷହେଲେ ଖାଲି ମାଲ୍‌ବାହୀ ଟ୍ରେନ୍‌ ନୁ‌ହେଁ, ବରଂ ଏକାଧିକ ଯାତ୍ରୀବାହୀ ଟ୍ରେନ୍‌ ସହିତ ସୁପରଫାଷ୍ଟ ଏକ୍ସପ୍ରେସ ଯାତାୟାତରେ ମଧ୍ୟ ସୁବିଧା ହୋଇପାରିବ। ଗୋଟିଏପଟେ ରେଳ ଯୋଗେ ଲୁହାପଥର ପରିବହନ ପାଇଁ ସୁବିଧା ହେବାସହ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ସୁବିଧା ମିଳିପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର