ସମ୍ବଲପୁର : ଗତ ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଓ ଲୋକସଭା ଆସନରେ ବିଜେଡି ହାରିବା ପଛରେ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ବୋଲି ଯାହା କୁହାଯାଏ। ସବୁ ଆଡ଼ୁ ସୁବିଧାଜନକ ସ୍ଥିତିରେ ଥିଲେ ବି ସରକାରୀ ଦଳ ଏହି ଉଭୟ ଆସନ ହାତଛଡ଼ା କରିଥିଲା। ବିଜେପି ଏହି ଦୁଇ ଆସନ ସମେତ ଜିଲ୍ଲାର ରେଂଗାଲି ଆସନକୁ ବି ବିଜେଡିଠାରୁ ଛଡ଼ାଇ ନେଇଥିଲା। କିନ୍ତୁ ନିର୍ବାଚନ ପରେ ବି ବିଜେଡି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ମନୋମାଳିନ୍ୟ ବଢ଼ିଛି ପଛେ କମି ନାହିଁ। ଇତି ମଧ୍ୟରେ ଦଳରେ ନେୃତୃତ୍ବ ପରିବର୍ତ୍ତନ ହୋଇଛି। ସିଦ୍ଧାର୍ଥ ଦାସ ଜିଲ୍ଲା ସଭାପତି, ଇଂ ନଳିନୀକାନ୍ତ ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସବୁ ଗୋଷ୍ଠୀ ଗୋଟିଏ ନେତୃତ୍ବ ଅଧୀନକୁ ଆସିପାରି ନାହାନ୍ତି। ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ପୂର୍ବରୁ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଥିବା ସଂଜିତ ମହାନ୍ତି ନିଜନିଜ ସାଂଗଠନିକ ଶକ୍ତି ବୃଦ୍ଧି କରି ସମ୍ବଲପୁର ମହାନଗର ଅଞ୍ଚଳରେ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ସହର ବାସିନ୍ଦା ହୋଇଥିଲେ ବି ମହାନଗର ଅଞ୍ଚଳରେ ଅଧିକ ସକ୍ରିୟ ନାହାନ୍ତି। ତାଙ୍କ ଗତିବିଧି ମୁଖ୍ୟତଃ ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସକ୍ରିୟ ରହିଛି।
ବର୍ତ୍ତମାନ ସମ୍ବଲପୁର ସହରରେ ବିଜେଡି ମୁଖ୍ୟତଃ ତିନି ଭାଗରେ ବିଭାଜିତ ହୋଇଛି। ଗୋଟିଏ ଜିଲ୍ଲା ବିଜେଡି, ବିଧାନସଭା ବିଜେଡି ଓ ଯୁବଛାତ୍ର ବିଜେଡି। ସିଦ୍ଧାର୍ଥ ଦାସଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିବା କର୍ମୀମାନେ ନିଜକୁ ଜିଲ୍ଲା ବିଜେଡି ବୋଲି ଦାବି କରୁଥିବାବେଳେ ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ କର୍ମୀ ମାନେ ବିଜେଡି ସମ୍ବଲପୁର ବିଧାନସଭା କ୍ଷେତ୍ର ବ୍ୟାନର୍ରେ କାର୍ଯ୍ୟ କରୁଛନ୍ତି। ଅପର ପକ୍ଷରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ପଦରୁ ଅବ୍ୟାହତି ନେଇଥିଲେ ବି ଯୁବଛାତ୍ର ବିଜେଡି ସଂଗଠନ ସଂପୂର୍ଣ୍ଣ ଭାବେ ଯୁବନେତା ସଂଜିତ ମହାନ୍ତିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରୁଛି। ଏହି ତିନି ଗୋଷ୍ଠୀ ମାତ୍ରାଧିକ ସକ୍ରିୟ ରହିବା ସହ ରକ୍ତଦାନ, ଅସହାୟଙ୍କୁ ଖାଦ୍ୟ ବଣ୍ଟନ, କରୋନା ସଚେତନତା, ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି। ନେତାମାନଙ୍କୁ କ୍ବଚିତ ପରସ୍ପରର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲାବେଳେ ତିନି ଗୋଷ୍ଠୀର କର୍ମୀମାନେ ପ୍ରାୟତଃ ଅଲଗା ଓ କେହି ଅନ୍ୟର କାର୍ଯ୍ୟକ୍ରମକୁ ଯାଆନ୍ତି ନାହିଁ। ତେବେ କିଛି ବରିଷ୍ଠ ନେତା ଓ କର୍ମୀ ଅଛନ୍ତି ଯେଉଁ ମାନେ କୌଣସି ଗୋଷ୍ଠୀଭୁକ୍ତ ନହୋଇ ସବୁ ପକ୍ଷର କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବିଜେଡିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ନେତା ଓ କର୍ମୀ ମାନେ ମଧ୍ୟ କଂଗ୍ରେସ୍ ଛାଡ଼ି ସରକାରୀ ଦଳକୁ ଆସିଥିଲେ। ବରିଷ୍ଠ ନେତା ଆନନ୍ଦ ଜେନା ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ହୋଇଥିଲେ ବି ବିଶେଷ ସକ୍ରିୟ ନାହାନ୍ତି। ବିଜୟ ମହାନ୍ତିଙ୍କ ଭଳି ଭେଟେରାନ୍ ନେତା ଦଳ ପରିବର୍ତ୍ତେ ଶ୍ରମିକ ସଂଗଠନ କାର୍ଯ୍ୟରେ ଅଧିକ ମନୋନିବେଶ କରୁଛନ୍ତି। ଜିଲ୍ଲାରେ ରେଢ଼ାଖୋଲର ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର ବି ବେଶ କିଛି ସମର୍ଥକ ନେତା ଓ କର୍ମୀ ରହିଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ ନିର୍ବାଚନ ପରଠୁ ଅଧିକ ସକ୍ରିୟ ନଥିଲାବେଳେ ଯୁବ ନେତା ସିଦ୍ଧାର୍ଥ ସାହା ଦଳୀୟ କାର୍ଯ୍ୟରେ ଆଗ୍ରହ ଦେଖାଉ ନାହାନ୍ତି।
ଏଭଳି ସ୍ଥିତିରେ ଥିବା ସମ୍ବଲପୁର ବିଜେଡି ନେତୃବୃନ୍ଦଙ୍କର କିନ୍ତୁ ହାଇକମାଣ୍ଡରେ ନିଜନିଜର ସ୍ବତନ୍ତ୍ର ଲବି ରହିଛି। ରାଜ୍ୟ ସ୍ତରୀୟ ବିଭିନ୍ନ ନେତାଙ୍କର ଏଠକାର ଭିନ୍ନ ଭିନ୍ନ ନେତୃତ୍ବ ପ୍ରତି ସମର୍ଥନ ରହିଛି। ଏହି କାରଣରୁ କେହି କାହାଠୁ ପଛରେ ରହୁ ନାହାନ୍ତି। ବିବାଦ ସତ୍ତ୍ବେ ସାଂଗଠନିକ ସ୍ତରରେ ବେଶ ଦୃଢ଼ ଥିବା ସମ୍ବଲପୁର ବିଜେଡି ଆଗାମୀ ଦିନରେ ହେବାକୁ ଥିବା ମହାନଗର ନିର୍ବାଚନ ପାଇଁ ନିଜକୁ କିଭଳି ପ୍ରସ୍ତୁତ କରୁଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sambalpur-bjd.jpg)