ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଚାଲିଥିବା ବେଳେ ସମ୍ବଲପୁର ବୋର୍ଡ ଅଫିସରେ ପଶି ଦୁର୍ବୃତ୍ତ ନିଆଁ ଲଗାଇଦେଲେ

ସମ୍ବଲପୁର: ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ବୁଧବାର ଅପରାହ୍ନରେ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଲାଗି ଦୂରଶିକ୍ଷା ପ୍ରାର୍ଥୀଙ୍କ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା। ସେଥିପାଇଁ ସମସ୍ତ କର୍ମଚାରୀ ଅଫିସ୍‌ରେ ବସି କାମ କରୁଥିଲେ। ଏହି ସମୟରେ ଅଫିସକୁ ହଠାତ ୭ରୁ ୮ଜଣ ଦୁର୍ବୃତ୍ତ ପଶି ଆସିଥିଲେ ଏବଂ ଅଫିସ ଭିତରୁ ସମସ୍ତ କର୍ମଚାରୀଙ୍କୁ ଧମକ ଦେଇ ବାହାରି ଯିବା ଲାଗି କହିଥିଲେ। ଭୟରେ କର୍ମଚାରୀମାନେ ବାହାରି ଆସିବେ ପରେ ଦୁର୍ବୃତ୍ତମାନେ ଅଫିସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅଫିସରରେ ଥିବା ସମସ୍ତ ଜରୁରୀ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। କେବଳ ଏତିକି ନୁହେଁ, ଦୁର୍ବୃତ୍ତମାନେ ଅଫିସ ପରିସରରେ ଥିବା ଦୁଇଟି ବାଇକରେ ନିଆଁ ମଧ୍ୟ ଲଗାଇ ଦେଇଥିବା ନେଇ ବିଏସ୍‌ଇର ଡେପୁଟି ସେକ୍ରେଟାରି ସୂର୍ଯ୍ୟମଣି ମାଝି ସୂଚନା ଦେଇଛନ୍ତି।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ ଯ ଘଟଣାସ୍ଥଳରେ ସମ୍ବଲପୁର ସମର୍ଥ ବର୍ମା ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି। ବୋର୍ଡ଼ର ଡେପୁଟି ସେକ୍ରେଟେରିଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଓକିଲ ଆନ୍ଦୋଳନ ହେତୁ ସମ୍ବଲପୁରରେ ବିଭିନ୍ନ ଅଫିସ ବନ୍ଦ ରହିଛି। ବୁଧବାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣର ଶେଷ ତାରିଖ ଥିବା ହେତୁ ବୋର୍ଡ କର୍ତ୍ତୃପକ୍ଷ ଓକିଲ ସଂଘକୁ ଏକ ପତ୍ର ଲେଖି ଅଫିସ ଖୋଲିବା ଲାଗି ଅନୁରୋଧ କରିଥିଲେ। ଏଥିସହ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରି ବୋର୍ଡ ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର