୧୧ରୁ ସମ୍ବଲପୁର ପୁସ୍ତକ ମେଳା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ଓ ସେତୁର ମିଳିତ ଆନୁକୂଲ୍ୟରେ ୨୩ତମ ସମ୍ବଲପୁର ପୁସ୍ତକ ମେଳା ଆସନ୍ତା ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏବଂ ସେତୁ ସଭାପତି ମୀନକେତନ ପାଠୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ କୋଭିଡ କାରଣରୁ ଗତ ଦୁଇ ବର୍ଷ ହେଲା ସମ୍ବଲପୁର ପୁସ୍ତକ ମେଳା ବନ୍ଦ ରହିଥିଲା। ଏଥର ପୁଣିଥରେ ଏହାକୁ ବଡ଼ ଆକାରରେ ଆୟୋଜନ କରାଯିବ। ଏଥର ମେଳା ପାଇଁ ୧୪୦ଟି ଷ୍ଟଲ୍ କରାଯାଇଛି। ସେଥି ମଧ୍ୟରୁ ୯୫ଟି ଷ୍ଟଲ୍‌ ୩୭ଟି ପ୍ରକାଶନ ସଂସ୍ଥା ଓ ପୁସ୍ତକ ବିକ୍ରେତା ନେଇଛନ୍ତି। ସେହିପରି ଷ୍ଟେସନାରି ସାମଗ୍ରୀ ପାଇଁ ୩ଟି ସଂସ୍ଥା ୬ଟି ଷ୍ଟଲ୍‌ ଓ ଅନ୍ୟାନ୍ୟ ୧୮ଟି ଅନୁଷ୍ଠାନ ୨୧ଟି ଷ୍ଟଲ୍‌ ନେଇଥିବା ସୂଚନା ଦେଇଥିଲେ। ଏହାଛଡ଼ା ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ୍ ମଧ୍ୟ ରହିବ। ପୁସ୍ତକମେଳାରେ ଗୀତା ପ୍ରେସ୍, ଫ୍ରେଣ୍ଡସ୍ ପବ୍ଲିକେସନ୍, ବିଦ୍ୟାପୁରୀ, ଗ୍ରନ୍ଥମନ୍ଦିର, ଓଡ଼ିଶା ଟେକ୍ସଟ୍‌ବୁକ୍ ବ୍ୟୁରୋ, ଏକେ ମିଶ୍ର ଏଜେନ୍‌ସି, ନ୍ୟାସ୍‌ନାଲ ବୁକ୍‌ ଟ୍ରଷ୍ଟ, ଅକ୍ସଫୋର୍ଡ ପ୍ରେସ୍‌ ପ୍ରମୁଖ ପ୍ରକାଶନ ଯୋଗ ଦେବା ପାଇଁ ଷ୍ଟଲ୍ ବୁକିଂ କରିଛନ୍ତି। ସେତୁ ପୁସ୍ତକ ମେଳା ଆରମ୍ଭ ଦିନଠାରୁ ପ୍ରତି ବର୍ଷ ୨ରୁ ୫ ଟଙ୍କା ପ୍ରବେଶ ଶୁଳ୍‌କ ରଖା ଯାଉଥିଲାବେଳେ ଚଳିତ ବର୍ଷ ପ୍ରଥମ କରି ପ୍ରବେଶ ଦେୟମୁକ୍ତ କରାଯାଇଛି।

ପୁସ୍ତକ ମେଳାର ମୁଖ୍ୟ ତୋରଣ ଓ ସଭାମଞ୍ଚ ଯଥାକ୍ରମେ ସମାଜସେବୀ ଭାଗବତ ପ୍ରସାଦ ନନ୍ଦ ଓ ପ୍ରଫେସର ଦୁର୍ଗା ପ୍ରସାଦ ନାୟକଙ୍କ ନାମରେ ନାମିତ କରାଯାଇଛି। ପୁସ୍ତକ ମେଳାର ସଭାମଞ୍ଚରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଆଲୋଚନାଚକ୍ର ଆୟୋଜନ କରାଯିବ। ଏଥିରେ କବି, ଲେଖକ ଓ ବିଦ୍ବ‌ାନ ଅତିଥି ଓ ବକ୍ତାମାନେ‌ ଯୋଗଦେବେ। ପ୍ରତିବର୍ଷ ପରି ଏଥର ମଧ୍ୟ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ମର୍ଯ୍ୟାଦାପୂର୍ଣ୍ଣ ସେତୁ ସମ୍ମାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ସମ୍ମାନ ଓ ଡାକ୍ତର ଦୀପ୍ତିବାଳା ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ସ୍ବେଛାସେବୀ ସଂଗଠନ ‘ସମ୍ବଳ’କୁ ଚଳିତ ବର୍ଷ ପାଇଁ ସେତୁ ସମ୍ମାନ ପ୍ରଦାନ କରାଯିବ। ଏହାଛଡା ରଙ୍ଗବତୀ ଗୀତର ଟିମ୍‌କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର