ସମ୍ବଲପୁର : ସମ୍ବଲପୁର-ବ୍ରହ୍ମପୁର (ରେଢ଼ାଖୋଲ-ଗୋପାଳପୁର ଭାୟା ଜଗନ୍ନାଥପୁର, କଦଳୀଗଡ଼ରୁ ବାମୁର ୱାଇ ଲିଙ୍କ୍) ନୂଆ ରେଳପଥ ଏକ ଲାଭଦାୟକ ପ୍ରକଳ୍ପ ହେବ। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ମୋଟ ୨୯୫୭.୪୪୩ କୋଟି (ଜମି ମୂଲ୍ୟକୁ ଛାଡ଼ି) ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ପ୍ରକଳ୍ପରେ ହୋଇଥିବା ମୋଟ ନିବେଶର ୧୪.୧୨% ପ୍ରତି ବର୍ଷ ଫେରସ୍ତ ଆସିବ। ଫଳରେ ମାତ୍ର ୭ ବର୍ଷରେ ଏହି ପ୍ରକଳ୍ପରେ ନିବେଶ ହୋଇଥିବା ସମସ୍ତ ଅର୍ଥ ଭରଣା ହୋଇଯିବ ବୋଲି ଏହାର ପ୍ରାରମ୍ଭିକ ସର୍ଭେ ରିପୋର୍ଟ (ପିଇଟି)ରେ ଉଲ୍ଲେଖ ରହିଛି। ତେବେ, ଏହି ସର୍ଭେ ୨୦୧୦-୧୧ରେ ଅନୁମୋଦିତ ହୋଇଥିଲାବେଳେ ଶେଷ ହେବାକୁ ୭ ବର୍ଷରୁ ଅଧିକ ବିତି ସାରିଲାଣି। ତେଣୁ ଏହା ଯେତେ ବିଳମ୍ବିତ ହେବ ସର୍ଭେର ନିଷ୍କର୍ସ ଗୁଡ଼ିକ ସେତିକି ବିଗିଡ଼ି ଯିବାର ଆଶଙ୍କା ରହିଛି।
ଯଦିଓ ଏହା ରେଳବାଇ ବୋର୍ଡର ପିଙ୍କ୍ ବୁକ୍ରେ ସାମିଲ ହୋଇ ନିର୍ମାଣ ହେବା ଏକପ୍ରକାର ଚୂଡ଼ାନ୍ତ ହୋଇଛି, କିନ୍ତୁ କାମ ଆରମ୍ଭ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ନ ଦେଖେଇଲେ ଏହା ପୁଣି ଏକ ଖୋର୍ଧା-ବଲାଙ୍ଗୀର ପାଲଟିଯିବ ବୋଲି ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ଆଶଙ୍କା କରୁଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବ ରାଜ୍ୟ (୫୧%) ଓ ରେଳବାଇ (୪୯%) ମାଲିକାନାରେ ଗଠିତ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ଓରିଡ୍ଲ)କମ୍ପାନିକୁ ପ୍ରଦାନ କରାଯାଇଛି। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସିଧାସଳଖ ନିବେଶ କରିବାର ନାହିଁ। ବରଂ ଓରିଡ୍ଲ କମ୍ପାନି ଷ୍ଟକ୍ ମାର୍କେଟ୍ ସମେତ ବିଭିନ୍ନ ଆର୍ଥିକ ସଂସ୍ଥାରୁ ପୁଞ୍ଜି ଉଠାଇ ଏହା ନିର୍ମାଣ କରିବ। ଏହାପରେ ଏହି ପ୍ରକଳ୍ପରୁ ମିଳିବାକୁ ଥିବା ଲାଭରୁ ତାହା ପରିଶୋଧ କରିବ। ଏପରିକି ରାଜ୍ୟ ସରକାର ଯୋଗାଇ ଦେବାକୁ ଥିବା ସରକାରୀ ଜମିକୁ ମଧ୍ୟ ଏହା କିଣି ନେବ। ତେଣୁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ସରକାରୀ ତତ୍ପରତା ହିଁ ପ୍ରମୁଖ ଭୂମିକା ନେବ। ବିଶେଷ କରି ରାଜ୍ୟ ପାଇଁ ଏହି ପ୍ରକଳ୍ପ ବିଶେଷ ଗୁରୁତ୍ବ ରଖେ। କାରଣ ରେଳ ମାନଚିତ୍ରରୁ ବାଦ୍ ପଡ଼ିଥିବା ରାଜ୍ୟର ଏକ ବିରାଟ ଅଂଶକୁ ଏହି ଲାଇନ୍ ଯୋଡ଼ୁଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁକୁ ଏହାଦ୍ବାରା ରେଳ ଗଡ଼ିବ। ତେଣୁ ଅନ୍ତତଃ ଖୋର୍ଧା-ବଲାଙ୍ଗୀର ଭଳି ଏହା ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପରେ ମୋଟ ୧୦୫୯.୫୫ ହେକ୍ଟର ଜମି ଆବଶ୍ୟକ ହେବ। ସେଥିରୁ ୩୨୪.୬୩ ହେକ୍ଟର ଜଙ୍ଗଲ ଜମି ଓ ୭୩୪.୯୨ ହେକ୍ଟର ଚାଷ ଜମି। ଖର୍ଚ୍ଚ କମାଇବା ପାଇଁ ଏହି ପ୍ରକଳ୍ପ ପାଇଁ କୌଣସି ପ୍ରକାର ନିର୍ମିତ ଢାଞ୍ଚା ଅଧିଗ୍ରହଣ ନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଲାଇନ୍ ୫ଟି ଜିଲ୍ଲାର ୨୦ଟି ଷ୍ଟେସନ୍କୁ ଯୋଡ଼ିବ।
ଅନ୍ୟପକ୍ଷରେ, ଯାତ୍ରୀ ସେବା ସହ ଏହି ଲାଇନ୍ର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଦିଗ ହେଲା ମାଲ୍ ପରିବହନ। ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ହିଣ୍ଡାଲ୍କୋ, ଆଦିତ୍ୟ ଆଲୁମିନିୟମ୍, ଏସିସି ସିମେଣ୍ଟ, ଟାଟା ଷ୍ଟିଲ୍, ଇଣ୍ଡିଆନ୍ ରେଆର୍ ଆର୍ଥ, ଆଦିତ୍ୟ ଥର୍ମାଲ୍ ଏନର୍ଜି, ଶ୍ୟାମ ମେଟାଲିକ୍ସ, ବେଦାନ୍ତ ଝାରସୁଗୁଡ଼ା, ଭୂଷଣ ଷ୍ଟିଲ୍, ଏମ୍ସିଏଲ୍, ଜିନ୍ଦଲ୍ ଭଳି ସଂସ୍ଥା ନିଜର ମାଲ ପରିବହନ ପାଇଁ ଏହି ଲାଇନ୍ର ଉପଯୋଗ କରିବେ। ଏହି ରେଳପଥ ଦେଇ ଧାନ, ଚାଉଳ, ଗହମ, ହଳଦୀ, ଅନ୍ୟାନ୍ୟ ମସଲା, ଲୁହା ପଥର, ଷ୍ଟିଲ୍, ସିମେଣ୍ଟ, ଆଲୁମିନିୟମ୍ ଓ କୋଇଲା ଆଦି ଆମଦାନୀ ଓ ରପ୍ତାନି ହେବ। ବିଶେଷ କରି ଗୋପାଳପୁର ବନ୍ଦର ଦେଇ କୋଇଲା, ଆଲୁମିନିୟମ୍, ଷ୍ଟିଲ୍ ଆଦିର ରପ୍ତାନି କରି ରେଳବାଇ ଏହି ଲାଇନ୍ରୁ ଭଲ ଆୟ କରିପାରିବ।
ନୀତି ଆୟୋଗ ଏହି ପ୍ରକଳ୍ପକୁ ମଞ୍ଜୁରି ଦେବା ସମସ୍ତଙ୍କୁ ଉତ୍ସାହିତ କରିଛି। ତେବେ ଜଙ୍ଗଲ ବିଭାଗ ସମେତ ଅନ୍ୟ ଅତ୍ୟାବଶ୍ୟକ ମଞ୍ଜୁରି କେବେ ମିଳୁଛି ତା ଉପରେ ଏହି ପ୍ରକଳ୍ପର ଗତି ନିର୍ଭର କରୁଛି।