ସମ୍ବଲପୁର : ସମ୍ବଲପୁର ମାଟି ସହିତ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଯଦିଓ ସିଧାସଳଖ ସଂପର୍କ ନଥିଲା ତେବେ, ତାଙ୍କ ସ୍ମୃତିକୁ ବାରଂବାର ଉଜ୍ଜୀବିତ କରିଥାଏ ତାଙ୍କ ଘନିଷ୍ଠ ସହଯୋଗୀ ସମ୍ବଲପୁରର ବୀରେନ୍ ଦା (ବୀରେନ ସରକାର)ଙ୍କ ଅନ୍ତରଂଗ ଅନୁଭୂତି। ନେତାଜୀଙ୍କ ଦ୍ବାରା ଗଠିତ ଫରୱାର୍ଡ ବ୍ଲକର ଜଣେ ସକ୍ରିୟ ସେନାନୀ ଥିଲେ ବୀରେନ ସରକାର। ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମ ଏବଂ ସ୍ବାଧୀନୋତ୍ତର ଗଠନମୂଳକ ଆନ୍ଦୋଳନର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପଶ୍ଚିମବଙ୍ଗ ଅନ୍ତର୍ଗତ ଜଳପାଇଗୁଡ଼ିର ସରକାର ପରିବାର ବ୍ରିଟିସ ସରକାରଙ୍କ ମହାନଦୀ ସେର୍ବକ୍ଷଣ କାର୍ଯ୍ୟରେ ଓଡ଼ିଶା ଆସିଥିଲେ। ପରେ ଏହି ପରିବାରର ସୁଶୀଲ ସରକାର ବିପଦସଂକୁଳ ଅବସ୍ଥାରେ କାମ କରିବାକୁ ଉଚିତ୍ ମଣିଲେ ନାହିଁ। ତେବେ, ଏହାପରେ ସେମାନେ ପଶ୍ଚିମବଙ୍ଗକୁ ଫେରି ନଯାଇ ସମ୍ବଲପୁରରେ ରହିଯାଇଥିଲେ। ଏହି ପରିବାରରେ ୧୯୨୦ ମସିହାରେ ଜନ୍ମଲାଭ କରିଥିଲେ ବୀରେନ ଦା।
ବିହାର ଦେଓଘର ରାମକୃଷ୍ଣ ମିସନ ବିଦ୍ୟାପୀଠରେ ପ୍ରାଥମିକ ଶିକ୍ଷାଗ୍ରହଣ ସମୟରେ ତାଙ୍କ ଶିକ୍ଷକ ଚାରୁ ଦା (ଚାରୁଚନ୍ଦ୍ର ରାୟ ଚୌଧୁରୀ) ବୀରେନ୍ ମଧ୍ୟରେ ଚରିତ୍ର ଗଠନ ଏବଂ ବିପ୍ଳବ ବୀଜ ବପନ କରିଥିଲେ। ଏହାପରେ ସେ କଲିକତା ବଙ୍ଗବାସୀ କଲେଜରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ବିପ୍ଳବୀଙ୍କ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିବେଚନା କରାଯାଉଥିବା ଏହି କଲେଜକୁ ସୁଭାଷ ନିୟମିତ ଆସୁଥିଲେ। ନେତାଜୀଙ୍କ ଭାଷଣ ଶୁଣି ବୀରେନ ଦା ତାଙ୍କ ପ୍ରତି ଏତେ ଆକର୍ଷିତ ହୋଇଥିଲେ ଯେ, କଲେଜ ବାହାରେ ମଧ୍ୟ ସୁଭାଷଙ୍କ ସଭାସମିତିରେ ଯୋଗ ଦେଉଥିଲେ।
୧୯୪୦ ମସିହାରେ ନେତାଜୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ‘ଅନ୍ଧକୂପ ହତ୍ୟା ସ୍ମାରକୀ ଧ୍ବଂସ ଅଭିଯାନ’ରେ ସେ ସାମିଲ ହୋଇଥିଲେ। ଏହି ଘଟଣାରେ ବିପ୍ଳବୀଙ୍କୁ ବ୍ରିଟିସ ସୈନ୍ୟ ମାଡ଼ମାରିବା ସହ ଗିରଫ କରିଥିଲେ। ବୀରେନଙ୍କୁ ଅଟକବନ୍ଦୀ ଭାବରେ ଜେଲରେ ରଖାଯାଇଥିଲା। ସେଠାରେ ଛ ମାସ କାଳ ତାଙ୍କୁ ରଖି ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ନେତାଜୀ ଦେଶ ଛାଡ଼ି ଆତ୍ମଗୋପନ କରିବା ପରେ ବୀରେନ ଦା ଓ ଅନ୍ୟମାନେ ଗାନ୍ଧୀଜୀଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲେ। କଂଗ୍ରେସ ଦ୍ବାରା ଡାକରା ଦିଆଯାଇଥିବା ‘ଭାରତ ଛାଡ଼ ପ୍ରସ୍ତାବ ପରିପ୍ରେକ୍ଷୀରେ ‘କର ବା ମର’ ନିଷ୍ପତ୍ତିରେ ଛାତ୍ରଙ୍କୁ ଉଦ୍ବୁଦ୍ଧ କରାଇବାରେ ଲାଗି ପଡ଼ିଥିଲେ ସେତେବେଳେ ବୀରେନ ଦା। ତେବେ, ପୁଲିସ ବାରଂବାର ତାଙ୍କୁ ଖୋଜିବାରୁ ସେ ଗୋପନରେ ସମ୍ବଲପୁର ଫେରି ଆସିଥିଲେ।
ଓଡ଼ିଶାରେ ସେତେବେଳ ସ୍ବାଧୀନତା ସଂଗ୍ରାମ ଓ ପ୍ରଜା ମଣ୍ଡଳ ଆନ୍ଦୋଳନ ଚାଲିଥିଲା। ୧୯୪୨ ମସିହାରେ ତାଙ୍କ ନାମରେ ଗୁଇନ୍ଦା ବାହିନୀ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା। ସେ ପୁଣି କଲିକତା ପଳାଇ ସେଠାରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେଲେ। ୧୯୪୩ ମସିହା ଫେବ୍ରୁଆରି ୨୪ ତାରିଖ ତାଙ୍କୁ କଲିକତାରେ ଗିରଫ କରାଯାଇଥିଲା। ସେଠାରେ ପୁଣି ବନ୍ଦୀ ଭାବରେ ତାଙ୍କୁ ରଖାଯାଇ ଶାରୀରିକ, ମାନସିକ ନିର୍ଯାତନା ଦିଅାଯାଉଥିଲା। ସେଠାରୁ ମୁକୁଳିଲା ପରେ ସେ ସମ୍ବଲପୁରରେ ଗଠନମୂଳକ ସଂଗ୍ରାମ ଜାରି ରଖିଲେ।
ଇଣ୍ଡିଏନ୍ ଫରୱାର୍ଡ ବ୍ଲକର ସଦସ୍ୟ ରହିଥିବା ବୀରେନ ସରକାର ପରବର୍ତ୍ତୀ ସମୟରେ ଓଡ଼ିଶା ରାଜ୍ୟ ଫରୱାର୍ଡ ବ୍ଲକର ସଂପାଦକ ଦାୟିତ୍ବରେ ମଧ୍ୟ ରହିଥିଲେ। ପରେ ଜାତୀୟ କଂଗ୍ରେସ କମିଟିର ସଦସ୍ୟ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି, ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ (ପଶ୍ଚିମ ଓଡ଼ିଶା ପାଇଁ ପ୍ରତିନିଧିତ୍ବ), ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ଫେଡେରେସନ୍ର ଡାଇରେକ୍ଟର, ନିଖିଳ ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ ସଂଗଠନର ସାଧାରଣ ସଂପାଦକ, ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଦସ୍ୟ ଭାବରେ ଗୁରୁଦାୟିତ୍ବ ବହନ କରିଥିଲେ। ୨୦୦୩ ମସିହା ଡିସେମ୍ବର ୨୪ ତାରିଖ ସଂଗ୍ରାମୀ ପୁରୁଷ ବୀରେନ ସରକାରଙ୍କ ସମ୍ବଲପୁର ସେନପାର୍କ ନିକଟ ତାଙ୍କ ବାସଭବନରେ ପରଲୋକ ହୋଇଥିଲା। କେବଳ ସମ୍ବଲପୁର କିମ୍ବା ଓଡ଼ିଶା ନୁହେଁ ଭାରତବର୍ଷ ଜଣେ ସୁପୁତ୍ରକୁ ହରାଇଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/sambalpur-4.jpg)