ସମ୍ବଲପୁର : ଦେବାଦେବୀ, ଗ୍ରହ, ନକ୍ଷତ୍ର, ଯକ୍ଷ, ମାନବ, କିନ୍ନର ତଥା ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରାପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦେବାଧିଦେବ ମହାଦେବ ଓ ଜଗତ୍ଜନନୀ ପାର୍ବତୀ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଛି। ଚଳିତ ବର୍ଷ ମନ୍ଦିର ପ୍ରାଙ୍ଗଣ ଓ ସଂଲଗ୍ନ କଲ୍ୟାଣ ମଣ୍ଡପରେ ହିଁ ଲୋକାଚାର ଭିତ୍ତିରେ ଏହି ଅଲୌକିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବ ବିବାହିତ ଦେବଦମ୍ପତିଙ୍କ ଉପରେ ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରିଥିଲେ ଯାହା ବର୍ଷା ବୁନ୍ଦା ରୂପେ ପଡ଼ି ଧରଣୀକୁ ଶୀତଳ କରିଥିଲା।
କନ୍ୟାଘର ତରଫରୁ ଝିଅଜ୍ବାଇଁଙ୍କୁ ପର˚ପରା ଅନୁଯାୟୀ ବିଭିନ୍ନ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ, ପୀତାମ୍ବରୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖଜା, ଲଡ଼ୁ ଆଦି ଭାର ଓ ଉପହାର ଦିଆ ଯାଇଥିଲା। ଏହା ପରେ ବୁଧବାର ସଂଧ୍ୟାରେ ନବବିବାହିତ ଦେବଦମ୍ପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି କରାଯାଇଛି। କରୋନା ମହାମାରୀ କାରଣରୁ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଶତାବ୍ଦୀ ପୁରୁଣା ପରଂପରାର ବ୍ୟତିକ୍ରମ ହୋଇଛି। ଶୀତଳଷଷ୍ଠୀ ନଗର ପରିକ୍ରମା ଶୋଭାଯାତ୍ରାକୁ ବାତିଲ କରାଯାଇଛି। ତେଣୁ ବୁଧବାର ସଂଧ୍ୟାରୁ ଦେବଦମ୍ପତି ମନ୍ଦିର ପରିସରରେ ହିଁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି ଯାହା ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ପକ୍ଷରୁ କହାଯାଇଛି।
ବୁଧବାର ସଂଧ୍ୟାରୁ ନବବିବାହିତ ନନ୍ଦପଡ଼ାର ବଂ ବଂ ବରାଡ୍ ବାଲୁଙ୍କେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ଆରମ୍ଭ ହୋଇଥିଲାବେଳେ ରାତି ୧୧ଟାରେ ମଙ୍ଗଳ ଆଳତି ହେବା ପର୍ଯ୍ୟନ୍ତ ଚାଲିଥିଲା। ଶୁକ୍ରବାର ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦେବଦମ୍ପତି ମନ୍ଦିର ପରିସରରେ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବେ। ଏହାପରେ ମଙ୍ଗଳ ଆଳତି ହୋଇ ମନ୍ଦିର ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନନ୍ଦପଡ଼ା କମିଟି ସଭାପତି ସମୀର ରଂଜନ ବାବୁ ସୂଚନା ଦେଇଛନ୍ତି। ଯୁଗଳ ଦର୍ଶନ ବେଳେ ମାସ୍କ, ହସ୍ତ ବିଶୋଧନ, ଭକ୍ତଙ୍କ ମଧ୍ୟରେ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରା ଯାଇଥିବା ସଂପାଦକ ସୁଶ୍ରୀତ ମିଶ୍ର କହିଛନ୍ତି। ଝାଡ଼ୁଆପଡ଼ାର ଲୋକନାଥ ବାବା ଏବଂ ଜଗତ୍ଜନନୀ ମାତା ପାବର୍ତୀଙ୍କର ବୁଧବାର ଅପରାହ୍ଣରୁ ଯୁଗଳ ଦର୍ଶନ ଆରମ୍ଭ ହୋଇ ରାତି ୧୧ଟା ୩୦ ଯାଏ ଚାଲିଥିଲା। ଏହାପରେ ମହା ଆଳତି ଅନୁଷ୍ଠିତ ହୋଇଥିଲା। ଗୁରୁବାର ସକାଳ ୮ଟାରୁ ଦିନ ୨ଟା ଯାଏ ଦେବଦମ୍ପତ୍ତି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବେ। ଏହାପରେ ମହାଆଳତି ହୋଇ ମନ୍ଦିର ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ ସୂଚନା ଦେଇଛନ୍ତି।
କୋଭିଡ୍ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ପୂର୍ବକ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଗଣମାଧ୍ୟମ ପ୍ରଭାରୀ ଅଭିଷେକ ମିଶ୍ର କହିଛନ୍ତି। ମୁଦିପଡ଼ାରେ ମଧ୍ୟ ମଙ୍ଗଳବାର ରାତିରେ ଜାଗେଶ୍ବର ବାବା ଏବଂ ମାତା ପାର୍ବତୀଙ୍କର ମଙ୍ଗଳ ଆଳତି ହୋଇଛି। ଗୁରୁବାର ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ନବବିବାହିତ ଦେବଦମ୍ପତି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବେ। ସରକାରୀ ନିର୍ଦ୍ଦେଶ ପାଳନ ପୂର୍ବକ ଭକ୍ତ ମାନେ ସ୍ବତନ୍ତ୍ର ଧାଡ଼ି ଦର୍ଶନ କରି ଭିନ୍ନ ବାଟରେ ବାହାରିବେ। ସଂଧ୍ୟାରେ ମଙ୍ଗଳ ଆଳତି ପରେ ମନ୍ଦିର ପ୍ରବେଶ ହେବ ବୋଲି ମୁଦିପଡ଼ା ଯାତ୍ରା କମିଟି ସଭାପତି ସୁନୀଲ ଦାଶ ସୂଚନା ଦେଇଛନ୍ତି। ବଡ଼ବଜାରର ଶୀତଳେଶ୍ବର ବାବା ଓ ମାତା ପାର୍ବତୀଙ୍କର ସଂଧ୍ୟା ୭ଟା ୩୦ରେ ମଙ୍ଗଳ ଆଳତି କରାଯାଇଛି। ଭକ୍ତ ମାନେ ଶୃଂଖଳିତ ଭାବେ ଯୁଗଳ ଦର୍ଶନ କରିଛନ୍ତି। ଗରୁବାର ବି ସକାଳୁ ସଂଧ୍ୟା ୫ଟା ଯାଏ ଦେବଦମ୍ପତି ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ମନ୍ଦିର ପ୍ରବେଶ କରାଯିବ ବୋଲି କମିଟି ସଭାପତି ସୁରେନ୍ଦ୍ର ମହାନ୍ତି ଏବଂ ସଂପାଦକ ସରୋଜ ସାହୁ ସୂଚନା ଦେଇଛନ୍ତି।
ଠାକୁରପଡ଼ାର ଗୁପ୍ତେଶ୍ବର ବାବା ମାତା ପାର୍ବତୀଙ୍କ ସହ ବୁଧବାର ସଂଧ୍ୟାରେ ଭକ୍ତ ମାନଙ୍କୁ ଯୁଗଳ ଦର୍ଶନ ଦେଇଥିଲେ। ରାତି ୮ଟାରେ ନବ ବିବାହିତ ଦେବଦମ୍ପତିଙ୍କ ମଙ୍ଗଳ ଆଳତି କରା ଯାଇଥିଲା। ବୁଧବାର ସକାଳ ୬ଟାରୁ ଯୁଗଳ ଦର୍ଶନ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ। ଏହାପରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ ବୋଲି କମିଟି ସଭାପତି ଶିବ ପ୍ରଧାନ ସୂଚନା ଦେଇଛନ୍ତି। ବୁଧବାର ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଂଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ପଡ଼ାକୁ ଯାଇ ମଙ୍ଗଳ ଆଳତି ଓ ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/sambalpur.jpg)