ଶୋଚନୀୟ ପରାଜୟ ପରେ ବି ସୁଧୁରିଲାନି କଂଗ୍ରେସ

ବୈଠକରେ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ମାଡ଼, ବୈଠକ ଅଧାରୁ ଉଠିଗଲେ ଡା. ଅଶ୍ବିନୀ ପୂଜାହାରୀ

ସମ୍ବଲପୁର : ଗତ ନିର୍ବାଚନରେ ସମ୍ବଲପୁରରେ କଂଗ୍ରେସର ଶୋଚନୀୟ ପରାଜୟର କାରଣ ଖୋଜିବା ପାଇଁ ଆସିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସମ୍ମୁଖରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡା. ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକ କୁହା ଯାଉଥିବା ବୁର୍ଲାର ରୁବେନ ଛତ୍ରିଆଙ୍କୁ ଅନ୍ୟ କିଛି ଦଳୀୟ କର୍ମୀ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ପରିସ୍ଥିତି ଏଭଳି ହୋଇଥିଲା ଯେ କଂଗ୍ରେସ କାର୍ଯ୍ୟାଳୟ ଭିତରୁ ମାରପିଟ ଆରମ୍ଭ ହୋଇ ସରକାରୀ ବସଷ୍ଟାଣ୍ଡ ଯାଏ ଚାଲିଥିଲା। ଖୋଦ ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ ବସଷ୍ଟାଣ୍ଡ ଭିତରକୁ ଯାଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ। କ୍ଷଣିକ ପାଇଁ ମାରପିଟ ବନ୍ଦ ହୋଇଥିଲେ ମଧ୍ୟ ବୈଠକ ଶେଷ ହେବା ଯାଏ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଥିଲା। ଦୁଇ ଜଣ ମହିଳା ନେତ୍ରୀଙ୍କ ମଧ୍ୟରେ ବି ବାକ୍‌ବିତଣ୍ଡା ଓ ହାତାହାତି ହୋଇଥିଲା। ଏଭଳି ପରିସ୍ଥିତି କାରଣରୁ ଡା. ପୂଜାହାରୀ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ତେବେ ଏ ନେଇ କୌଣସି ପକ୍ଷରୁ ଥାନାରେ ଏତଲା ହୋଇ ନାହିଁ।

ରାଜ୍ୟରେ କଂଗ୍ରେସ ପରାଜୟ କାରଣ ଖୋଜିବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି। ପୂର୍ବତନ ବିଧାୟକ ଜର୍ଜ ତିର୍କି ଏବଂ ପିସିସି ସାଧାରଣ ସମ୍ପାଦକ ଜ୍ଞାନ ବେଉରାଙ୍କୁ ନେଇ ଗଠିତ ଟିମ୍‌କୁ ଅନୁଗୁଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ଦେବଗଡ଼ ଦାୟିତ୍ବ ଦିଆଯାଇଛି। ବୁଧବାର ଏହି ଟିମ ସମ୍ବଲପୁର ଆସିଥିଲା। ଏହି ଅବସରରେ ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ ଏବଂ ରେଙ୍ଗାଲି ବିଧାନସଭା ପ୍ରାର୍ଥୀଙ୍କ ସମେତ ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କୁ ଡକାଯାଇଥିଲା। ତେବେ କେବଳ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଡା. ପୂଜାହାରୀ ଏବଂ ରେଂଗାଲି ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ ଉପସ୍ଥିତ ହୋଇଥିଲେ। ବୈଠକରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀଙ୍କ ପରାଜୟ ନେଇ ସମୀକ୍ଷା ହୋଇଥିଲା। ନିର୍ବାଚନ ସମୟରେ କଂଗ୍ରେସ ଅଶ୍ବିନୀ ପୂଜାହାରୀଙ୍କୁ ଟଙ୍କାଟିଏ ମଧ୍ୟ ଦେଇ ନଥିବା ନେଇ ମନ୍ତବ୍ୟର ପ୍ରତିବାଦ କରିଥିଲେ ବୁର୍ଲା କଂଗ୍ରେସ ସଭାପତି ଶିବ ପ୍ରଧାନ। ଏପରିକି ଦଳ ଦେଇଥିବା ଟଙ୍କା ସେ କେଉଁଠାରେ ଖର୍ଚ କଲେ ଏହା ମଧ୍ୟ ସ୍ପଷ୍ଟ ନୁହେଁ। ନିର୍ବାଚନର କିଛି ଦିନ ପୂର୍ବରୁ ଟିକଟ ନେଇ ଆସିଲେ, କିନ୍ତୁ ଜିଲ୍ଲା କଂଗ୍ରେସଠାରୁ ବ୍ଲକ କଂଗ୍ରେସ କର୍ମୀ କାହା ସହିତ ମଧ୍ୟ ଯୋଗାଯୋଗ ରକ୍ଷା କଲେ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ତେବେ ଏହାକୁ ଅଶ୍ବିନୀ ପୂଜାହାରୀଙ୍କ ସମର୍ଥକ କୁହାଯାଉଥିବା ରୁବେନ ଛତ୍ରିଆ ବିରୋଧ କରିଥିଲେ। ପ୍ରଥମ କରି ନିର୍ବାଚନ ଲଢ଼ିଥିବା ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସହଯୋଗ ମିଳି ନଥିଲା କି ତାଙ୍କ ପ୍ରଚାର ପାଇଁ କେହି ଆଗେଇ ଆସି ନଥିଲେ ବୋଲି ପାଲଟା ଅଭିଯୋଗ କରିଥିଲେ। ବଚସା ବଢ଼ିବା ପରେ ଶିବ ପ୍ରଧାନଙ୍କ ସମେତ କିଛି କର୍ମୀ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହାପରେ ଶ୍ରୀ ଛତ୍ରିଆଙ୍କୁ ମାରପିଟ କରା ଯାଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଡା. ପୂଜାହାରୀ ଅଧାରୁ ବୈଠକ ଛାଡ଼ି ଚାଲି ଯାଇଥିଲେ। ସେହିଭଳି କିଛି ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଭିନ୍ନ କାରଣରୁ ହାତାହାତି ହୋଇଥିଲା। ଶିବ ପ୍ରଧାନ କହିଛନ୍ତି, ବିଜେଡିର ଜଣେ କର୍ମୀ ଆସି ଗଣ୍ଡଗୋଳ କରିବାରୁ ଦଳୀୟ କର୍ମୀ ବିରୋଧ କରିଥିଲେ। ଏହି ବ୍ୟକ୍ତି ଜଣକ ପ୍ରଥମେ ବିଜେଡିରେ ଥିଲେ, କିଛି ଦିନ ଜୟନାରାୟଣ ମିଶ୍ରଙ୍କ ସହ ଥିଲେ ଏବଂ ପରେ କେବଳ ଅଶ୍ବିନୀ ପୂଜାହାରୀଙ୍କ ସହିତ କଂଗ୍ରେସରେ ସାମିଲ ହୋଇଥିଲେ ମଧ୍ୟ ଦଳୀୟ ଗତିବିଧିରେ ସଂପୃକ୍ତ ନଥିଲେ। ରୁବେନ ଛତ୍ରିଆ କହିଛନ୍ତି, ଜିଲ୍ଲା କଂଗ୍ରେସ ସଭାପତିଙ୍କ ଉପସ୍ଥିତିରେ ତାଙ୍କ ଉପରେ ମାଡ଼ ହୋଇଛି। ଦଳୀୟ ବ୍ୟାପାର ହୋଇଥିବାରୁ ସେ ଏ ନେଇ ଏତଲା ଦେଉ ନାହାନ୍ତି। ବୈଠକରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ମାରପିଟ ପର୍ଯ୍ୟନ୍ତ କଥା ଯାଇନଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଜର୍ଜ ତିର୍କି ଏବଂ ଜ୍ଞାନ ବେଉରା କହିଛନ୍ତି।

ସମ୍ବନ୍ଧିତ ଖବର