ସମ୍ବଲପୁର ପୁଣି ସାଇବର୍‌ ଠକେଇ: ଗୁଗୁଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ସର୍ଚ୍ଚ କରି ଫସିଲେ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ସମ୍ବଲପୁର ଚାରମାଲ ଅଞ୍ଚଳର ପ୍ରତାପ କୁମାର ପ୍ରଧାନ ଶୁକ୍ରବାର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗୁଗୁଲ୍‌ରେ କଷ୍ଟମର୍‌ କେୟାର ନମ୍ବର ସର୍ଚ୍ଚ କରି ଠକେଇର ଶିକାର ହୋଇଥିବା ସେ ସମ୍ବଲପୁର ସାଇବର ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ତାଙ୍କ କ୍ରେଡିଟ୍‌ କାର୍ଡରୁ ସାଇବର ଠକ ଜଣକ ଏକାଦିକ ଟ୍ରାନ୍‌ଜେକସନ୍‌ କରି  ୪୯ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହେବା ଜାଣିବା ପରେ ସେ ସମ୍ବଲପୁର ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେମିତି ହୋଇଥିଲା ଠକେଇ

ଶୁକ୍ରବାର ସକାଳ ୮ଟା ସମୟରେ ପ୍ରତାପ ଗୁଗୁଲ୍‌ରେ ଟାଟା ସ୍କାଏ କଷ୍ଟମର୍‌ ନମ୍ବର ସର୍ଚ୍ଚ କରିଥିଲେ। ସେଥିରୁ ପାଇଥିବା ନମ୍ବରରେ ସମ୍ପର୍କ  କରିବାକୁ ଚେଷ୍ଟା କଲେ, କିନ୍ତୁ ଉକ୍ତ ନମ୍ବରଟି ଲାଗି ନଥିଲା। ତତ୍‌କ୍ଷଣାତ୍‌ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍‌ ଆସିଲା।ତାଙ୍କ ମୋବାଇଲ୍‌ରେ ଉକ୍ତ ନମ୍ବରଟି ଟାଟା ସ୍କାଏ କଷ୍ଟମର୍‌ କେୟାର୍‌ ବୋଲି ଦର୍ଶାଇଥିଲା। ତେଣୁ ପ୍ରତାପଙ୍କୁ ସାଇବର୍‌ ଠକର କଲ୍‌କୁ ନେଇ ସନ୍ଦେହ ହୋଇନଥିଲା। ତାପରେ ସାଇବର୍‌ ଠକ ଜଣକ ତାଙ୍କୁ ୫୦ ଟଙ୍କା ରିଚାର୍ଜ କରିବା ପାଇଁ କହିଥିଲା। ଠକ କଥାକୁ ବିଶ୍ବାସ କରି ଡେବିଟ୍‌ କାର୍ଡ ମାଧ୍ୟମରେ ରିଚାର୍ଜ କରିବାକୁ ସେ ଚେଷ୍ଟା କରିଥିଲେ। କିନ୍ତୁ ଓଟିପି ଆସି ନଥିଲା। ତାପରେ ସାଇବର୍‌ ଠକ ଜଣକ ତାଙ୍କୁ ଅନ୍ୟ ଏକ ମୋବାଇଲ୍‌ ନମ୍ବର ଦେବାକୁ କହିଥିଲା। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍‌ ନମ୍ବର ଦେଇଥିଲେ।

ସଙ୍ଗେ ସଙ୍ଗେ ସାଇବର୍‌ ଠକ ଜଣକ ଉକ୍ତ ନମ୍ବରକୁ କଲ୍‌ କରିଥିଲା। ତାପରେ ସେ ତାଙ୍କ ମୋବାଇଲ୍‌ରେ ଏନିଡେସ୍କ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କହିଥିଲା। ଠକ କଥାରେ ପଡ଼ି ପ୍ରତାପ ଏନିଡେସ୍କ ଆପ୍‌ ଡାଉନ୍‌ ଲୋଡ୍‌ କରିଥିଲେ। ଆଉ ଇନ୍‌ଷ୍ଟଲ୍‌ କରିବା ପରେ ଠକକୁ ଏନିଡେସ୍କରେ ଯୋଡ଼ିହେବା ପାଇଁ ଦର୍ଶାଉଥିବା ନମ୍ବର ଦେଇଥିଲେ। ଏହାପରେ ଏନିଡେସ୍କ ମାଧ୍ୟମରେ ସାଇବର୍‌ ଠକ ଜଣକ ପ୍ରତାପଙ୍କ ମୋବାଇଲ୍‌କୁ ନିଜେ ଅପରେଟ୍‌ କରିବାକୁ ସମର୍ଥ ହୋଇଯାଇଥିଲା।  ସେ ଅନ୍ୟ କିଛି କାର୍ଡ ଅଛି କି ଯାହା ଦ୍ବାରା ପେମେଣ୍ଟ କରି ହେବ ବୋଲି ପଚାରିଥିଲା। ତାପରେ ୫୦ ଟଙ୍କା ରିଚାର୍ଜ କରିବା ପାଇଁ ପ୍ରତାପ ତାଙ୍କର କ୍ରେଡିଟ୍‌ କାର୍ଡ ନମ୍ବର ଦେଇଥିଲେ। ନମ୍ବର ଦେବା ପରେ ତୁରନ୍ତ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଯାଇଥିଲା।

ଠକ ପ୍ରଥମ ଟ୍ରାନ୍‌ଜେକସନ୍‌ରେ ୪୭ ହଜାର ଟଙ୍କା କାଟିସାରିବା ପରେ ଦ୍ବିତୀୟଥର ୨ ହଜାର ଟଙ୍କା କାଟି ନେଇଥିଲା। ତୃତୀୟ ଥର ୧୫୦୦ ଟଙ୍କା କାଟିବାକୁ ସାଇବର୍‌ ଠକ ଚେଷ୍ଟା କରିଥିଲା। କିନ୍ତୁ ଆକାଉଣ୍ଟର ଲିମିଟ୍‌ ସରିଯାଇଥିବାରୁ ଆଉ ଟଙ୍କା କଟି ନଥିଲା। ଓଟିପି ମାଧ୍ୟମରେ ସମସ୍ତ ପେମେଣ୍ଟ ହୋଇଥିଲା। ପ୍ରତାପ ଯଦିଓ ଓଟିପି ସେୟାର କରି ନଥିଲେ, ସାଇବର୍‌ ଠକ ଜଣକ ଏନିଡେସ୍କ ମାଧ୍ୟମରେ ତାଙ୍କ ମୋବାଇଲ୍‌ ସହ ଯୋଡ଼ି ହୋଇଥିବାରୁ ନିଜେ ଉକ୍ତ ଓଟିପି ଦେଖିଥିଲା। ଆଉ ଓଟିପି ଦେଇ ଟଙ୍କା କାଟି ନେଇଥିଲା।

ଟ୍ରୁ କଲର୍‌ରେ ବାହାରୁ ଥିବା ନାଁକୁ ଭରସା କରନ୍ତୁ ନାହିଁ

ଆଜିର ଦିନରେ ଅନେକ ଲୋକଙ୍କ ମୋବାଇଲ୍‌ରେ ଟ୍ରୁ କଲ୍‌ର ଭଳି ଆପ୍‌ ଇନ୍‌ଷ୍ଟଲ ଥିବା ଦେଖିବାକୁ ମିଳେ। ଯାହାଦ୍ବାରା ଅଜଣା ନମ୍ବରରୁ କଲ୍‌ ଆସିଲେ ତାହା କାହା ନମ୍ବର ବୋଲି ଜଣାପଡ଼େ। ଏହି ସୁବିଧା ହାସଲ କରିବା ପାଇଁ ପ୍ରାୟ ସମସ୍ତେ ଏହି ଭଳି ଆପ୍‌କୁ ନିଜ ମୋବାଇଲ୍‌ରେ ରଖନ୍ତି। କିନ୍ତୁ ଏଥିରେ ଅନେକ ଅସୁବିଧା ମଧ୍ୟ ରହିଛି। ଉକ୍ତ ଆପ୍‌ ଦ୍ବାରା ଦର୍ଶାଯାଉଥିବା ନାଁ’ କୌଣସି ଆଧାର କାର୍ଡ କିମ୍ବା ଭୋଟର୍‌ ଆଇଡିରୁ ନିଆଯାଇ ନଥାଏ। ଏକ ମୋବାଇଲ୍‌ ନମ୍ବରକୁ ଅନ୍ୟ ଜଣେ କିମ୍ବା ନିଜେ ଉକ୍ତ ଆପ୍‌ରେ ଯେକୌଣସି ଏକ ନାଁରେ ସେଭ୍‌ କରିଥିବେ।

ଉକ୍ତ ନମ୍ବରରୁ କଲ୍‌ ଗଲେ, ଯଦି ଆପଣ ସେହି ଆପ୍‌ ବ୍ୟବହାର କରୁଛନ୍ତି ତେବେ ପୂର୍ବରୁ ସେଭ୍‌ ହୋଇଥିବା ନାଁ ହିଁ ଦେଖାଇବ। ଯାହା ଉକ୍ତ ବ୍ୟକ୍ତିଙ୍କର ପ୍ରକୃତ ନାଁ ହୋଇପାରେ, ନ ହୋଇ ବି ପାରେ। ଏହାର ଫାଇଦା ଉଠାଇ ଏହି ମାମଲାରେ ସାଇବର୍‌ ଠକ ଜଣକ କଲ୍‌ କରିବା ପୂର୍ବରୁ ତା ମୋବାଇଲ୍‌ ନମ୍ବରର ନାଁ ‘ଟାଟା ସ୍କାଏ କଷ୍ଟମର୍‌ କେୟାର୍‌’ ବୋଲି ସେଭ୍‌ କରିଥିବ। ଯାହା ଫଳରେ ଠକେଇର ଶିକାର ହୋଇଥିବା ପ୍ରତାପଙ୍କୁ ଟାଟା ସ୍କାଏ କଷ୍ଟମର୍‌ କେୟାର୍‌ ବୋଲି ଦର୍ଶାଇଥିଲା। ଉକ୍ତ ଆପ୍‌ରେ ବାହାରିଥିବା ନାଁକୁ ବିଶ୍ବାସ କରି ପ୍ରତାପ୍‌ ସାଇବର୍‌ ଠକେଇର ଶିକାର ହେଲେ। ତେଣୁ ଏଭଳି ବାହାରୁ ଥିବା ନାଁକୁ ସବୁବେଳେ ଭରସା ନ କରିବାକୁ ସାଇବର୍‌ ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର