ହାଇକୋର୍ଟ ବେଞ୍ଚ ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଯୁଦ୍ଧଂଦେହୀ ଡାକରା     

ସମ୍ବଲପୁର: ମା’ ମାଟିର ହକ୍‌ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏହାର ସମର୍ଥନ ଜାରି ରଖିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ ସାଜି ବର୍ତ୍ତମାନର ଆଇନଜୀବୀ ପରିଷଦ ଓକିଲମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛି। ଅପରପକ୍ଷରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତ ସଦସ୍ୟଙ୍କ ଭୋଟ ଦ୍ବାରା ନିର୍ବାଚିତ ହୋଇଛନ୍ତି ଓ ସାଧାରଣ ପରିଷଦର ନିଷ୍ପତ୍ତି ଅନୁଯାୟୀ ସଂଘ ପରିଚାଳନା କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପ୍ରତିଟି ସଦସ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବୋଲି ବିଚାର କରାଯିବ। ଏହାକୁ ସଂଘର ପ୍ରତିଟି ସଦସ୍ୟ ଦୃଢ଼ ବିରୋଧ କରିବେ ଓ ଏହାର ଜବାବ ଦେବେ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ୧୬ ତାରିଖ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏଭଳି ଆଭିମୁଖ୍ୟ ରଖି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନ୍ୟାଯ୍ୟ ଦାବି ହାସଲ ପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି ସୂଚାଇ ଦେଇଛି। ଏଥି ସହ ପ୍ରତି ବୁଧବାର ଚାଲିଥିବା ଓକିଲ ମାନଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ଘୋଷଣା କରିଛି।

ଜିଲ୍ଲା ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ ବିରୋଧରେ ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କ ଆଦେଶ ଓ ରାଜ୍ୟ ଆଇନ୍‌ଜୀବୀ ପରିଷଦର ପତ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍‌ଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ଦାଖଲ କରା ଯାଇଥିବା ସତ୍ୟପାଠ ଆଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ତଥା ପରବର୍ତ୍ତୀ ରଣନୀତି ସ୍ଥିର କରିବା ପାଇଁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ଜରୁରୀକାଳୀନ ସାଧାରଣ ପରିଷଦ ବୈଠକ ସଭାପତି ସୁରେଶ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂପାଦକ ଉପରୋକ୍ତ ସମସ୍ତ ବିଷୟ ସଦସ୍ୟଙ୍କୁ ଅବଗତ କରାଇଥିଲେ। ଏହାପରେ ଏହା ଉପରେ ଖୋଲା ଆଲୋଚନା ହୋଇଥିଲା। ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀ ଆଲୋଚନାରେ ଭାଗ ନେଇ ଜିଲ୍ଲା ଓକିଲ ସଂଘ ବିରୋଧରେ ଭାରତୀୟ ଆଇନ୍‌ଜୀବୀ ପରିଷଦ ଦେଇଥିବା ନିଲମ୍ବନ ଆଦେଶକୁ ନାପସନ୍ଦ କରିବା ସହ ଏହା କ୍ଷମତା ବହିର୍ଭୂତ ବୋଲି ମତ ରଖିଥିଲେ। ବର୍ତ୍ତମାନର ରାଜ୍ୟ ଓ ଭାରତୀୟ ଆଇନ୍‌ଜୀବୀ ପରିଷଦରେ ନିର୍ବାଚିତ ପ୍ରତିନିଧି ବା କର୍ମକର୍ତ୍ତା ନଥିବାବେଳେ ଏକ ନିର୍ବାଚିତ ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନଙ୍କ କ୍ଷମତା ନାହିଁ ବୋଲି ମତପ୍ରକାଶ ପାଇଥିଲା। ତେଣୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ନିଲମ୍ବନକୁ ବୈଠକରେ ସର୍ବସମ୍ମତଭାବେ ପ୍ରତ୍ୟାଖ୍ୟାନ କରା ଯାଇଥିଲା।

ସେହିପରି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷପାତମୂଳକ ସତ୍ୟପାଠକୁ ବି ସଂଘ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ଅତୀତରେ ହାଇକୋର୍ଟ ଓକିଲ ସଂଘର ସଦସ୍ୟମାନେ ମୁଖ୍ୟ ବିଚାରପତିଙ୍କ ଅଦାଲତକୁ ବର୍ଜନ କରିଥିଲେ ହେଁ ସେମାନଙ୍କ ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ଉପରେ ସତ୍ୟପାଠରେ ଗୋଟିଏ ପଦ ବି କହାଗଲା ନାହିଁ ବା ସେମାନଙ୍କୁ ପକ୍ଷଭୁକ୍ତ କରାଗଲା ନାହିଁ। ସାମାନ୍ୟ ଘଟଣାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ପ୍ରାୟ ୩ ମାସ ଧରି ଅଚଳ କରି ଦିଆ ଯାଇଥିଳା। ହେଲେ ସେତେବେଳେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ କାହିଁକି ସୁପ୍ରିମ୍‌କୋର୍ଟରେ ଫେରାଦ କରାଯାଇ ନଥିଲା? ହାଇକୋର୍ଟ ଓକିଲ ସଂଘ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କରାଇ ନଦେବା ପାଇଁ  ଚକ୍ରାନ୍ତ ଚଳାଇଥିବାବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସଂପର୍କରେ କୌଣସି ମତ ନଦେଇ ନିରବ ରହୁଛନ୍ତି। ୧୦ ବର୍ଷରୁ ଅଧିକ ହେଲା ଏହି ପ୍ରସଂଗକୁ ଓଡ଼ିଶା ହାଇକୋର୍ଟ ଅଟକାଇ ରଖିଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ସମ୍ବଲପୁରଠାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଉଚ୍ଚ ନ୍ୟାୟାଳୟର ମତାମତ ନେଇ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇବା ପାଇଁ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ବାରମ୍ବାର ଆଲୋଚନା ଓ ପତ୍ରାଳାପ କଲେ ସୁଦ୍ଧା ରାଜ୍ୟ ସରକାର ଗୁରୁତ୍ବ ଦେଉ ନାହାନ୍ତି। ଓକିଲ ଆନ୍ଦୋଳନକୁ ଦମନ କରିବା ପାଇଁ ହାଇକୋର୍ଟ ଓକିଲ ସଂଘର ଚାପରେ ଚକ୍ରାନ୍ତ କରାଯାଉଛି ଓ ଏଥିରେ ଓଡ଼ିଶା ସରକାର ବି ସାମିଲ ଅଛନ୍ତି ବୋଲି ସଦସ୍ୟମାନେ ମତ ଦେଇଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଏ ଅଞ୍ଚଳର ଜନସାଧାରଣଙ୍କ ନ୍ୟାୟ, ସ୍ବାଭିମାନ ଓ ମର୍ଯ୍ୟାଦାର ଲଢ଼େଇ ହୋଇଥିବାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ ଗଣତାନ୍ତ୍ରିକ ଉପାୟରେ ଏହାକୁ ସମର୍ଥନ କରି ଆସିଛନ୍ତି। ତେଣୁ ସେମାନେ କୌଣସି ଚକ୍ରାନ୍ତ, ଧମକ ବା ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସଂକଳ୍ପ ନେଇଥିଲେ।

ଜନସାଧାରଣଙ୍କ ପକ୍ଷରୁ ଚାଲିଥିବା ଐତିହାସିକ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଓ ଆବଶ୍ୟକ ପଡ଼ିଲେ ସଂଘର ୧୬୦୦ ଆଇନ୍‌ଜୀବୀ ସାମୂହିକଭାବେ ଲାଇସନ୍‌ସ ସମର୍ପଣ କରିବେ ବୋଲି ସଂଘ ସଂପାଦକ ସରୋଜ ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ସଂଘର କୌଣସି ଜଣେ ସଦସ୍ୟଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ତା’ର ବିରୋଧ କରି ସମସ୍ତ ଆଇନ୍‌ଜୀବୀ ‌େଯକୌଣସି ଦଣ୍ଡ ଭୋଗିବା ଓ କାରାବରଣ କରିବା ପାଇଁ ପ୍ରସ୍ତୁତ ବୋଲି ସେ ଜଣାଇଛନ୍ତି। ତେଣୁ ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ନ ପଠାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ସଂଘ ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି, ଅତୀତରେ କନ୍‌‌େଷ୍ଟବଲ୍‌ ଓ ଓକିଲ ବିବାଦରେ ୮୬ ଦିନ ଧରି ଓଡ଼ିଶା ହାଇକୋର୍ଟକୁ ଅଚଳ କରି ଦିଆଗଲା, ହେଲେ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ଯାଚିକାରେ ସେ ସଂପର୍କରେ ପଦଟିଏ କହାଗଲା ନାହିଁ। ଅଥଚ ଏ ଅଞ୍ଚଳର ବହୁ ପୁରୁଣା ଜନଦାବି ଯାହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ସରକାର ନିରବ ରହିଛନ୍ତି, ତାହା ପୂରଣ ହେବାକୁ ଯାଉଥିଲାବେଳେ ଚାପ ସୃଷ୍ଟି କରି, ଭୟଭୀତ କରି ଏହି ଆନ୍ଦୋଳନକୁ ଚାପି ଦେବାକୁ ଚକ୍ରାନ୍ତ କରାଯାଉଛି। ଏହି ଚାପ ବା ଭୟ ସାମ୍‌ନାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମୁଣ୍ଡ ନୁଆଁଇବ ନାହିଁ। କାରଣ ସଂଘର ପ୍ରତିଟି ସଦସ୍ୟ ଏକଜୁଟ ଓ ହାଇକୋର୍ଟ ବେଞ୍ଚ ହାସଲ ପାଇଁ ବଦ୍ଧ ପରିକର। ଆଜିର ବୈଠକରେ ଆମର ସମସ୍ତ ଆଇନ୍‌ଜୀବୀ ନିର୍ଭୀକଭାବେ ମତ ରଖିଛନ୍ତି ଯେ ଯଦି ଜଣେ ଓକିଲଙ୍କ ବିରୋଧରେ ବି ନିଲମ୍ବନ ଆଦେଶ ଆସିଲା ତା’ହେଲେ ତା’ର ପ୍ରତିବାଦରେ ଜିଲ୍ଲା ସଂଘର ସମସ୍ତ ୧୬୦୦ ଆଇନ୍‌ଜୀବୀ ସେମାନଙ୍କ ଲାଇସନ୍‌ସ ସରେଣ୍ଡର କରିବେ। ଆମେ ହାରିବାର ବା ଦବିବାର ପ୍ରଶ୍ନ ଉଠୁ ନାହିଁ। ଏ ମାଟିର ମାନସମ୍ମାନ ଓ ସ୍ବାଭିମାନ ପାଇଁ ଆମର ଲଢ଼େଇ ଜାରି ରହିବ ବୋଲି ଆଜି ସଂଘର ପ୍ରତିଟି ଆଇନ୍‌ଜୀବୀ ଶପଥ ନେଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର