ସମ୍ବଲପୁର: ତୁଟିବା ବଦଳରେ ତେଜୁଛି ସମ୍ବଲପୁର ଜିଲ୍ଲା ବିଜେପି ବିବାଦ। କଚେରି ରୋଡ୍ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଥିବା ଦଳର ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ପ୍ରକୋଷ୍ଠରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଝିଅ ତାଲା ଠୁଙ୍କିବା ପରେ ରବିବାର ଗିରୀଶ ତାଙ୍କର ଏକ ନୂଆ କାର୍ଯ୍ୟାଳୟ ଖୋଲିଛନ୍ତି। ରବିବାର ସନ୍ଧ୍ୟାରେ ଗରୀଶ ତାଙ୍କ ଜନ୍ମଦିନରେ ସମ୍ବଲପୁର ସହରର ନୟାପଡ଼ାରେ ‘ବିଜେପି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ’ ଖୋଲିବା ସହିତ ଏକପ୍ରକାର ସେ ବିଧାୟକ ଜୟନାରାୟଣ ଓ ତାଙ୍କ ସମର୍ଥକଙ୍କୁ ଚ୍ୟାଂଲେଂଜ ଦେଇଛନ୍ତି। କାର୍ଯ୍ୟାଳୟ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।
ଗତ ଜୁନ୍ ୨୮ ତାରିଖ ଦିନ ଗିରୀଶ ଅଭିଯୋଗ ଆଣିଥିଲେ ଯେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଥିବା ଜିଲ୍ଲା ସଭାପତିଙ୍କ ପ୍ରକୋଷ୍ଠରେ ଉପସ୍ଥିତ ଥିବା ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ବାହାରକରି ବିଧାୟକ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ର ସେଠାରେ ତାଲା ଠୁଙ୍କି ଦେଇଥିଲେ। ଘଟଣାକୁ ଅବଶ୍ୟ ଶୁଭଶ୍ରୀ ଅସ୍ବୀକାର କରି କହିଥିଲେ ଯେ ସେ (ଗିରୀଶ ପଟେଲ) ତ ସବୁବେଳେ ନୂଆ କାର୍ଯ୍ୟାଳୟ ଖୋଲିବେ ବୋଲି କହି ବୁଲୁଛନ୍ତି। ସେହି ଘଟଣା ପରଠାରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଗିରୀଶଙ୍କ ଯିବାଆସିବା ବନ୍ଦ ରହିଥିଲା। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖିବାକୁ ମିଳି ନଥିଲା।
ଏପଟେ ତାଙ୍କ ବିରୋଧରେ ଜୟନାରାୟଣଙ୍କ ସମର୍ଥକମାନେ ବି ମେଳି ବାନ୍ଧିଛନ୍ତି। ଗିରୀଶଙ୍କ କାର୍ଯ୍ୟକାଳ ପୂର୍ବରୁ ସରିଯାଇଛି। ସାଧାରଣ ନିର୍ବାଚନ ଯୋଗୁଁ କାର୍ଯ୍ୟକାଳ ସଂପ୍ରସାରଣ କରାଯିବାରୁ ଗିରୀଶ ଏବେ ବି ସଭାପତି ରହିଛନ୍ତି। ଗିରୀଶଙ୍କୁ ବିଦାକରି ଜଣେ ନୂଆନେତାଙ୍କୁ ଜିଲ୍ଲା ସଭାପତି ଆସନରେ ବସାଇବା ପାଇଁ ସେମାନେ ପ୍ରୟାସ କରୁଛନ୍ତି। ଗିରୀଶ ଏକଦା ଜୟନାରାୟଣଙ୍କ ଡାହାଣ ହାତ ସଦୃଶ ଥିଲେ। ଜୟନାରାୟଣଙ୍କ ସହଯୋଗ ଯୋଗୁଁ ଗିରୀଶ ସମ୍ବଲପୁର ପୌର ପରିଷଦର ନଗରପାଳ ତଥା ପରବର୍ତ୍ତୀ ସମୟରେ ଜିଲ୍ଲା ବିଜେପି ସଭାପତି ବି ହୋଇଥିଲେ। ତେବେ, ଚିକିତ୍ସା ପାଇଁ ଜୟନାରାୟଣ ଗତ ବିଧାୟକ ପାଳିରେ ଲମ୍ବା ସମୟ ସମ୍ବଲପୁରରେ ଅନୁପସ୍ଥିତ ରହିବା କାରଣରୁ ଜିଲ୍ଲା ସଂଗଠନ ଉପରେ ଗିରୀଶଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା। ଆଉ ଜୟନାରାୟଣଙ୍କ ଜାଗାରେ ଗିରୀଶ ସମ୍ବଲପୁର ବିଧାନସଭାରୁ ପ୍ରାର୍ଥୀ ହେବା ପାଇଁ ଅଘୋଷିତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।
ଜୟନାରାୟଣଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଶୁଭଶ୍ରୀ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଅଚାନକ ସମ୍ବଲପୁରରେ ପହଂଚି ଜନସଂପର୍କ ଅଭିଯାନ ଆରମ୍ଭ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ସମୟରେ ଉଭୟ (ଜୟନାରାୟଣ ଓ ଗିରୀଶ)ଙ୍କୁ ମିଶାଇବା ପାଇଁ ସେମାନଙ୍କର କେତେକ ଶୁଭେଚ୍ଛୁ ପ୍ରୟାସ କରିଥିଲେ ହେଁ ତାହା ବିଫଳ ହୋଇଥିଲା। ଏପଟେ, ନିର୍ବାଚନରେ ଗିରୀଶ ଓ ତାଙ୍କ ସମର୍ଥକମାନେ ଅନ୍ୟ ଦଳର ପ୍ରାର୍ଥୀଙ୍କ ସହିତ ହାତ ମିଳାଇଥିବା ଜୟନାରାୟଣଙ୍କ ସମର୍ଥକମାନେ ଅଭିଯୋଗ କରୁଛନ୍ତି। ନିଜ କାର୍ଯ୍ୟାଳୟରେ ଲାଗିଥିବା ବ୍ୟାନରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କ ଫଟୋ ଲଗାଇଛନ୍ତି। ଜୟ ନାରାୟଣଙ୍କ ଫଟୋ ବ୍ୟାନରରେ ସ୍ଥାନ ପାଇନାହିଁ।