ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ୧୪ରୁ ୧୮ ବର୍ଷ ବୟସର ୭୮.୧% ଯୁବକ ଯୁବତୀ ଯେକୌଣସି ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୯.୨% ଯୁବକ ଯୁବତୀ ସରକାରୀ ସଂସ୍ଥାରେ ନାମ ଲେଖାଇଛନ୍ତି। ୨୧.୯% ଯୁବକ ଯୁବତୀ କୌଣସି ସଂସ୍ଥାନରେ ନାମ ଲେଖାଇ ନାହାନ୍ତି। ୧୪ରୁ ୧୬ ବର୍ଷ ବୟସ ତୁଳନାରେ ୧୭-୧୮ ବର୍ଷ ବୟସର ଯୁବକ ଯୁବତୀଙ୍କ ଅନୁପାତ ଅଧିକ ରହିଛି। ୧୭-୧୮ ବର୍ଷ ବୟସର ୩୭.୫% ପୁରୁଷ ଓ ୪୪.୯% ମହିଳା କେଉଁଠାରେ ମଧ୍ୟ ପଞ୍ଜିକୃତ ହୋଇ ନାହାନ୍ତି। ଏଥିସହ ୫.୨% ଯୁବପିଢ଼ି କିଛି ବ୍ୟାବସାୟିକ ତାଲିମରେ ପଞ୍ଜିକୃତ ହୋଇଥିବା ନେଇ ‘ଅସର’ ପକ୍ଷରୁ ଗ୍ରାମାଞ୍ଚଳ ପିଲାମାନଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ହୋଇଛି। କେବଳ ସମ୍ବଲପୁର ଜିଲ୍ଲାରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ ୧୪ରୁ ୧୮ ବର୍ଷ ବୟସର ଯୁବକ ଯୁବତୀଙ୍କ ମଧ୍ୟରୁ ୭୭.୫% ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିପାରୁଛନ୍ତି। ୩୫.୯% ଗଣିତ ପରୀକ୍ଷାରେ ହରଣ କରିପାରୁ ଥିବା ବେଳେ ୫୩.୬% ଇଂରାଜୀ ପରୀକ୍ଷାରେ ଅତି କମ୍ରେ ବାକ୍ୟ ପଢ଼ିପାରୁଛନ୍ତି। ଅର୍ଥାତ୍ ୬୪.୧% ଛାତ୍ରଛାତ୍ରୀ ହରଣ ଜାଣିନାହାନ୍ତି। ୪୦% ଯୁବକ ଯୁବତୀ ପ୍ରତିଦିନ ଗଣତି କରିପାରୁଛନ୍ତି। ଯେଉଁମାନେ ପ୍ରଥମ ଶ୍ରେଣୀ ପାଠ ପଢ଼ି ପାରୁଛନ୍ତି(ଅସର ପଠନ ପରୀକ୍ଷା), ସେମାନଙ୍କ ମଧ୍ୟରୁ ୫୬.୪% ଏକ ଔଷଧ ପ୍ୟାକେଟ୍ ପଢ଼ି ୪ଟିରୁ ୩ଟି ପ୍ରଶ୍ନର ଉତ୍ତର ଦେଉଛନ୍ତି। ଯେଉଁମାନେ ଫେଡାଣ କରିପାରୁଛନ୍ତି (ଅସର ଗଣିତ ପରୀକ୍ଷା), ସେମାନଙ୍କ ମଧ୍ୟରୁ ୫୦.୧% ବଜେଟ୍ ସମ୍ବନ୍ଧିତ ଟାସ୍କ, ୨୮.୫% ରିହାତି ପ୍ରଶ୍ନ ସମାଧାନ, ୮.୫% ସରଳ ସୁଧ ପ୍ରଶ୍ନ ସମାଧାନ କରିପାରୁଛନ୍ତି। ସମସ୍ତ ବ୍ୟାବହାରିକ ପ୍ରଶ୍ନରେ ଅଧିକ ଯୁବକମାନେ ଯୁବତୀଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି।
ଜିଲ୍ଲାର ୮୦.୮% ଯୁବକ ଯୁବତୀଙ୍କ ଘରେ ସ୍ମାର୍ଟଫୋନ୍ ରହିଛି। ୮୯.୯% ସ୍ମାର୍ଟଫୋନ୍ ବ୍ୟବହାର ଜାଣିଛନ୍ତି। ପୁରୁଷଙ୍କ ମଧ୍ୟରେ ଏହି ଅନୁପାତ ୯୩.୫% ଓ ମହିଳାଙ୍କ ମଧ୍ୟରେ ୮୬.୭% ରହିଛି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି ସେମାନଙ୍କ ମଧ୍ୟରୁ ୪୯.୩% ପୁରୁଷ ଓ ୨୮.୮% ମହିଳାଙ୍କ ପାଖରେ ନିଜ ସ୍ମାର୍ଟଫୋନ୍ ଅଛି। ୮୯.୮% ସୋସିଆଲ୍ ମିଡିଆ ବ୍ୟବହାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ବହୁତ କମ୍ ଜଣ ନିରପତ୍ତା ସୁବିଧା ଯଥା ପ୍ରୋଫାଇଲ୍ ବ୍ଲକ, ପ୍ରାଇଭେଟ୍ କରିବା ଆଦି ବିଷୟରେ ଜାଣିଛନ୍ତି। ସମ୍ବଲପୁରରେ ୫୫% ଯୁବକ ଯୁବତୀ ଡିଜିଟାଲ ଟାସ୍କ୍ କରିବାକୁ ମୋବାଇଲ୍ ଆଣିପାରିଲେ, ସେଥିମଧ୍ୟରୁ ୫୯.୬% ଆଲାରାମ୍ ସେଟିଂ କରିପାରିଛନ୍ତି। ୪୧.୨% କୌଣସି ସୂଚନା ପାଇଁ ଇଣ୍ଟରନେଟ୍ ବ୍ରାଉଜ୍ କରିପାରିଛନ୍ତି। ୩୫.୧% ଗୁଗୁଲ୍ ମ୍ୟାପ୍ ବ୍ୟବହାର ଜାଣିଛନ୍ତି। ୭୮.୭% ୟୁଟ୍ୟୁବରେ ଭିଡ଼ିଓ ଖୋଜି ଜାଣିଛନ୍ତି। ସମସ୍ତ ଡିଜିଟାଲ ଟାସ୍କରେ ମହିଳାଙ୍କ ଅପେକ୍ଷା ପୁରୁଷ ଭଲ ପ୍ରଦର୍ଶନ କରିଛନ୍ତି। ଅସର ୨୦୨୩ ‘ବିୟଣ୍ଡ୍ ବେସିକ୍ସ’ ସର୍ଭେ ୨୬ଟି ରାଜ୍ୟର ୨୮ଟି ଜିଲ୍ଲାରେ କରାଯାଇଥିଲା। ଏଥିରେ ୧୪ରୁ ୧୮ ବର୍ଷର ୩୪ ହଜାର ୭୫୪ ପିଲାଙ୍କ ପାଖରେ ପହଞ୍ଚିଛି। ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଦୁଇଟି ଲେଖାଏ ଜିଲ୍ଲାରେ ଏହି ସର୍ଭେ ହୋଇଥିବା ବେଳେ ଅନ୍ୟ ରାଜ୍ୟର ଗୋଟିଏ ଲେଖାଏ ଜିଲ୍ଲାରେ ସର୍ଭେ ହୋଇଛି। ଓଡ଼ିଶାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ବେଚ୍ଛାସେବୀମାନେ କେବଳ ସମ୍ବଲପୁର ଜିଲ୍ଲାରେ ଏହି ସର୍ଭେ କରିଥିଲେ।