ସମ୍ବଲପୁର: ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ବୁଧବାରଠାରୁ ଏହା ୨ଟି ପର୍ଯ୍ୟାୟରେ ଲାଗୁ ହେବ। ପ୍ରଥମ ୪ ଦିନ କେବଳ ଜରୁରୀ ସେବା ବ୍ୟତୀତ ପୂରା ଜିଲ୍ଲା ସଂପୂର୍ଣ୍ଣ ସଟ୍ଡାଉନ୍ ରହିବ। ଦ୍ବିତୀୟ ପର୍ଯ୍ୟାୟରେ ୬ ଦିନରେ କଟକଣା ସାମାନ୍ୟ କୋହଳ ରହିବ। ମହାମାରୀ ଆଇନ୍ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍ ୨୦୦୫ ଓ କୋଭିଡ୍-୧୯ ଆଇନ୍ ୨୦୨୦ ଅନୁଯାୟୀ ନିଜ ସ୍ବତନ୍ତ୍ର କ୍ଷମତାର ଉପଯୋଗ କରି ମଙ୍ଗଳବାର ଦିନ ଜିଲ୍ଲାପାଳ ଶୁଭମ୍ ସକ୍ସେନା ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ଓ ଚିକିତ୍ସା ସେବା ସମ୍ବନ୍ଧିତ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ୍, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ୍ ଦିଆଯାଇଛି। ଏଥିସହ ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା), ପୁଲିସ୍, ଅଗ୍ନିଶମ ସେବା, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ବେରେଜ୍, ବିଦ୍ୟୁତ୍ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍ଡାଉନ୍ କଟକଣାରୁ ବାଦ୍ ଦିଆଯାଇଛି। ଏହାଛଡ଼ା ମାଲ୍ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟକୁ କଟକଣାରୁ ବାଦ ଦିଆଯାଇଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁ ସଂପଦ, ପ୍ରାଣୀ ଚିକିତ୍ସା ଆଦି ସେବାକୁ ମଧ୍ୟ କଟକଣାରୁ ରିହାତି ମିଳିଛି। ରାଜପଥରେ ଦୂରଗାମୀ ଯାନ ଓ ପରିବହନ, ବିବାହ, ଅନ୍ତିମ ସଂସ୍କାର, ଏଟିଏମ୍ ତଥା ଜରୁରୀ ଆର୍ଥିକ ସଂସ୍ଥା ଗୁଡ଼ିକୁ ମଧ୍ୟ ସଟ୍ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଛି। ଜାତୀୟ ରାଜପଥରେ ଥିବା ଢାବାରେ ପ୍ୟାକିଂ ସେବା, ଦୁଗ୍ଧ ବୁଥ, ଏଲ୍ପିଜି ବିତରଣ, ରନ୍ଧନ ଗ୍ୟାସ୍ ହୋମ୍ ଡେଲିଭରି ଆଦିକୁ ମଧ୍ୟ କଟକଣାରୁ ବାଦ ଦିଆଯାଇଛି। ଏହି ୪ ଦିନ ଜିଲ୍ଲାରେ ବିନା ଜରୁରୀ କାର୍ଯ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶରେ ଚେତାଇ ଦିଆଯାଇଛି।
ଜିଲ୍ଲାସ୍ତରୀୟ ସଟ୍ଡାଉନ୍ର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନୁଷ୍ଠାନ ବନ୍ଦ ରହିବ। ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ ହେବ। ନିର୍ଦ୍ଦିଷ୍ଟ ବର୍ଗ ବ୍ୟତୀତ ଦୁଇଚକିଆ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ପର୍ଯ୍ୟାୟ ୧ରେ କଟକଣାରୁ ମୁକ୍ତ ସମସ୍ତ ଦ୍ରବ୍ୟ, ସେବା, ବର୍ଗ, କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟାୟ ୨ରେ ମଧ୍ୟ ରିହାତି ଦିଆଯାଇଛି। ଅବଶ୍ୟ ଏହି ୬ ଦିନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରିବା ଦୋକାନ, ତେଜରାତି (କିରାନା) ଦୋକାନ, ଦୁଗ୍ଧ ବୁଥ୍ ଆଦି ଖୋଲା ରହିବ। ସେହିପରି ରନ୍ଧା ଖାଦ୍ୟପଦାର୍ଥ, ତେଜରାତି ସାମଗ୍ରୀ, ପନିପରିବା, ଅଣ୍ଡା, ମାଛ, ମାଂସ ଓ ଅନ୍ୟ ଜରୁରୀ ସାମଗ୍ରୀର ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯିବ। ରେସ୍ତୋରାଁ, ଉତ୍ପାଦକ, ଜମାଟୋ, ସ୍ବିଗି, ଓମ୍ଫେଡ୍, ହୀରାକୁଦ ଫ୍ରେସ୍ ଆଦି ଅନୁଷ୍ଠାନ ହୋମ୍ ଡେଲିଭରି କରିପାରିବେ। କୋଭିଡ୍ ନିୟମ ଅନୁଯାୟୀ ହୋଟେଲ୍, ହସ୍ପିଟାଲିଟି ସେବା ଜାରି ରହିବ। ଏହି ସମୟରେ ଫ୍ଲିପ୍କାର୍ଡ, ଆମାଜନ୍ ଭଳି ଇ-କମର୍ସ କମ୍ପାନି ସେବା ଜାରି ରଖି ପାରିବେ। ରେଳ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡକୁ ଯିବା, ଆସିବା ପାଇଁ ବସ୍, ଟ୍ୟାକ୍ସି, ଅଟୋ ସେବା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।