ସମ୍ବଲପୁର : ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର କାର୍ଯ୍ୟକ୍ରମ ବିଭାଗରେ ଥିବା ଜଣେ ମାତ୍ର କର୍ମଚାରୀ ତଥା କ୍ୟାମେରାମ୍ୟାନ୍ ସୁଧାଂଶୁ ପୃଷ୍ଟିଙ୍କୁ କିଛି ଦିନ ତଳେ ରିଲିଭ୍ କରାଯାଇଥିଲା। ଏହାପରେ କାର୍ଯ୍ୟକ୍ରମ ବିଭାଗ କର୍ମଚାରୀ ଶୂନ୍ୟ ହୋଇଥିିଲାବେଳେ ବୈଷୟିକ ବିଭାଗର ଜଣେ କର୍ମଚାରୀ ତଥା କିଛି ଅଣକୁଶଳୀ ଠିକା କର୍ମଚାରୀ ଏବେ ରାଜ୍ୟର ଏହି ସର୍ବପୁରାତନ ଦୂରଦର୍ଶନ କେନ୍ଦ୍ରର ଷ୍ଟୁଡିଓ ପରିଚାଳନା କରୁଛନ୍ତି।
ଆଗାମୀ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଏବଂ ସାଧାରଣତନ୍ତ୍ର ଦିବସ ପାଇଁ ସେମାନଙ୍କ ତତ୍ତ୍ବାବଧାନରେ ଷ୍ଟୁଡିଓରୁ ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ ଉପକରଣ ବାହାରକୁ ପଠା ଯାଉଥିବା କିଛି ସ୍ଥାନୀୟ ସଂସ୍କୃତିପ୍ରେମୀ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର କାର୍ଯ୍ୟକ୍ରମ ବିଭାଗ ମୁଖ୍ୟ ଟେଲିଫୋନ୍ରେ ନିର୍ଦ୍ଦେଶ ଦେଇ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପରିଚାଳନା କରୁଛନ୍ତି ଓ ଏଠାରେ ଥିବା ଭାରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ଆଖିବୁଜି ତାଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ରାଜ୍ୟର ଏହି ସର୍ବପୁରାତନ ତଥା ଦେଶର ସପ୍ତମ ଦୂରଦର୍ଶନ କେନ୍ଦ୍ରକୁ ସ୍ଥାଣୁ ସ୍ଥିତିରୁ ଉଦ୍ଧାର କରିବାକୁ ସେମାନେ ଦାବି କରିଛନ୍ତି। ବଦଳି କରାଯାଉଥିବା କ୍ୟାମେରା ମ୍ୟାନ୍ଙ୍କ ସମେତ ଅଧିକ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ଦେବା ତଥା ଏଠାରେ ଜଣେ କାର୍ଯ୍ୟକ୍ରମ ବିଭାଗ ମୁଖ୍ୟଙ୍କୁ ଅବସ୍ଥାପିତ କରିବାକୁ ସେମାନେ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି।