ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ୨୧ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବର ଡ୍ରେସ୍ କୋଡ୍ ସମ୍ବଲପୁରୀ ପୋଷାକ ରହିଥିଲା। ଛାତ୍ରମାନେ ଫୁଲ୍ ସ୍ଲିଭ୍ କୁର୍ତ୍ତା ପିନ୍ଧିଥିବାବେଳେ ଛାତ୍ରୀମାନେ ସମ୍ବଲପୁରୀ ଶାଢ଼ି ପରିଧାନ କରିଥିଲେ। ବିଦେଶରୁ ଆସି ଏଠାରେ ପାଠ ପଢୁଥିବା ଛାତ୍ରୀମାନେ ମଧ୍ୟ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ। ପାଶ୍ଚ୍ୟାତଦେଶରେ ମହିଳାମାନଙ୍କୁ ସାଢ଼ି ପିନ୍ଧୁଥିବାର କ୍ବଚିତ ଦେଖାଯାଉଥିଲେ ମଧ୍ୟ ବାଂଲାଦେଶ ଓ ସାଉଦୀଆରବରୁ ଆସି ଏଠାରେ ପଢୁଥିବା ଛାତ୍ରୀମାନେ ମଧ୍ୟ ଖୁସିର ସହିତ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ।
ସେହିଭଳି ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧିଥିଲେ। ଚଳିତବର୍ଷ ମୋଟ୍ ୮ ଜଣଙ୍କୁ ଇନ୍ଷ୍ଟିୁଚ୍ୟୁଟ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ହେଉଛନ୍ତି ରୁଦ୍ର ରାମକୃଷ୍ଣନ(ଏମ.ଟେକ୍), ନେହାର ସିଂହ ବିସେନ(ଡୁଆଲ ଡିଗ୍ରି), ଚିତ୍ତ ରଞ୍ଜନ ସାହୁ(ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍ସି), ଅନୂଜ ଶ୍ରୀବାସ୍ତବ, ସୋନିକା ନାଥ(ଏମ୍ବିଏ), ଡି. ୟଶ୍ ଭାଉସାହେବ ଦୀପା(ଏମ୍.ଟେକ୍ ଓ ଡୁଆଲ ଡିଗ୍ରି), ସାଇ ଶୁଭମ ପଶାୟତ ଓ ଆୟୁଷ୍ମାନ ରଘୁବଂଶୀ। ସେହିଭଳି ୫ ଜଣଙ୍କୁ ଏଣ୍ଡୋମେଣ୍ଟ୍ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏତଦ୍ବ୍ୟତୀତ ୪ ଜଣ ପୂର୍ବତନ ଛାତ୍ର, ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍ର ସିଇଓ ସାରିପୁତ୍ତ ମିଶ୍ର, ଏନ୍ଏମ୍ଡିସି ନିର୍ଦ୍ଦେଶକ ଦିଲୀପ ମହାନ୍ତି, ମିନେସୋଟା ବିଶ୍ବବିଦ୍ୟାଳୟ (ଆମେରିକା)ର ରିସର୍ଚ୍ଚ ଆସୋସିଏଟ୍ ଡ. ଶରତ କୁମାର ମହାପାତ୍ର ଏବଂ ଟାଟା ଷ୍ଟିଲ୍ ଜାମସେଦପୁରର ଉପସଭାପତି ଡିବି ସୁନ୍ଦରରମଣଙ୍କୁ ‘ବିଶିଷ୍ଟ ଛାତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା।
ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ତଥା କୋଲ୍ ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପୋଲାବରପୁ ମଲ୍ଲିକାର୍ଜୁନ ପ୍ରସାଦ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନ ଓ ଚଳଣୀ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷତା ସମ୍ଭାଷଣରେ ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ଅନୁଷ୍ଠାନର ଉପଲବ୍ଧି ବିଷୟରେ ସବିଶେଷ ବିବରଣୀ ରଖିଥିଲେ।