କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ନବନିର୍ମିତ ପ୍ଲାଟଫର୍ମରେ ଯାତ୍ରୀବାହୀ ଟ୍ରେନ୍ ରହୁନଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଯାହାକୁ ନେଇ ଅସୁସ୍ଥ ଥିବା ସତ୍ତ୍ୱେ ସଦର ବିଧାୟକ ପ୍ରଦୀପ୍ତ ନାଏକ ସମ୍ବଲପୁର ଡିଆରଏମ୍ଙ୍କୁ ଚିଠି ଲେଖିଥିଲେ। ଗୁରୁବାର ଡିଆରଏମ୍ ବିନୀତ ସିଂ କେସିଙ୍ଗା ରେଳ ଷ୍ଟେସନ ପରିଦର୍ଶନରେ ଆସିଥିବା ସମୟରେ ବିଜେପି ନେତୃବୃନ୍ଦ ଭେଟି ଉକ୍ତ ସମସ୍ୟା ଜଣାଇବା ସହ ରେଳ ଷ୍ଟେସନରେ ଲାଗି ରହିଥିବା ପାଣି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଡିଆରଏମ୍ ଶ୍ରୀ ସିଂ ଟେକ୍ନିକାଲ ଦୃଷ୍ଟିକୋଣରୁ ଏବେ ସବୁ ଡାଉନ ଟ୍ରେନ୍କୁ ଏହି ପ୍ଲାଟଫର୍ମରେ ଦେଇହେବ ନାହିଁ। କିନ୍ତୁ ବିଶାଖାପାଟଣାରୁ ଆସୁଥିବା ଲିଙ୍କ ଏବଂ ଆଉ ଏକ ଟ୍ରେନ୍ ଏହି ପ୍ଲାଟଫର୍ମ ଦେଇ ଯିବାର ପ୍ରତିଶ୍ରୁତି ଦେଇଥିଲେ। ମୋଟର ପୋଡ଼ିଥିବାରୁ ପାନୀୟ ଜଳ ସମସ୍ୟା ଥିଲା। ହେଲେ ଏବେ ଠିକ୍ ହୋଇଛି ବୋଲି କହିଥିଲେ।
ଅନ୍ୟପକ୍ଷରେ ପ୍ଲାଟଫର୍ମରେ ବହୁ ସମସ୍ୟା ଲାଗି ରହିଥିବା ବେଳେ ବିଭାଗୀୟ ଅଧିକାରୀ ଡିଆର୍ଏମ୍ଙ୍କ ଦୃଷ୍ଟି ଆକର୍ଷଣ କରିନଥିବାରୁ ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ସମୟରେ ଷ୍ଟେସନ ପରିସର ଅପରିଷ୍କାର ହୋଇ ପଡ଼ି ରହୁଥିବା ବେଳେ ଆଜି ସଫେଇ କରାଯାଇଥିବା ଦେଖା ଦେଇଥିଲା। ସେହିଭଳି ପ୍ଲାଟଫର୍ମ ନଂ୪ରେ ଥିବା ଅପରିଷ୍କାର ଯାତ୍ରୀ ବିଶ୍ରାମାଗାରକୁ ମଧ୍ୟ ସଫେଇ କରାଯାଇଥିଲା। ୧ନଂ ପ୍ଲାଟଫର୍ମ ନୂତନ ଭାବେ ନିର୍ମାଣ ହୋଇଛି। ହେଲେ ନିମ୍ନମାନର କାର୍ଯ୍ୟ ପାଇଁ କେଉଁଠି ପ୍ଲେଟ ଉଠି ଯାଇଛି ତ ଆଉ କେଉଁଠି ଭାଙ୍ଗି ଯାଇଛି। ତେବେ ଏନେଇ ଡିଆର୍ଏମ୍ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଆଇନଜୀବୀ ସନ୍ତୋଷ ଦାଶ, ବିଧାୟକ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ନଗର ସଭାପତି ମଗନ ସିନ୍ଦୂର, ପ୍ରି​ତେଶ ପଟେଲ, କୁନା ଦାସ, ସୁନୀଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/kesinga-railway-station-fff.jpg)