ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ, ଭିମ୍‌ସାର, ଭିସୁଟ୍, ଆଇଆଇଏମ୍ ସମ୍ବଲପୁରଠାରୁ ଆରମ୍ଭ କରି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଜିଏମ୍‌ ବିଶ୍ବବିଦ୍ୟାଳୟ ଅନେକ ଶିକ୍ଷାନୁଷ୍ଠାନ ଯୋଗୁ ଅଧୁନା ଶିକ୍ଷା ହବ୍‌ରେ ପରିଣତ ହୋଇଛି ସମ୍ବଲପୁର। ଭଲ ଡାକ୍ତର, ଯନ୍ତ୍ରୀ, ମ୍ୟାନଜମେଣ୍ଟ ତଥା ‌ପ୍ରଶାସନିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରୁଥିବା ଅନେକ ବ୍ୟକ୍ତି ଏଠାରୁ ଏବେ ବାହାରୁଛନ୍ତି। ମାତ୍ର ରାଜ୍ୟ ସରକାର ଗତ କିଛିବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରନେତାରୁ ରାଜନେତା ତିଆରି ହେବା ବାଟ ବନ୍ଦ କରିଦେଇଛନ୍ତି। ଏକଦା ସମ୍ବଲପୁରରେ ଛାତ୍ର ରାଜନୀତିରେ ସକ୍ରିୟ ଥିବା ଅନେକ ବ୍ୟକ୍ତି ଏବେ ସଫଳ ରାଜନେତା ହୋଇପାରିଛନ୍ତି। ଅନେକ ଛାତ୍ରନେତା ପୁଣି ପରବର୍ତ୍ତୀ ଜୀବନରେ ରାଜନେତା ହୋଇନଥିଲେ ବି ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିଭିନ୍ନ କ୍ଷେତ୍ରରେ ଉଭା ହୋଇଛନ୍ତି।

Advertisment

୧୯୪୪ ମସିହାରେ ସ୍ଥାପିତ ସମ୍ବଲପୁର କଲେଜରୁ ଗଂଗାଧର ମେହେର କଲେଜ ଏବଂ ଅଧୁନା ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ଓଡ଼ିଶାର ଅନେକ ରାଜନେତାଙ୍କୁ ତିଆରି କରିଛି। ବର୍ତ୍ତମାନର ବରଗଡ଼ ସାଂସଦ ଥିବା ସୁରେଶ ପୂଜାରୀ ଗଂଗାଧର ମେହେର କଲେଜର ଛାତ୍ର ସଂସଦ ସଭାପତି ଥିବା ସମୟରେ ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନ ଗଢ଼ି ଉଠିଥିଲା। ରାଜ୍ୟ ସରକାରଙ୍କୁ ଶ୍ରୀ ପୂଜାରୀ ନିଜ ଆନ୍ଦୋଳନ ଜରିଆରେ ଦୋହଲାଇ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଠାକାର ସଂପାଦକ ଥିବା ସମୟରେ ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀ ସଭାପତି ଥିଲେ। ଜିଏମ୍ କଲେଜର ଛାତ୍ର ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ବିଧାୟକ ଅଶୋକ ଦାସ ଜନତା ଦଳର ରାଜ୍ୟ ସଭାପତି ପଦ ସମ୍ଭାଳିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ‌ହୋଇପାରିଥିଲେ। ସେହିପରି ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସ ଓ ବର୍ତ୍ତମାନର ସ୍ବାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ ବି ଏଠାକାର ଛାତ୍ର ରାଜନୀତିରୁ ପରେ ରାଜ୍ୟ ରାଜନୀତିରେ ପ୍ରତି‌ଷ୍ଠିତ ହୋଇଛନ୍ତି।

କେବଳ ସେତିକି ନୁହେଁ, ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁ, ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ପୂର୍ବତନ ମନ୍ତ୍ରୀ ମୁରାରୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରବି ପାଣିଗ୍ରାହୀ, ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ, ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ହୁସେନ ରବି ଗାନ୍ଧୀ ମଧ୍ୟ ଜିଏମ୍ କଲେଜ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏବିଭିପିରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ବର୍ତ୍ତମାନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ଭୂପିନ୍ଦର ସିଂହ ମଧ୍ୟ ସମ୍ବଲପୁର ଆଇନ ମହାବିଦ୍ୟାଳୟ ଛାତ୍ର ରାଜନୀତିରେ ସକ୍ରିୟ ରହିଥିଲେ। ଦିନେ ସମ୍ବଲପୁର ସରକାରୀ ମହିଳା କଲେଜ ଛାତ୍ର ସଭାନେତ୍ରୀ ଥିବା ପ୍ରମିଳା ବହିଦାର ସାଂସଦ ଓ ରାଧାରାଣୀ ପଣ୍ଡା ବିଧାୟିକା ହୋଇପାରିଛନ୍ତି। ସେହିପରି ବାମପନ୍ଥୀ ତଥା ଟ୍ରେଡ୍‌ ୟୁନିୟନ ନେତା ଧୁର୍ଚଟୀ ଦାଶ, ପ୍ରଫେସର ଦୁର୍ଗାପ୍ରସାଦ ନାୟକ, ଈଶ୍ବର ନାୟକ, ବଜ୍ରବାହୁ ଶତପଥୀ, ଆହବାନନ୍ଦ ମହାନ୍ତି, ଅଜୟ ରାଉତ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ନେତୃତ୍ବ ନେଉଥିବା ସିଏସିର ଆବାହକ ଅଶୋକ ଦାସ, ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ ମଧ୍ୟ ଜିଏମ୍‌ କଲେଜ ଛାତ୍ର ରାଜନୀତିରେ ସକ୍ରିୟ ‌ଥିଲେ। ଆଇଏଏସ୍‌ ଅଧିକାରୀ ନରେନ୍ଦ୍ର ମିଶ୍ର ଓ ଦେବେନ୍ଦ୍ର ମିଶ୍ରଙ୍କଠାରୁ ଆରମ୍ଭକରି ଅନେକ କବି, ଲେଖକ ବି ଜିଏମ୍‌ କଲେଜ ଛାତ୍ର ସଂସଦ କର୍ମକର୍ତ୍ତା ରହି ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।