ମେଣ୍ଟେନାନ୍ସ ଇଞ୍ଜିନ୍‌କୁ ଧକ୍କା, ଦେଲା ସମଲେଶ୍ବରୀ, ୩ ମୃତ

ରାୟଗଡ଼ା/ଜେକେପୁର: କେଆର୍ ରେଳ ଲାଇନର ଗାଦବାଗୁଡା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ଇଲେକ୍ଟ୍ରିକ୍ ଲାଇନ୍ ମରାମତି କରି ଫେରୁଥିବା ଗୋଟିଏ ମେଣ୍ଟେନାନନ୍ସ ଇଞ୍ଜିନକୁ ସମଲେଶ୍ବରୀ ଏକ୍ସପ୍ରେସ୍ ସମ୍ମୁଖ ପଟୁ ଧକ୍କା ଦେବ‌ାରୁ ଏହି ଇଞ୍ଜିନଟି ସମ୍ପୂର୍ଣ୍ଣ ଜଳିଯାଇଛି। ସିଙ୍ଗାପୁର-କେଉଟଗୁଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସିନିୟର ସେକ୍ସନ ଇଞ୍ଜିନିୟର ସାଗର, ଟେକ୍ନିସିଆନ୍ ଗୌରୀ ନାଇଡୁ ଓ ଏ. ସୁରେଶ ଥିବା ପୂର୍ବତଟ ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ସମଲେଶ୍ବରୀ ଏକ୍ସପ୍ରେସର ଲଗେଜ୍ ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣା ପାଇଁ ଦୁଇଜଣ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଆଜି ଅପରାହ୍ନ ୪ଟାରେ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍ ରାୟଗଡାରୁ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା। ଟ୍ରେନ୍ ସିଙ୍ଗାପୁର ଷ୍ଟେସନ ଅତିକ୍ରମ କରି କେଉଟଗୁଡା ଅଭିମୁଖେ ଯାଉଥିବାବେଳେ କେଉଟଗୁଡାରୁ ବିଦ୍ୟୁତ୍ ମରାମତି କାମ ସାରି ମେ‌େଣ୍ଟନାନ୍ସ ଇଞ୍ଜିନ ଯୋଗେ ବିଭାଗୀୟ ଅଧିକାରୀ ରାୟଗଡ଼ା ଫେରୁଥିଲେ। ତେବେ ସମାନ୍ ଟ୍ରାକ୍‌ରେ ଏକା ସମୟରେ ସମ୍ମୁଖରୁ ଯାତ୍ରୀବାହୀ ଟ୍ରେନ୍ ଆସୁଥିବା ଦେଖି ମେଣ୍ଟେନାନ୍ସ ଇଞ୍ଜିନ ଡ୍ରାଇଭର ନିରୁପାୟ ହୋଇ ପଡ଼ିଥିଲେ। ଅନ୍ୟପକ୍ଷରେ ସମଲେଶ୍ବରୀ ଟ୍ରେନ୍ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରେନ୍‌ର ବେଗ ଅଧିକ ରହିଥିବାରୁ ଏଥିରେ ସେ ବିଫଳ ହୋଇଥିଲେ। ଉଭୟ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ପରେ ମେଣ୍ଟେନାନ୍ସ ଇଞ୍ଜିନ ସଂପୂର୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ଭିତରେ ଥିବା ଇଞ୍ଜିନିୟର୍ ଓ ଟେକ୍ନିସିଆନ୍ ଚାପି ହୋଇ ରହି ଯାଇଥିଲେ। ଦୁର୍ଘଟଣାର କିଛି ସମୟରେ ପରେ ଇଞ୍ଜିନ ଜଳିବା ଆରମ୍ଭ କରିଥିଲା।

ଖବର ପାଇ ଜିଆରପି, ଅଗ୍ନିଶମ ବିଭାଗ, ଚାନ୍ଦିଲି ଥାନା ପୁଲିସ୍, ଜେକେ ସୁରକ୍ଷା ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଚାପି ହୋଇ ରହିଥିବା ଇଞ୍ଜିନିୟର୍ ଓ ଟେକ୍ନିସିଆନଙ୍କ ମୃତଦେହ ଉଦ୍ଧାର କରିଥିଲେ। ସଂଧ୍ୟା ୬ଟା ୩୦ରେ ସମଲେଶ୍ବରୀ ଏକ୍ସପ୍ରେସ ଇଞ୍ଜିନରୁ ସମସ୍ତ ବଗିକୁ ଅଲଗା କରାଯାଇ ଅନ୍ୟ ଏକ ଇଞ୍ଜିନ୍ ମାଧ୍ୟମରେ ରାୟଗଡ଼ା ଅଭିମୁଖେ ନିଆଯାଇଥିଲା। ଟ୍ରେନରେ ୧୪୪ ଜଣ ଯାତ୍ରୀ ଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ଦୁଇଟି ସ୍ବତନ୍ତ୍ର ବସ୍ ମାଧ୍ୟମରେ କୋରାପୁଟ ଓ ଜଗଦଲପୁ‌ରରେ ଛାଡିବା ପାଇଁ ବ୍ୟବସ୍ଥା କରିଛି ରେଳ ବିଭାଗ। ଘଟଣାସ୍ଥଳରେ ରେଳ କର୍ତୃପକ୍ଷଙ୍କ ସମେତ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି ଡା. ଶର୍ବଣା ବିବେକ ଏମ୍, ଜେକେ କର୍ତୃପକ୍ଷ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିଛନ୍ତି।

କେଆର୍ ଲାଇନରେ ଏହି ଦୁର୍ଘଟଣା ଘଟିବା ପରେ ରାୟଗଡ଼ା-କୋରାପୁଟ-ଜଗଦଲପୁର ମଧ୍ୟରେ ୩ ଟ୍ରେନ୍ ଚଳାଚଳକୁ ସଂପୂର୍ଣ ଭାବେ ବାତିଲ୍ କରାଯାଇଛି। ଜଗଦଲପୁର-ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡା-ବିଜୟନଗରମ ପରିବର୍ତେ କୋରାପୁଟ-କୋତାୱାଲସା ଦେଇ ଭୁବନେଶ୍ବର ଯିବ। ସେହିପରି ଆଜି ଜଗଦଲପୁରରୁ ରାଉରକେଲା ଅଭିମୁଖେ ବାହାରିଥିବା ରାଉରକେଲା ଏକ୍ସପ୍ରେସକୁ ଲକ୍ଷ୍ମୀପୁରଠାରେ ବାତିଲ୍ କରାଯିବା ସହ ସମସ୍ତ ଯାତ୍ରୀଙ୍କୁ ସ୍ବତନ୍ତ୍ର ପାସେଞ୍ଜର୍ ଟ୍ରେନ୍ ମାଧ୍ୟମରେ କୋରାପୁଟ ଓ ଜଗଦଲପୁରରେ ଛଡ଼ାଯିବା ପାଇଁ ବ୍ୟବସ୍ଥା ହୋଇଛି। ସମ୍ବଲପୁର-କୋରାପୁଟ, କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନ କୋରାପୁଟ ପରିବର୍ତେ କେବଳ ରାୟଗଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ସେହିପରି ୨୪ ତାରିଖରେ ହାୱାଡା ଛାଡ଼ିଥିବା ସମଲେଶ୍ବରୀ ଏକ୍ସପ୍ରେସ୍ ଏବଂ ୨୬ ତାରିଖରେ ଜଗଦଲପୁରରୁ ହାୱଡ଼ା ଅଭିମୁଖେ ଯିବାକୁ ଥିବା ଟ୍ରେନକୁ ରାୟଗଡ଼ା ଷ୍ଟେସନରୁ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ରାୟଗଡ଼ା ଜଗଦଲପୁର ମଧ୍ୟରେ ଏହି ଟ୍ରେନକୁ ବାତିଲ୍ କରାଯାଇଛି। କେଆର୍ ଲାଇନରେ ରେଳ ଦୁର୍ଘଟଣା ଘଟଣାରେ ରେଳ ବିଭାଗ ପକ୍ଷରୁ ୪ ଜଣଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। କର୍ତବ୍ୟରେ ଅବହେଳା ପାଇଁ କେଉଟଗୁଡା ଷ୍ଟେସନ୍ ମ୍ୟାନେଜର୍ ଏସ୍. ଟପୋ, ସିଙ୍ଗାପୁର ଷ୍ଟେସନ୍ ମ୍ୟାନେଜର୍ ବି. ପ୍ରଧାନ ଓ ସିଙ୍ଗାପୁର ଷ୍ଟେସନ୍ ‘ଏ’ କ୍ୟାବିନର ଜୟ ପ୍ରସାଦଙ୍କୁ ନିଲମ୍ବନ ପାଇଁ ନିର୍ଦେଶ ଜାରି କରିଛି ବିଭାଗ। ଦୁଇ ଷ୍ଟେସନ୍ ମ୍ୟାନେଜରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏକା ସମୟରେ ଗୋଟିଏ ଟ୍ରାକ୍‌ରେ କିପରି ଭାବେ ଦୁଇ ଟ୍ରେନ ଚଳାଚଳ ପାଇଁ ଅନୁମତି ପ୍ରଦାନ କଲେ ଷ୍ଟେସନ୍ ମ୍ୟାନେଜର ତାକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି।

ଏହି ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛି ରେଳ ବିଭାଗ। କୋଲକାତା ସ୍ଥିତ ରେଳ ସୁରକ୍ଷା କମିସନର ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଏଥିସହିତ ବହୁ ବରିଷ୍ଠ ଅଧିକାରୀ ଦୁର୍ଘଟଣା ସଂପର୍କିତ ଟିକିନିଖି ଖବର ସଂଗ୍ରହ କରିବା ପରେ ରେଳ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ। ଖୁବ୍ ଶୀଘ୍ର ଏହି ଟିମ୍ ରାୟଗଡା ଅଭିମୁଖେ ଆସିବା ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର