ସମ୍ବଲପୁର: ରବିବାର ସକାଳେ ରେଳବାଇ କଲୋନି ନିକଟରେ ଜଣେ ବ୍ୟକ୍ତି ଗୁଳି ଚଳାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆହତ କରିଛନ୍ତି।
ସକାଳ ପ୍ରାୟ ୮ଟା ବେଳେ ୪୨ ବର୍ଷିୟ ଜଣେଶ ଜଗଦଲା ନିକଟସ୍ଥ ଗୋଲବଜାରରୁ ପନିପରିବା ନେଇ ବାଇକ୍ ଯୋଗେ ଫେରୁଥିଲେ। ବାଟରେ ମଣ୍ଟୁ ସୁନା ନାମକ ଜଣେ ଦୁର୍ବୃତ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ସହ ତାଙ୍କର ଭେଟ ହୋଇ ପାଟିତୁଣ୍ଡ ହୋଇଥିଲା।
ପାଟିତୁଣ୍ଡର କାରଣ ଗଣେଶଙ୍କ ବିଧବା ଝିଆରୀ। ରେଳବାଇରେ ଚାକିରି କରିଥିବା ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବିଧବା ଝିଆରୀ ସେ ଚାକିରି କରୁଛନ୍ତି। ମଣ୍ଟୁ ତାଙ୍କୁ ବାହା ହେବାକୁ ମନ ବଳାଇ ବାରମ୍ବାର ହଇରାଣ ହରକତ କରି ଆସୁଥିଲା। କିନ୍ତୁ, ଝିଆରୀ କିମ୍ବା ଗଣେଶ ଏ ବିବାହ ପ୍ରସ୍ତାବକୁ ଟାଳି ଦେଉଥିଲେ।
ଆଜି ମଣ୍ଟୁ ଗଣେଶଙ୍କୁ ବାହାଘର କଥା କହିବାରୁ ସେ ମନା କରିଦେଇଥିଲେ। ଫଳତଃ, ମଣ୍ଟୁ ପାଖରେ ରଖିଥିବା ପିସ୍ତଲ କାଢ଼ି ତାଙ୍କ ଉପରେ ଗୁଳି ଚଳାଇ ସେଠାରୁ ଖସି ପଳାଇଥିଲା।
ବାମ ଜଙ୍ଘରେ ଗୁଳି ଚୋଟ ଲାଗି ଆହତ ହୋଇଥିବା ଗଣେଶଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ନେଇଛନ୍ତି।
ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/sbpl.jpg)