ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ଶନିବାର ସକାଳେ ପିଏଚ୍ଡି ପଡ଼ିଆରେ ସରକାରୀ ଅଧିକାରୀ ଓ ଲୋକ ମହୋତ୍ସବ ଆୟୋଜନ ସମିତିର ସଦସ୍ୟମାନେ ଉପସ୍ଥିତ ରହି ଏହି ମହୋତ୍ସବ ପାଇଁ ଶୁଭ ଦେଇଥିଲେ। ପଣ୍ଡିତ ସୁନୀଲ ପାଣ୍ଡିଆ ପୂଜାର୍ଚ୍ଚନା କରିବା ପରେ ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ରଂଜନ ସାହୁ, ମୁଖ୍ୟ ନୋଡାଲ୍ ଅଧିକାରୀ ତଥା ଏସ୍ଏମ୍ସି କମିସନର୍ ପ୍ରଦୀପ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲିପ କୁମାର ବଳ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ସୂଚନା ଓ ଲୋକସଂପର୍କ ଅଧିକାରୀ ଫକୀର ମୋହନ ମାଝୀ, ବିଭିନ୍ନ ସମିତିର ସଦସ୍ୟଗଣ ଉପସ୍ଥିତ ଥିଲେ।
ରବିବାର ନୂଆବର୍ଷର ପହିଲି ଦିନରୁ ଲୋକ ମହୋତ୍ସବ ପାଇଁ ମଞ୍ଚ ନିର୍ମାଣ କାମ ଆରମ୍ଭ ହେବ। ଜାନୁଆରି ୧୩ ତାରିଖରେ ବ୍ଲକସ୍ତରୀୟ ଲୋକ କଳାକାରମାନଙ୍କୁ ନେଇ କାର୍ଯ୍ୟକ୍ରମ ହେବ। ଏହାପରେ ୧୪ ଜାନୁଆରିରେ ଲୋକ ମହୋତ୍ସବ-୨୦୨୩ର ମୁଖ୍ୟ ପର୍ବ ଆରମ୍ଭ ହେବ। ୧୯୯୭ ମସିହାରେ ସମ୍ବଲପୁରରେ ରାଜ୍ୟର ପ୍ରଥମ ଲୋକ ମହୋତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ୬ ଦିନ ଚାଲିବାକୁ ଥିବା ଏହି ଲୋକ ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ବି ଆୟୋଜିତ ହେବ। ତା’ ସହ ହକି ବିଶ୍ବକପ ପାଇଁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଲୋକ ମହୋତ୍ସବରେ ଆନ୍ତର୍ଜାତୀୟ ଲୋକଦଳ ସହ ଜାତୀୟ ଏବଂ ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଦଳ ସାମିଲ ହେବେ। ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ଚଳିତ ବର୍ଷର ଲୋକ ମହୋତ୍ସବ ଅଧିକ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବାକୁ ଯୋଜନା ରହିଛି।