ସମ୍ବଲପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ବଲପୁରର ଅବଦାନ ଅତୁଳନୀୟ। ଏଠିକାର ନାଚ, ଗୀତ, ବାଦ୍ୟ, ସଂଗୀତ, ମଧୁର ଭାଷା ଓ ସାହିତ୍ୟ ସମସ୍ତଙ୍କଠାରୁ ଭିନ୍ନ ଓ ନିଆରା। ସମ୍ବଲପୁରୀ ଶାଢ଼ିର ସାରା ବିଶ୍ବରେ ଭିନ୍ନ ପରିଚୟ ରହିଛି। ଦେଶର ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଆ ଭାଷା ଆନ୍ଦୋଳନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ମାଟିର ବରପୁତ୍ରମାନେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଛନ୍ତି। ସ୍ବଭାବ କବି ଗଂଗାଧର ମେହେରଙ୍କଠାରୁ ଆରମ୍ଭ କରି ଲୋକକବି ହଳଧର ନାଗଙ୍କ ଯାଏଁ ଆମର ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି।

Advertisment

publive-image

ରଂଗବତୀ, ଡାଲ୍‌ଖାଇ ଭଳି ସଂଗୀତ ଆମ ସଂସ୍କୃତିକୁ ଅମର କରିଛି। ଏହି ମହାନ ଭାଷା ସଂସ୍କୃତିକୁ ସମ୍ବଲପୁର ଲୋକ ମହୋତ୍ସବ ବର୍ଷ ପରେ ବର୍ଷ ଆଗକୁ ନେଇ ଚାଲିଛି ବୋଲି ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କରୋନା କାରଣରୁ ୨ ବର୍ଷର ବ୍ୟବଧାନରେ ପୁଣିଥରେ ରାଜ୍ୟର ଏହି ସର୍ବପୁରାତନ ଲୋକମହୋତ୍ସବ ଶୁକ୍ରବାର ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଛି। ଏହି ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ବିଜ୍ଞାନ ଓ ପ୍ରଦ୍ୟୋଗିକୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଲୋକ ମହୋତ୍ସବ ପିଢ଼ି ପରେ ପିଢ଼ି ଆମ ଭିତରେ ଏକ ସାଂସ୍କୃତିକ ସେତୁ ଭାବେ କାମ କରୁଛି। ଏଠାରେ ପ୍ରଦର୍ଶିତ ଲୋକ ଗୀତ, ସଂଗୀତ, ବାଦ୍ୟ, ନୃତ୍ୟ ଆମ ପୂର୍ବ ପିଢ଼ି ଓ ଉତ୍ତର ପିଢ଼ି ମଧ୍ୟରେ ସାଂସ୍କୃତିକ ସମନ୍ବୟ ବଜାୟ ରଖିବାରେ ନିର୍ଣ୍ଣାୟକ ହେବ ବୋଲି ଶ୍ରୀ ପଣ୍ଡା ମତ ରଖିଥିଲେ।

publive-image

ସମ୍ମାନିତ ଅତିଥି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଲେ, ଏହି ଲୋକମହୋତ୍ସବ ପାଇଁ ମୋ’ ସମେତ ସମଗ୍ର ସମ୍ବଲପୁରୀ ଜିଲ୍ଲାବାସୀ ଗର୍ବିତ। ଆମର ଲୋକ ଗୀତ ଓ ନୃତ୍ୟକୁ ଆଗକୁ ନେବାରେ ଲୋକ ମହୋତ୍ସବ ଆଗାମୀ ପିଢ଼ିକୁ ପ୍ରେରିତ କରିବ ବୋଲି ଶ୍ରୀ ପୂଜାରୀ କହିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅନନ୍ୟା ଦାସଙ୍କ ସଭାପତିତ୍ବରେ ତଥା ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିବା ସମ୍ବଲପୁର ଲୋକମହୋତ୍ସବର ପ୍ରଥମ ସଂଧ୍ୟାରେ ଅଧିକାଂଶ ସ୍ଥାନୀୟ କଳାକାର ନୃତ୍ୟ ପରିବେଷଣ କରିଥିବାବେଳେ କଟକ, କୋରାପୁଟ ଓ ଆସାମର ନୃତ୍ୟ ଦଳ ଦର୍ଶକଙ୍କ ମନ ମୋହିଥିଲେ।

publive-image

ଆରମ୍ଭରୁ ସମ୍ବଲପୁର କଳାକେନ୍ଦ୍ର ପକ୍ଷରୁ ସମ୍ବଲପୁରୀ ନାଚ ପରିବେଷଣ କରା ଯାଇଥିଲା। ଯୁଯୁମୁରା ବ୍ଲକ ସାଂସ୍କୃତିକ ଦଳର ଆଦିବାସୀ ନୃତ୍ୟ ଓ ଚିପିଲିମା ବୀଣାପାଣି କଳାକେନ୍ଦ୍ର କଳାକାରଙ୍କ ନାଚ ବି ମନ ଛୁଇଁଥିଲା। ସୁଦୂର ଆସାମରୁ ଆସିଥିବା କଳାକାରମାନେ ବିହୁ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କୋରାପୁଟ ଆଦିମାତା ସାଂସ୍କୃତିକ ଦଳର ଢ଼େମ୍‌ସା ନୃତ୍ୟ ଦର୍ଶକଙ୍କୁ ଉନ୍ମାଦିତ କରିଥିଲା। ଏହାବ୍ୟତୀତ ଭାରତୀ କଳା ବିକାଶ କେନ୍ଦ୍ର ବୁର୍ଲା, ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁର, ବାମରା ବ୍ଲକ୍‌ ଦଳର ନାଡୁ କିସାନ ନାଚ, କଟକର ଲୋକ ଶାସ୍ତ୍ର କଳା ପରି‌ଷଦର ନାଚ, ସମ୍ବଲପୁରର ଜବାନ କ୍ଲବ୍, ହୀରାକୁଦର ଜିଗ୍‌ଜାଗ୍ କ୍ଲବ୍, ଲଖନପୁରର ମା’ ବନଦୁର୍ଗା ଦଣ୍ଡ ନାଚ, ସମ୍ବଲପୁରର ଲହରୀ ଓ ରେଂଗାଲିର ରଂଗୋଲି ପାଲା ଗ୍ରୁପ୍‌ ନିଜ ନୃତ୍ୟ ବଳରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।