ସମ୍ବଲପୁର: ଚଳିତ ବର୍ଷ ୨୫ତମ ସମ୍ବଲପୁର ଲୋକ ମହୋତ୍ସବ ଧୁମ୍ଧାମ୍ରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବାବେଳେ ଶୁକ୍ରବାର ସେଥିରେ ସହରର ବିଭିନ୍ନ ସଂଗଠନର ସଦସ୍ୟ, କଳାକାର, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତିବିଶେଷ, ଆଇନ୍ଜୀବୀ, ସାମ୍ବାଦିକ ପ୍ରମୁଖ ସାମିଲ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଆୟୋଜିତ ସାଧାରଣ ବୈଠକରେ ଶହଶହ ଲୋକ ସାମିଲ ହୋଇ ବିଭିନ୍ନ ସମିତି, ଉପସମିତିର ସଂଯୋଜକ, ଆବାହକ ଆଦି ପଦ ପାଇଁ ଆଗ୍ରହ ଦେଖାଇଛନ୍ତି ଓ ନାମ ପ୍ରସ୍ତାବ ଦେଇଛନ୍ତି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାମିଲ ସହରବାସୀଙ୍କ ମଧ୍ୟରେ ଉତ୍ସବକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ଆଗ୍ରହୀ ବ୍ୟକ୍ତିବିଶେଷ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ କମିଟି ନିମନ୍ତେ ପରସ୍ପରର ନାମ ପ୍ରସ୍ତାବିତ କରିଥିଲେ। ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ସମେତ ବିଭିନ୍ନ ସମିତିର ଆବାହକ ନିମନ୍ତେ ଏକାଧିକ ପ୍ରାର୍ଥୀଙ୍କ ନାମର ପ୍ରସ୍ତାବ ଆସିଥିଲା।
ପ୍ରସ୍ତାବିତ ନାମ ଗୁଡ଼ିକୁ ତାଲିକାବଦ୍ଧ କରାଯାଇ ତର୍ଜମା କରିବା ପରେ ଚୂଡ଼ାନ୍ତ ନାମ ଘୋଷଣା କରିବାର କ୍ଷମତା ପ୍ରଶାସନ ନିଜ ପାଖରେ ରଖିଛି। ମୁଖ୍ୟ ସଂଯୋଜକ ଓ ଆବାହକ ପଦ ସମେତ, ମଞ୍ଚ ଓ ପ୍ରେକ୍ଷାଳୟ, ଖାଦ୍ୟ, ସାଂସ୍କୃତିକ ଦଳ, ପ୍ରଚାରପ୍ରସାର, ପ୍ରଦର୍ଶନୀ, ସମ୍ବର୍ଦ୍ଧନା, ଅଭ୍ୟର୍ଥନା, ଆଲୋଚନାଚକ୍ର, ସ୍ମରଣିକା, ପରିବହନ ଓ ରହଣି, ଆଙ୍କରିଂ, ଗଣମାଧ୍ୟମ ପରିଚାଳନା, ପାର୍କିଂ, ଷ୍ଟଲ୍, ଡକ୍ୟୁମେଣ୍ଟେସନ୍ ଆଦି ବିଭିନ୍ନ ଉପସମିତି ନିମନ୍ତେ ନାମ ପ୍ରସ୍ତାବିତ ହୋଇଥିଲା। ଏହା ସହ ସରକାରୀ ନୋଡାଲ୍ ଅଧିକାରୀ ନିଯୁକ୍ତି ସଂପର୍କରେ ବି ଆଲୋଚନା ହୋଇଥିଲା। ଆରମ୍ଭରୁ ସୂର୍ଯ୍ୟ କୁମାର ପାଣିଗ୍ରାହୀଙ୍କ ପ୍ରସ୍ତାବ କ୍ରମେ ବିଗତ ଦିନରେ ପରଲୋକ ବରଣ କରିଥିବା ବିଶିଷ୍ଟ କଳାକାରମାନଙ୍କ ସ୍ମୃତିରେ ୨ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା। ପରଲୋକ ବରଣ କରିଥିବା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଡ଼. ପଞ୍ଚାନନ ମିଶ୍ର, ମଙ୍ଗଳୁ ଚରଣ ବିଶ୍ୱାଳ, ଅଟଳ ବିହାରୀ ପଣ୍ଡା, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ରଂଜିତ ପଟ୍ଟନାୟକ, ପ୍ରମୋଦ ତ୍ରିପାଠୀ, ଶ୍ରୀରାମ ଲୁହୁରା, ଅରୁଣ ପ୍ରସନ୍ନ ସେଠ, ବାପୁଜୀ ପଟ୍ଟନାୟକ, ସନ୍ତୋଷ ଦଳେଇ, କାର୍ତ୍ତିକ ପ୍ରଧାନ, ମାନସ ଜୟପୁରିଆ, ସନ୍ତୋଷ ବଢ଼େଇ, ସାଧନା କମଳ ବହିଦାରଙ୍କୁ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା।
ଲୋକ ମହୋତ୍ସବେର ଅଞ୍ଚଳର ବିଶିଷ୍ଟ କଳାକାରମାନଙ୍କୁ ଉପକ୍ଷୋ କରା ଯାଉଥିବା ଅଭିଯୋଗ କରି ଭରସା ପରିବାର ସଭାପତି ନିହାଲ୍ ସିଂହ ଏଥର ଜଣେ କଳାକାରଙ୍କୁ ମୁଖ୍ୟ ସଂଯୋଜକ କରିବାକୁ ଦାବି ରଖିଥିଲେ। ସେହିପରି ସମ୍ବଲପୁର ଲୋକ ମହୋତ୍ସବର ଦାୟିତ୍ବ ବଣ୍ଟନ ସହର ମଧ୍ୟରେ ସୀମିତ ନରଖି ସାରା ଜିଲ୍ଲାର କଳାପ୍ରେମୀଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ବିଶିଷ୍ଟ ଚିତ୍ରକର ପିକେ ମହାନନ୍ଦିଆଙ୍କୁ ଅତିଥି କରିବାକୁ ସରୋଜ ସାହୁ ପ୍ରସ୍ତାବ ଦେଇଥିଲେ। ଲୋକ ମହୋତ୍ସବର ଉପସ୍ଥାପନା ଦମ୍ଦାର ହେବା ଉଚିତ ବୋଲି ବବ୍ଲୁ ବାଗ କହିଥିଲେ। ଏସ୍ଏମ୍ସି କମିସନର୍ ପ୍ରଦୀପ ସାହୁ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅତିରିକ୍ତ ଏସ୍ପି ତପନ ମହାନ୍ତି ଟ୍ରାଫିକ୍ ପରିଚାଳନା ଓ ଆଇନ୍ ଶୃଂଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ, ସଦର ଉପଜିଲ୍ଲାପାଳ ପ୍ରଭାସ ଡନ୍ସେନା, ଅତିରିକ୍ତ ଏସ୍ପି ତପନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଓଏସ୍ଡି ପର୍ଯ୍ୟଟନ ହେମନ୍ତ କୁମାର ପ୍ରଧାନ, ଗତ ବର୍ଷର ମୁଖ୍ୟ ସଂଯୋଜକ ସୌମେନ୍ଦ୍ର ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଆସନ୍ତା ଜାନୁଆରି ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ୨୫ତମ ସମ୍ବଲପୁର ଲୋକ ମହୋତ୍ସବ ଓ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ। ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଥର ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ ଓଡିଶାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେବାକୁ ଥିବାରୁ ତା’ର ପ୍ରଚାର ପ୍ରସାର ପାଇଁ ମଧ୍ୟ ଲୋକ ମହୋତ୍ସବରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ହକି ବିଶ୍ବ କପ୍ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବ। ରାଉରକେଲା ଓ ଭୁବନେଶ୍ବରରେ ଏହାର ମ୍ୟାଚ୍ ଗୁଡ଼ିକ ଖେଳାଯିବ। ବିଶ୍ବ କପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ୧୩ ତାରିଖରେ ଲୋକ ମହୋତ୍ସବରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅାୟୋଜନ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ବି ଏହାର ପ୍ରଚାରପ୍ରସାର କରାଯିବ। ଲୋକ ମହୋତ୍ସବ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲିଶ୍ରୀ ମେଳାର ଷ୍ଟଲ୍ ଲଗା ହେବ ବୋଲି ଗତ ୧୨ ତାରିଖରେ ଅନୁଷ୍ଠିତ ଅଧିକାରୀସ୍ତରୀୟ ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/8-12.jpg)